ଚେନ୍ନାଇ, ୮ା୪: ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଟାଇଟଲ ଜିତିବାର ମାତ୍ର ପାଞ୍ଚମାସ ପରେ ପୁଣିଥରେ ଫେରିଛି ଆଇପିଏଲ୍। ଟ୍ବେଣ୍ଟି-୨୦ କ୍ରିକେଟ୍କୁ ନୂଆମୋଡ଼ ଦେଇଥିବା ଆଇପିଏଲ୍ର ଚତୁର୍ଦ୍ଦଶ ସଂସ୍କରଣ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି। ବିଦେଶ ନୁହେଁ, ଏଥର ଘରୋଇ ପରିବେଶରେ ଆୟୋଜିତ ହେଉଛି ଟ୍ବେଣ୍ଟି-୨୦ କ୍ରିକେଟ୍ର ସର୍ବବୃହତ୍ ମହାମେଳା। ଏହି ପାଞ୍ଚ ମାସ ଭିତରେ କିନ୍ତୁ ଗୋଟିଏ କଥା ବଦଳି ନାହିଁ। ଅଦୃଶ୍ୟ ଭୂତାଣୁ କରୋନାର ମହାସଙ୍କଟ ଗତବର୍ଷ ଥିଲା, ଚଳିତ ବର୍ଷ ବି ଅଛି। ବରଂ ଏବର୍ଷ ତା’ର ଦ୍ବିତୀୟ ଲହର ଭୟାବହତା ଭାରତରେ ସବୁ ସୀମା ଟପିଛି। ଆଇପିଏଲ୍ କିନ୍ତୁ ଉଭୟ ଆଶା ଓ ଆଶଙ୍କା ନେଇ ଆସିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ୧୦୦,୦୦୦ ଟପିଥିଲା ବେଳେ ଭାରତରେ ଏହି ଅତ୍ୟନ୍ତ ଲୋକପ୍ରିୟ, ଧନୀ ଓ ଚର୍ଚ୍ଚିତ ଲିଗ୍ ଆୟୋଜନ ନେଇ ତର୍କ ବିତର୍କ ଆରମ୍ଭ ହୋଇଛି। ଅନେକ ପ୍ରଶ୍ନ ବି ଉଠିଛି। ହେଲେ ଏଭଳି ଏକ ଅସ୍ବାଭାବିକ ପରିସ୍ଥିତିରେ ଆଇପିଏଲ୍ ଖୁସିର ବାହକ ହୋଇଆସିବ ବୋଲି କ୍ରିକେଟ୍ପ୍ରେମୀ ଆଶା ରଖିଛନ୍ତି।
ବିସିସିଆଇ ପାଇଁ କିନ୍ତୁ କରୋନାମୁକ୍ତ ଆଇପିଏଲ୍ ଆୟୋଜନ ମସ୍ତବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଖୋଦ୍ ଖେଳାଳିମାନେ ମଧ୍ୟ କଡ଼ା ମାନସିକ ଓ ଶାରୀରିକ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଜୈବ ବଳୟ ଜୀବନ, କଟକଣା ଭରା ଖେଳ ପରିବେଶ ଏବଂ କରୋନା ପଜିଟିଭ୍ ଅଧିକାରୀ ଓ ଖେଳାଳିଙ୍କ ଲମ୍ବା ଲାଇନ୍ ଭିତରେ ସେମାନଙ୍କ ପାଇଁ ଆସନ୍ତା ୫୨ ଦିନର ପ୍ରତିଟି ମୁହୂର୍ତ ଯେତିକି ଉତ୍କଣ୍ଠାଭରା ରହିବ, ସେତିକି ଆହ୍ବାନଭରା ବି ହେବ। ଏକଥା ଅବଶ୍ୟ ସତ ଯେ ଆଇପିଏଲ୍ରେ ପୁଣି ଥରେ ଛକା, ଚୌକାର ବର୍ଷା ଦେଖିବାକୁ ମିଳିବ। ଏକଥା ବି ନିଶ୍ଚିତ ଯେ ଲିଗ୍ର ୮ଟି ଯାକ ଦଳ ପୁଣି ଥରେ ସେହି ସ୍ବପ୍ନର ଟ୍ରଫି ଜିତିବା ଲାଗି ଆପ୍ରାଣ ଉଦ୍ୟମ କରିବେ। ଏଥରର ଆଇପିଏଲ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ପ୍ରଥମ ମ୍ୟାଚ୍ରୁ ହିଁ ଆଭାସ ମିଳିଛି। କାରଣ ଏବର୍ଷ ଲିଗ୍ର ପ୍ରଥମ ମ୍ୟାଚ୍ରେ ଶୁକ୍ରବାର ସଂଧ୍ୟା ୭ଟା ୩୦ରୁ ଭାରତୀୟ କ୍ରିକେଟ୍ର ଦୁଇ ମହାରଥୀ ତଥା ଭାରତୀୟ ସୀମିତ ଓଭର ଦଳର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ରୋହିତଙ୍କ ମୁ୍ମ୍ବାଇ ଇଣ୍ଡିଆନ୍ସ ଓ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମହାଟକ୍କର ହେବାକୁ ଯାଉଛି। ଖେଳାଳି, ଅଧିକାରୀ, ପ୍ରଶଂସକ ସମସ୍ତେ ଏଥିଲାଗି ପ୍ରସ୍ତୁତ ଅଛନ୍ତି।
ଏମ୍ଆଇର ହ୍ୟାଟ୍ରିକ୍, ଆର୍ସିବିର ପ୍ରଥମ ଟ୍ରଫି ଆଶା
ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲ୍ର ସଫଳତମ ଦଳ। ଏହି ଦଳ ପାଞ୍ଚ ଥର ବିଜେତା ଆଖ୍ୟା ଅର୍ଜନ କରିଛି। ଆଇପିଏଲ୍ର ଗତଦୁଇ ସଂସ୍କରଣରେ ବି ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଛି। ଏଣୁ ଏଥର ପ୍ରଥମ ଦଳ ଭାବେ ହ୍ୟାଟ୍ରିକ୍ ଟ୍ରଫି ଜିତିବାର ସୁଯୋଗ ରୋହିତଙ୍କ ଦଳ ପାଖରେ ରହିଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସଂଗ୍ରହକାରୀ ବିରାଟ କୋହଲି ଢେର କିଛି ବର୍ଷ ହେବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ନେତୃତ୍ବ ନେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଥରେ ହେଲେ ବି ଟ୍ରଫି ତୋଳି ଧରିବାର ସୌଭାଗ୍ୟ ଲାଭ କରିନାହାନ୍ତି। ଉଭୟ ଦଳରେ ଅନେକ ସୁପରଷ୍ଟାର ଥିବାରୁ ଶୁକ୍ରବାର ସଂଧ୍ୟାରେ ଷ୍ଟାଡିୟମ୍ ନହେଲେ ବି ଟେଲିଭିଜନ୍ ପରଦାରେ ଦର୍ଶକ ଛକା, ଚୌକା ବର୍ଷା ଦେଖିବେ ବୋଲି ଆଶା କରାଯାଉଛି। ଅତୀତରେ ଏମ୍ଏ ଚିଦାମ୍ବରମ୍ ପିଚ୍ ସ୍ପିନରଙ୍କୁ ସୁହାଇଛି। ପିଚ୍ରେ କୌଣସି ଅସାଧାରଣ ପରିବର୍ତ୍ତନ ନହେଲେ ସେମାନେ ଶୁକ୍ରବାର ମୁକାବିଲାରେ ବି ପ୍ରମୁଖ ଭୂମିକା ନେଇପାରନ୍ତି। ଖାସ୍ ଆଇପିଏଲ୍ ଖେଳିବା ଲାଗି ପାକିସ୍ତାନ ବିପକ୍ଷ ଶୃଙ୍ଖଳା ଅଧାରୁ ଭାରତ ଆସିଥିବା ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ କ୍ବିଣ୍ଟନ୍ ଡି’ କକ୍ ଓ ଆଦାମ ମିଲନେ ସଂପ୍ରତି ସଙ୍ଗରୋଧରେ ଥିବାରୁ ମୁମ୍ବାଇର ପ୍ରଥମ ମ୍ୟାଚ୍ ଖେଳିବେନି। ଅନ୍ୟପକ୍ଷରେ କରୋନା ମୁକ୍ତ ହେବା ପରେ ଆର୍ସିବି ପ୍ରାରମ୍ଭିକ ବ୍ୟାଟର୍ ଦେବଦତ୍ତ ପଡ଼ିକଲ୍ ଦଳ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ସଙ୍ଗରୋଧ ଅବଧି ଶେଷ କରିନଥିବା ଫିନ୍ ଆଲେନ୍ ଓ ଆଦାମ ଜାମ୍ପାଙ୍କ ସେବାରୁ ଆର୍ସିବି ଅବଶ୍ୟ ବଞ୍ଚିତ ହେବ। ତେବେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବରୁ ଆର୍ସିବି ଆସିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ତାଙ୍କୁ ନିଜ ଦାମୀ ଦରର ସମ୍ମାନ ରଖିବାକୁ ହେବ।
ବଦଳିବ କି ଧାରା?
ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୧୭ ମ୍ୟାଚ୍ ଜିତିଥିଲା ବେଳେ ବାଙ୍ଗାଲୋର ୧୦ ମ୍ୟାଚ୍ରେ ବିଜୟୀ ହୋଇଛି। ହେଲେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୧୦ ମ୍ୟାଚ୍ରୁ ମୁମ୍ବାଇ ୮ଟିରେ ବିଜୟୀ ହୋଇଛି। ମଜାଦାର କଥା ହେଲା ବାଙ୍ଗାଲୋର ଜିତିଥିବା ବଳକା ୨ ମ୍ୟାଚ୍ ମଧ୍ୟରୁ ଗୋଟିକୁ ଗତ ଋତୁରେ ସୁପରଓଭରରେ ହିଁ ଜିତିଥିଲା। ସେପଟେ ଆଇପିଏଲ୍ର ସଫଳତମ ଦଳ ହୋଇଥିଲେ ମଧ୍ୟ ୧୩ ଋତୁ ମଧ୍ୟରୁ ଗତ ୮ ଋତୁରେ ମୁମ୍ବାଇ ନିଜ ପ୍ରଥମ ମ୍ୟାଚ୍ ହାରିଛି। ଅର୍ଥାତ୍ ପରାଜୟରୁ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏଥରର ଆଇପିଏଲ୍ ଖେଳାଯିବାକୁ ଥିବା ୬ ଷ୍ଟାଡିୟମ୍ ମଧ୍ୟରୁ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆର୍ସିବି ଅଧିନାୟକ ବିରାଟ କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍ ସବୁଠାରୁ କମ୍ (୧୧୧.୪୯) ରହିଛି। ଯାହାକୁ ବଢ଼ାଇବାକୁ ସେ ଚାହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fxh49sf8h789sfh45fs4h56fs4h56fs456hfshhfsfshsfhfh.jpg)