ଫର୍ମକୁ ଫେରିବା ପରେ ରୋହିତଙ୍କୁ ଶ୍ରେୟ ଦେଲେ କୋହଲି

ଦୁବାଇ : ଫର୍ମକୁ ଫେରିବା ପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଶ୍ରେୟ ଦେଇଛନ୍ତି। ‘ସୁପର୍ ୪ ମ୍ୟାଚ୍‌ଗୁଡିକରୁ (ପାକିସ୍ତାନ ଓ ଶ୍ରୀଲଙ୍କା) ଆମେ ଅନେକ କିଛି ଶିଖିଲୁ। ଦଳୀୟ ପରିଚାଳକଙ୍କଠାରୁ ସ୍ପଷ୍ଟ ଯୋଗାଯୋଗ ମିଳିଥିଲା। ବିରାମ ପରବର୍ତୀ ପ୍ରତ୍ୟାବର୍ତନରେ ମୋତେ ଯେଉଁଭଳି ସମର୍ଥନ ମିଳୁଥିଲା ଏହା ମୋତେ ଚାପମୁକ୍ତ ରଖୁଥିଲା’ ବୋଲି କୋହଲି ପ୍ରକାଶ କରିଛନ୍ତି।

ଗୁରୁବାର ରାତିରେ ଆଫଗାନିସ୍ତାନ ବିପକ୍ଷରେ ଆକର୍ଷଣୀୟ ଶତକ (୬୧ ବଲ୍‌ରୁ ୧୨୨*) ହାସଲ ପରେ ବିସିସିଆଇ ଟିଭିରେ କୋହଲିଙ୍କ ସାକ୍ଷାତକାର ନେଇଥିଲେ ରୋହିତ ଶର୍ମା। ଛକା ମାରିବାକୁ ଅଗ୍ରାଧିକାର ନଦେଇ ବାସ୍ତବତା ଢଙ୍ଗରେ ପ୍ରୟାସ କରିବା ଉପରେ କୋହଲି କାମ କରିଥିଲେ। ‘ଛକା ମାରିବା ମୋର ବଡ଼ ସାମର୍ଥ୍ୟ ନୁହେଁ, ଏଣୁ ମୁଁ ଭଲ କ୍ରିକେଟିଂ ସଟ୍‌ ଉପରେ ଏକାଗ୍ର ହୋଇଥିଲି। ପରିସ୍ଥିତି ଅନୁସାରେ ବଡ଼ ସଟ୍‌ ଖେଳୁଥିଲି ଏବଂ ବାଉଣ୍ଡରି ମାରୁଥିଲି। ଏହା ସମାନ ଭାବେ ଉଦ୍ଦେଶ୍ୟକୁ ସାଧିତ କରୁଥିଲା’ ବୋଲି କୋହଲି କହିଥିଲେ। ବଡ଼ ସଟ୍‌ ଖେଳିବା ଅପେକ୍ଷା ମୁଁ ଗ୍ୟାପ୍‌ ଖୋଜିବା ଉପରେ ଅଧିକ ଧ୍ୟାନ ଦେବି ବୋଲି ପୂର୍ବରୁ ବ୍ୟାଟିଂ ପ୍ରଶିକ୍ଷକ (ବିକ୍ରମ ରାଠୋର)ଙ୍କୁ କହିଥିଲି। ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଅର୍ଥ ନୁହେଁ ତୁମକୁ ସବୁବେଳେ ଭଲ ଷ୍ଟ୍ରାଇକ୍ ରେଟ୍‌ ରଖିବା, ଚୌକା ଓ ଛକା ମାରିବା। ମୁଁ ମୋ ପ୍ରକ୍ରିୟାରେ ଖେଳିଥିଲି। ସେଟଲ୍ ହେବାକୁ ୧୦/୧୫ ବଲ୍‌ ଖେଳିବା ପରେ ଏହାକୁ ମୁଁ ଏହାକୁ ଅଧିକ ଗତିଶୀଳ କରିପାରେ। ଦାୟିତ୍ବର ସହ ପରିସ୍ଥିତି ଅନୁସାରେ ଖେଳିବା ଦଳ ଭିତରେ ବି ମୋ ଦାୟିତ୍ବ ଥିଲା।

ସମ୍ବନ୍ଧିତ ଖବର