ଭାରତୀୟ କ୍ରିକେଟ୍‌ ଇତିହ‌ାସରେ କୋହଲିଙ୍କୁ ଶ୍ରେଷ୍ଠ ଦଳ ମିଳିଛି: ଗାଏକ୍ବାଡ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଇତିହାସରେ ବର୍ତମାନର ଅଧିନାୟକ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ଦଳ ମିଳିଛି ବୋଲି କହିଛନ୍ତି ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ଅଂଶୁମାନ ଗାଏକ୍ବାଡ୍‌। ଦୃଢ଼ ବ୍ୟାଟ୍‌ସମ୍ୟାନ୍‌ ଓ ଭଲ ଦ୍ରୁତ‌ ବୋଲରଙ୍କୁ ନେଇ ଏକ ସନ୍ତୁଳିତ ଦଳ କୋହଲିଙ୍କୁ ମିଳିଛି। ଏପର୍ଯ୍ୟନ୍ତ ଆମ ନିକଟରେ ଭଲ ପେସ୍ ବୋଲର ନଥିଲେ। କର୍ଷନ ଘାବ୍ରୀ, ରୋଜର ବିନ୍ନି, କପିଳ ଦେବ ପ୍ରମୁଖ ଭଲ ଦ୍ରୁତ ବୋଲର ଥିଲେ ମଧ୍ୟ ସବୁବେଳେ ମ୍ୟାଚ୍‌ ଜିତାଇପାରୁନଥିଲେ। ଏବେ ଆମ ନିକଟରେ ପେସ୍‌ ବୋଲିଂର ଢେର ବିକଳ୍ପ ରହିଛି। ମ୍ୟାଚ୍‌ ମଧ୍ୟ ଜିତାଉଛନ୍ତି ବୋଲି ସ୍ପୋର୍ଟସକ୍ରୀଡ଼ା ସହ ଏକ ଲାଇଭ୍ ଆଲୋଚନା ବେଳେ ମତ ଦେଇଥିଲେ ଗାଏକ୍ବାଡ।

ବିରାଟ କୋହଲି ଭାରତୀୟ କ୍ରିକେଟ୍‌ ଇତିହାସର ଅନ୍ୟତମ ସଫଳ ଅଧିନାୟକ। ଅଧିନାୟକ ଭାବେ ଦେଶ ପାଇଁ ସର୍ବାଧିକ ଟେଷ୍ଟ୍ ଜିତିସାରିଛନ୍ତି। ଟେଷ୍ଟ୍‌ ମାନ୍ୟତାରେ ବି ଭାରତକୁ ଏକ ନମ୍ବର କରାଇପାରିଛନ୍ତି। ପ୍ରଥମ ଅଧିନାୟକ ଭାବେ ଅଷ୍ଟ୍ରେଲିଅରେ ଟେଷ୍ଟ୍‌ ଶୃଙ୍ଖଳା ବି ଜିତିଛନ୍ତି। ୨୦୧୪ରୁ ଟେଷ୍ଟ୍‌ ଏବଂ ୨୦୧୭ରୁ ସୀମିତ ଓଭର ଦଳର ବି ନେତୃତ୍ବ ନେଇ ଆସୁଛନ୍ତି। ‘ଏହା ଏକ ସାମୟିକ ପ୍ରଶ୍ନ। ଅଧିନାୟକତ୍ବ ଛାଡ଼ିବା ବେଳକୁ ସଚିନ ତେନ୍ଦୁଲକରଙ୍କ ସହ ମୁଁ କାମ କରୁଥିଲି। ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି, ‌ସେ ଅନୁଭବ କରିଥିଲେ ୧୧୦ ପ୍ରତିଶତ ଦେଉଛନ୍ତି, କିନ୍ତୁ ଅନ୍ୟମାନେ କାହିଁକି ନୁହେଁ। କିନ୍ତୁ ଅଧିନାୟକ ଭାବେ ଜଣେ ବୁଝିବା ଉଚିତ୍ ଯେ ପ୍ରତି ବ୍ୟକ୍ତି ଭିନ୍ନ। ଆପଣ ୧୧୦ ପ୍ରତିଶତ ଦେଇପାରନ୍ତି, କିନ୍ତୁ ଅନ୍ୟମାନେ କେବଳ ୯୦, ୯୫ ପ୍ରତିଶତ ଦେବେ। ଏହାକୁ କିଭଳି ୧୦୦ ପ୍ରତିଶତ କରିବାକୁ ପଡ଼ିବ ସେ ଦିଗରେ କାମ କରିବାକୁ ହେବ ବୋଲି ଗାଏକ୍ବାଡ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର