ଲଣ୍ଡନ୍: ଦ ଓଭାଲ୍ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ରେ ଭାରତ ୧୫୭ ରନ୍ରେ ବିଜୟୀ ହେବା ପରେ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ବିରାଟ କୋହଲି ସର୍ବାଧିକ ଟେଷ୍ଟ୍ ବିଜୟରେ ସଫଳତମ ଏସୀୟ ଅଧିନାୟକ ହୋଇଛନ୍ତି। କୋହଲି ଏହି ୪ ଦେଶରେ ମୋଟ ୬ ଟେଷ୍ଟ୍ ଜିତିଛନ୍ତି। ୨୦୧୯ ମସିହାରେ ସଫଳତମ ଭାରତୀୟ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିକ୍ରମ କରିଥିବା କୋହଲି ସେନା ଦେଶ ମଧ୍ୟରୁ ଇଂଲଣ୍ଡରେ ୩, ଅଷ୍ଟ୍ରେଲିଆରେ ୨ ଏବଂ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଟେଷ୍ଟ୍ ଜିତିଛନ୍ତି। ନ୍ୟୁଜିଲାଣ୍ଡରେ କିନ୍ତୁ ଖାତା ଖୋଲି ପାରିନାହାନ୍ତି। ତେବେ କୋହଲି ସେନା ସୋମବାର ଦ ଓଭାଲରେ ବିଜୟୀ ହୋଇ ଭାରତର ପ୍ରଥମ ଇଂଲିସ୍ ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି। ଭାରତ ୧୯୭୧ ମସିହାରେ ଇଂଲଣ୍ଡ ମାଟିରେ ପ୍ରଥମ ଟେଷ୍ଟ୍ ବିଜୟ ଏହି ଦ ଓଭାଲ୍ (ଲଣ୍ଡନ୍)ରେ ପାଇଥିଲା। ସେନା ଦେଶରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ଏବଂ ନୱାବ ପଟୌଦୀ ଜୁନିୟର୍ ୩ ଲେଖାଏଁ ଟେଷ୍ଟ୍ ଜିତିଥିବା ବେଳେ ବିଶନ ସିଂହ ଦେବୀ, କପିଳ ଦେବ, ରାହୁଲ ଦ୍ରାବିଡ଼, ଅଜିଙ୍କ୍ୟ ରାହାଣେ ୨ ଲେଖାଏଁ ଜିତିବାର ଗୌରବ ପାଇଛନ୍ତି। ରାହାଣେଙ୍କ ଦଳ ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ମେଲ୍ବର୍ଣ୍ଣ ଓ ବ୍ରିସବେନ୍ ଟେଷ୍ଟ୍ ଜିତି ୨-୧ରେ ଶୃଙ୍ଖଳା ଦୋହରାଇଥିଲା।
ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଭାରତ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗ ଏବଂ ୨୦୦୭ରେ ଇଂଲଣ୍ଡରେ ନଟିଂହାମ ଟେଷ୍ଟ୍ ଜିତିଥିଲେ। ବିଶନ ସିଂହ ବେଦୀଙ୍କ ଦଳ ୧୯୭୭-୭୮ରେ ଅଷ୍ଟ୍ରେଲିଆରେ ମେଲବର୍ଣ୍ଣ ଓ ସିଡନିରେ ବିଜୟୀ ହୋଇଥିଲେ ମଧ୍ୟ ୨-୩ରେ ଶୃଙ୍ଖଳା ହାରିଥିଲା। ମେଲବର୍ଣ୍ଣରେ ଭାରତ କିନ୍ତୁ ପ୍ରଥମ ଥର ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇଥିଲା। ନୱାବ ପଟୌଦୀ ଜୁନିୟର୍ ୧୯୬୭-୬୮ରେ ନ୍ୟୁଜିଲାଣ୍ଡରେ ୩ ଟେଷ୍ଟ୍ ବିଜୟ ସହ ଭାରତକୁ ୩-୧ରେ ଶୃଙ୍ଖଳା ସଫଳତା ଦେଇଥିଲେ। କପିଳ ଦେବଙ୍କ ଦଳ ୧୯୮୬ରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ୨-୦ରେ ଶୃଙ୍ଖଳା ବିଜୟୀ ହୋଇଥିଲା। ଧୋନିଙ୍କ ୩ ବିଜୟ ନ୍ୟୁଜିଲାଣ୍ଡ୍ (୧), ଦକ୍ଷିଣ ଆଫ୍ରିକା (୧) ଏବଂ ଇଂଲଣ୍ଡ (୧)ରେ ମିଳିଥିଲା। ମାହି