ଟେଷ୍ଟ୍ ଅଧିନାୟକ ଛାଡ଼ିବା କଥା ସାଥୀ ଖେଳାଳିଙ୍କୁ ଦିନକ ପୂର୍ବରୁ ଜଣାଇଥିଲେ କୋହଲି

ରାହୁଲଙ୍କୁ ଟେଷ୍ଟ୍ ଅଧିନାୟକ କରିବା ସପକ୍ଷରେ ଜଗଦଲେ, ଅଧିନାୟକ ହେବାକୁ ବୁମ୍‌ରା ପ୍ରସ୍ତୁତ

କେପଟାଉନ୍: ଚଳିତ ମାସ ୧୫ ତାରିଖରେ ବିରାଟ କୋହଲି ଟ୍ବିଟ୍ କରି ‌ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ପଦ ଛାଡ଼ିବା କଥା ସମସ୍ତଙ୍କୁ ଜଣାଇ ଦେଇଥିଲେ। ଆଉ ଏଥିପାଇଁ କ୍ରିକେଟ୍ ଜଗତରେ ହଟଚମଟ ସୃଷ୍ଟି ହୋଇଥିଲା। ତେବେ କୋହଲି ଯେ ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିବାକୁ ଯାଉଛନ୍ତି, ସେକଥା ସାଥୀ ଖେଳାଳିମାନେ ଏହାର ଦିନେ ପୂର୍ବରୁ ଅର୍ଥାତ୍ ୧୪ ତାରିଖରୁ ଜାଣି ସାରିଥିଲେ। ଏହି ସୂଚନା ଦେଇଛନ୍ତି ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା। ସୋମବାର ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ଉଜାଗର କରିବାକୁ ଯାଇ ବୁମ୍‌ରା କହିଥିଲେ ଯେ ଆମ ଦଳ ଏକ ପରିବାର ଭଲି। ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିବା କଥା କୋହଲି ଦଳୀୟ ବୈଠକରେ ହିଁ ଆମକୁ ଜଣାଇ ଦେଇଥିଲେ। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ଆମେ ସମସ୍ତେ ଏହାକୁ ସମ୍ମାନ କରୁ। ସେ ସବୁବେଳେ ଆମର ଅଧିନାୟକ ହୋଇ ରହିବେ। ଭାରତୀୟ କ୍ରିକେଟ୍‌ର ବିକାଶ ଲାଗି ଅଧିନାୟକ ଭାବେ ସେ କରିଥିବା ଅବଦାନ ଲାଗି ଆମେ ତାଙ୍କୁ ଧନ୍ୟବାଦ ଜଣାଇଥିଲୁ। ସେହିଭଳି ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲୁ।

ରାହୁଲଙ୍କୁ ଟେଷ୍ଟ୍ ଅଧିନାୟକ କରିବା ସପକ୍ଷରେ ଜଗଦଲେ

ଇନ୍ଦୋର: ବିରାଟ କୋହଲିଙ୍କ ଇସ୍ତଫା ପରେ ୨୯ ବର୍ଷୀୟ କେଏଲ୍ ରାହୁଲଙ୍କୁ ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ନିଯୁକ୍ତ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବିସିସିଆଇର ପୂର୍ବତନ ସଂପାଦକ ସଞ୍ଜୟ ଜଗଦଲେ। ‘‘ମୁଁ ଭାବୁଛି ଲମ୍ବା ସମୟ ପାଇଁ ଯିଏ ଭାରତୀୟ ଦଳର ନେତୃତ୍ବ ନେଇ ପାରିବ, ସେଭଳି ଜଣେ ଖେଳାଳି ଟେଷ୍ଟ୍ ଅଧିନାୟକ ହେଲେ ଭଲ। ସେଥିପାଇଁ ଏହି ପଦ ଲାଗି ମୁଁ କେଏଲ୍ ରାହୁଲଙ୍କୁ ବାଛିବି। ତାଙ୍କ ପାଖରେ ଏବେ ଆହୁରି ଅନେକ ବର୍ଷର କ୍ରିକେଟ୍ ବାକି ଅଛି। ଯୁବ ଖେଳାଳିଙ୍କର ମଧ୍ୟ ସେ ସେଠିକ୍ ମାର୍ଗଦର୍ଶନ କରିପାରିବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ରହିଛି’’ ବୋଲି ସୋମବାର ଦେଇଥିବା ସାକ୍ଷାତକାରରେ ଜଗଦଲେ କହିଛନ୍ତି। ସେ ମଧ୍ୟ ଭାରତୀୟ କ୍ରିକେଟ୍ ପ୍ରତି ଅଧିନାୟକ ଭାବେ ଦେଇଥିବା‌ ଅତୁଳନୀୟ ଅବଦାନ ଲାଗି କୋହଲିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Cricket Addictor

ଅଧିନାୟକ ହେବାକୁ ବୁମ୍‌ରା ପ୍ରସ୍ତୁତ

ପର୍ଲ (ଦକ୍ଷିଣ ଆଫ୍ରିକା): ବିରାଟ କୋହଲିଙ୍କ ଇସ୍ତଫା ପରେ କିଏ ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ହେବ? ଚାରିଆଡ଼େ ଏବେ ଏହି ଚର୍ଚ୍ଚା ଚାଲିଛି। ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସାଧାରଣ କ୍ରିକେଟ୍‌ପ୍ରେମୀଙ୍କ ପର୍ଯ୍ୟନ୍ତ, ସମସ୍ତେ ନିଜ ନିଜ ବୁଦ୍ଧି ଓ ବିବେକର ଉପଯୋଗ କରି ଭାରତର ପରବର୍ତ୍ତୀ ଅଧିନାୟକ କିଏ ହେବା ଉଚିତ, ସେ ପରାମର୍ଶ ଦେଉଛନ୍ତି। ଏହି ଅଙ୍କକଷା ଭିତରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ବିଶ୍ବ କ୍ରିକେଟ୍‌ର ସବୁଠାରୁ ଲୋକପ୍ରିୟ ଦଳ ଭାରତର ଅଧିନାୟକ ପଦ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସୁଯୋଗ ମିଳିଲେ, ସେ ଏହାକୁ ଦୁଇ ହାତରେ ଜାବୁଡ଼ି ଧରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ‘‘ସୁଯୋଗ ମିଳିଲେ, ଏହା ମୋ ପାଇଁ ସମ୍ମାନ ଓ ଗୌରବର କଥା ହେବ। ଏଭଳି ଏକ ପଦ ଲାଗି କୌଣସି ଖେଳାଳି କେବେ ବି ମନା କରି ପାରିବେ ବୋଲି ମୁଁ ଭାବୁନି। ଦଳ ମୋତେ ଯେଉଁ ଦାୟିତ୍ବ ଦେବ, ମୁଁ ତାକୁ ଭଲଭାବରେ ଏବଂ ଦକ୍ଷତା ମୁତାବକ ନିର୍ବାହ କରିବାକୁ ଚେଷ୍ଟା କରିବି’’ ବୋଲି ବୁମ୍‌ରା କହିଛନ୍ତି। ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଉପଅଧିନାୟକ ଦାୟିତ୍ବ ତୁଲାଇବାର ଅଭିଜ୍ଞତା‌ ଏହି ଦିଗରେ ତାଙ୍କୁ ବେଶ୍ ସହାୟ ହେବ ବୋଲି ଆଶାପ୍ରକାଶ କରିଛନ୍ତି ସେ।

ସମ୍ବନ୍ଧିତ ଖବର