୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ଗୁରୁବାର କ୍ବାଲିଫାୟାର୍-୧ରେ ଆର୍ସିବି ଏକତରଫା ଭାବେ ୮ ୱିକେଟ୍ରେ ଲିଗ୍ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ମୋଟ ଉପରେ କିନ୍ତୁ ଆର୍ସିବି ଚତୁର୍ଥ ଥର ଫାଇନାଲ୍ ଖେଳିବ। କେବେ ବି ଟ୍ରଫି ଜିତିନଥିବା ଏହି ଦଳ ବିରାଟ କୋହଲିଙ୍କ ସେନା ଭାବେ ପରିଚିତ ଥିବାରୁ ତାଙ୍କ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ବିଶ୍ବାସ କରାଯାଉଛି।
ଜୁନ୍ ୩ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଏହି ଦଳର ଫାଇନାଲ୍ ପ୍ରତିଦ୍ବନ୍ଦ୍ବୀ କିଏ ହେବ ରବିବାର ସ୍ପଷ୍ଟ ହେବ। ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ-ଗୁଜରାଟ ଟାଇଟନ୍ସ ମୁକାବିଲାର ବିଜୟୀ ଦଳ ସହ ରବିବାର ପଞ୍ଜାବ କିଙ୍ଗ୍ସ କ୍ବାଲିଫାୟାର୍-୨ ଖେଳିବ। ବିଜୟୀ ଦଳ ହିଁ ଆର୍ସିବି ସହ ଫାଇନାଲ୍ ଟକ୍କରରେ ଅବତୀର୍ଣ୍ଣ ହେବ। ଶେଷ ଥର ପାଇଁ ଆର୍ସିବି ୨୦୧୬ରେ ଫାଇନାଲ୍ ଖେଳି ସନ୍ରାଇଜର୍ସ ହାଇଦ୍ରାବାଦଠାରୁ ହାରି ଉପବିଜେତା ହୋଇଥିଲା।