ମେରିକମ୍‌ଙ୍କ ପ୍ରେରଣାରେ କୋହଲି

ନୂଆଦିଲ୍ଲୀ: କେବଳ କ୍ରୀଡ଼ାବିତ୍‌ ନୁହଁନ୍ତି ସମସ୍ତଙ୍କ ପାଇଁ ୬ ଥର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ମେରି କମ୍‌ ଆଦର୍ଶ ଓ ଅନୁକରଣୀୟ ବୋଲି କହିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ପିତୃତ୍ବ ଲାଭ ପୂର୍ବରୁ କୋହଲି ନିଜେ ମେରିକମ୍‌ଙ୍କ ବାଟକୁ ଆପଣାଇଥିବା କଥା ମଧ୍ୟ ଆଭାସ ଦେଇଛନ୍ତି। ୪ଟି ସନ୍ତାନର ମା’ ହେବା ପରେ ମଧ୍ୟ ମେରିକମ୍‌ ବିଶ୍ବବିଜେତା ହୋଇଛନ୍ତି। ମାତୃତ୍ବ ଲାଭ ପରେ ପରିବାର ଓ ଖେଳ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ମେରିକମ୍‌ ଅନ୍ୟାମନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ସୂଚନାଯୋଗ୍ୟ, କୋହଲି ଏବଂ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରିରେ ସେମାନଙ୍କ ପ୍ରଥମ ସନ୍ତାନ ଆଶାରେ ରହିଛନ୍ତି। ଗୁରୁବାର ଏକ ଇନ୍‌ଷ୍ଟାଗ୍ରାମ ଆଲୋଚନା ବେଳେ ମେରିକମଙ୍କୁ କୋହଲି ପ୍ରଶ୍ନ କରିଥିଲେ ‘ଜଣେ ମା’ ଭାବେ ଆପଣ ତାଲିମ, ପ୍ରତିଯୋଗିତା ଆଦିରେ କିଭଳି ସନ୍ତୁଳନ ଆଣିପାରନ୍ତି?’। ଅଲିମ୍ପିକ୍ କାଂସ୍ୟ ପଦକ ବିଜୟିନୀ ୩୭ ବର୍ଷୀୟା ମେରିକମ୍‌ କହିଥିଲେ ‘ବିବାହ ପରେ ସ୍ବାମୀ ମୋ ଶକ୍ତିର ସ୍ତମ୍ବ ପାଲଟିଥିଲେ। ମୋ ପାଇଁ ତାଙ୍କ ସମର୍ଥନ ଅମୂଲ୍ୟ ଭଳି। ମୋର ପ୍ରତିଟି ଆବଶ୍ୟକତାର ସେ ଯତ୍ନ ନେଇପାରନ୍ତି। ସେ ଜଣେ ଆଦର୍ଶ ସ୍ବାମୀ ଓ ପିତା’। ଦେଶର ସମସ୍ତ ମହିଳାମାନଙ୍କ ପାଇଁ ଆପଣ ପ୍ରେରଣା। ଆମ ପାଇଁ ମଧ୍ୟ ଆପଣ ପ୍ରେରଣାଦାୟୀ। ଆପଣଙ୍କୁ ଏଭଳି ପ୍ରଶ୍ନ କରିବାର ସୁଯୋଗ ପାଇଥିବାରୁ ମୁଁ ଧନ୍ୟ ମନେ କରୁଛି। ଆମେ ଏବେ ପିତାମାତା ହେବାକୁ ଯାଉଥିବାରୁ ଆପଣଙ୍କଠାରୁ ପ୍ରେରଣା ପାଉଛୁ ବୋଲି କୋହଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର