ତିରୁଭନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷରେ ଭାରତର ବ୍ୟାଟିଂ ଜାରି ରହିଛି। ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ଶୁବମନ ଗିଲ୍‌ ଆଜି ପ୍ରଥମେ ଶତକ ମାରିଛନ୍ତି। ଏହା ପରେ ବିରାଟ କୋହଲି ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଅନ୍ୟ ଏକ ଶତକ ହାସଲ କରିଛନ୍ତି। ବିରାଟ କୋହଲି ୮୫ଟି ବଲ୍‌ ଖେଳି ୧୦ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ଶତକ ହାସଲ କରିଛନ୍ତି। ଏହା ହେଉଛି କୋହଲିଙ୍କ ୭୪ତମ ଅନ୍ତର୍ଜାତୀୟ ଶତକ। ବିରାଟ କୋହଲି ଏପର୍ଯ୍ୟନ୍ତ ୪୬ଟି ଦିନିକିଆ, ୨୭ଟି ଟେଷ୍ଟ ଓ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ଶତକ ମାରିଛନ୍ତି।

Advertisment

ଶ୍ରୀଲଙ୍କା ବିପକ୍ଷରେ କେରଳର ତିରୁଅନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାର ୩ୟ ତଥା ଶେଷ ମୁକାବିଲାରେ ରିପୋର୍ଟ ଲେଖାଯିବା ବେଳକୁ ଭାରତ ୪୪.୩ ଓଭରରେ ୨ଟି ୱିକେଟ୍‌ ହରାଇ ୩୨୬ ରନ୍‌ କରିଛି। କ୍ରିଜରେ କୋହଲି ଓ ଶ୍ରେୟସ ଆୟର ଅଛନ୍ତି।

publive-image Photo: Aajtak

ଏହା ପୂର୍ବରୁ ଶୁବମନ ଗିଲ୍‌ ୮୯ଟି ବଲ୍‌ ଖେଳି ଶତକ ହାସଲ କରିଥିଲେ। ସେ ଏହି ଶତକରେ ୧୧ ଚୌକା ଓ ୨ ଛକା ସାମିଲ କରିଥିଲେ। ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଏହା ଥିଲା ଶୁବମନଙ୍କ ୨ୟ ଶତକ। ଏହା ପୂର୍ବରୁ ଶୁବମନ ଗିଲ ଜିମ୍ବାୱେ ବିପକ୍ଷରେ ଗତବ‌ର୍ଷ ଅଗଷ୍ଟ ୨୨ ତାରିଖରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ଗିଲ ଆଉଟ୍‌ ହେବା ପୂର୍ବରୁ ୯୭ଟି ବଲ୍‌ ଖେଳି ୧୪ଟି ଚୌକା ଓ ୨ଟି ଛକା ବଳରେ ୧୧୬ ରନ୍‌ ସଂଗ୍ରହ କରିଥିଲେ।

ଯୁବ ବ୍ୟାଟର ଶୁବମନ ଗିଲ ଆଜି ବିରାଟ କୋହଲିଙ୍କ ସହିତ ଶତକୀୟ ଭାଗିଦାରୀ ହୋଇପାରିଥିଲେ। ବିରାଟ କୋହଲିଙ୍କ ସହିତ ସେ ୧୩୧ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଭାରତ ୯୫ ରନ୍‌ରେ ପ୍ରଥମ ୱିକେଟ୍‌ ଭାବେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ୪୯ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୪୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।