ସେନା ୨୦୦୯ରେ ହାମିଲଟନ୍ରେ ୧୦ ୱିକେଟ, ୨୦୧୦ରେ କିଙ୍ଗ୍ସମିଡ୍ରେ ୮୭ ରନ୍ରେ ଏବଂ ଈଶାନ୍ତ ଶର୍ମାଙ୍କ ଚମତ୍କାର ସ୍ପେଲ୍ ବଳରେ ୨୦୧୪ରେ ଲର୍ଡସରେ ୯୫ ରନ୍ର ବିଜୟ ପାଇଥିଲା। କିନ୍ତୁ ଭାରତୀୟ ଦଳ ଏହି ଶୃଙ୍ଖଳା ୧-୩ରେ ହାରିଥିଲା। କୋହଲିଙ୍କ ୬ ବିଜୟ ଜୋହାନ୍ସବର୍ଗ (୨୦୧୮), ଟ୍ରେଣ୍ଟ୍ବ୍ରିଜ୍ (୨୦୧୮), ଆଡିଲେଡ୍ ଓ ମେଲବର୍ଣ୍ଣ (୨୦୧୮-୧୯) ଏବଂ ଲର୍ଡସ ଏବଂ ଦ ଓଭାଲ୍ (୨୦୨୧)ରୁ ମିଳିଛି।
ସୋମବାର ଭାରତ ଦ ଓଭାଲ୍ ଟେଷ୍ଟ୍ ବିଜୟ ପରେ ବିରାଟ କୋହଲି କହିଛନ୍ତି ଆମେ ଜିତିଥିବା ଟେଷ୍ଟ୍ ଦୁଇଟିରେ ଦଳର ଚରିତ୍ର ହିଁ ସବୁକିଛି ଦେଇଛି। ଉଭୟ ମ୍ୟାଚ୍ରେ ଆମେ ବଞ୍ଚିବାକୁ ଖେଳିନଥିଲୁ। ଆମ ବୋଲରଙ୍କ ଭିତରେ ବିଶ୍ବାସ ଥିଲା ୧୦ ୱିକେଟ୍ ନେବା ପାଇଁ। ବଲ୍ ରିଭର୍ସ ସୁଇଙ୍ଗ୍ କରିବା ମାତ୍ରେ ବୁମରା କହିଥିଲେ ମୋତେ ବଲ୍ ଦିଅ। ସେ ଚମତ୍କାର ସ୍ପେଲ୍ ବୋଲିଂ କରି ଦୁଇଟି ବଡ଼ ୱିକେଟ୍ (ଓଲି ପୋପ୍, ଜନି ବେୟାରଷ୍ଟୋ) ନେବା ମ୍ୟାଚ୍କୁ ଆମ ସପକ୍ଷରେ ଆଣିଥିଲା। ରୋହିତ ଶର୍ମାଙ୍କ ପାଳି ଚମତ୍କାର, ଶାର୍ଦୁଳ ଠାକୁରଙ୍କ ଅବଦାନ ଉଲ୍ଲେଖନୀୟ। ଶାର୍ଦୁଳଙ୍କ ଦୁଇ ଅର୍ଦ୍ଧଶତକ ଓ ବର୍ଣ୍ଣସ ଓ ରୁଟଙ୍କ ଦୁଇ ୱିକେଟ୍ ପ୍ରତିପକ୍ଷକୁ ଧରାଶାୟୀ କରିଥିଲା। ସେ କେବେ ସମୀକ୍ଷା, ସଂଖ୍ୟା କି ପରିସଂଖ୍ୟାନକୁ ଦେଖନ୍ତି ନାହିଁ’ ବୋଲି କୋହଲି ପ୍ରକାଶ କରିଛନ୍ତି।
ଓଭାଲ୍ରେ ବିରଳ ବିଜୟ, ରୋହିତଙ୍କ ପର୍ଫେକ୍ଟ ୮ ଶତକ
ଲଣ୍ଡନ୍: ଦ ଓଭାଲ ଟେଷ୍ଟରେ ଭାରତର ବିଜୟ ଏହି ପଡ଼ିଆରେ ଭାରତର ପ୍ରଥମ ଇଂଲିସ୍ ବିଜୟର ୫୦ ବର୍ଷ ପୂର୍ତ୍ତି ପାଳିଛି। ଇଂଲଣ୍ଡ ମାଟିରେ ଭାରତ ପ୍ରଥମ ଥର ପାଇଁ ୧୯୭୧ ମସିହାରେ ଦ ଓଭାଲରେ ବିଜୟ ଲାଭ କରିଥିଲା। ଏହି ଘଟଣାବୁହଳ ଟେଷ୍ଟ୍ରେ ପ୍ରଥମ ପାଳିରେ ୯୯ ରନ୍ ପଛୁଆ ରହିବା ଏବଂ ପ୍ରଥମ ପାଳିରେ ମାତ୍ର ୧୯୧ ରନ୍ କରିବା ପରେ ବିଜୟୀ ହେବା ସବୁଠାରୁ ଉଲ୍ଲେଖନୀୟ। ବିଦେଶ ମାଟିରେ ଭାରତ ଦ୍ବିତୀୟ ଥର ପାଇଁ ଗୋଟିଏ ପାଳିରେ ୨୦୦ରୁ ତଳକୁ ସ୍କୋର୍ କରି ମ୍ୟାଚ୍ ଜିତିଛି। ପ୍ରଥମ ଥର ପାଇଁ ଏଭଳି ଉଦାହରଣ ଭାରତ ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତରେ ହାସଲ କରିଥିଲା। ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବୋଲରମାନେ ଭାରତର ପ୍ରଥମ ପାଳିକୁ ୧୮୭ ରନ୍ରେ ରୋକିଥିଲେ ମଧ୍ୟ ବିରାଟ କୋହଲିଙ୍କ ଦଳ ବିଜୟୀ ହୋଇଥିଲା।
୨: ଦ ଓଭାଲରେ ଭାରତ ୧୪ ଥର ଖେଳି ଦ୍ବିତୀୟ ଥର ଜିତିଛି। ୧୯୭୧ ମସିହାରେ ଭାରତ ଏହି ପଡ଼ିଆରେ ପ୍ରଥମ ଥର ବିଜୟୀ ହୋଇ ଖାତା ଖୋଲିଥିଲା। ସେଥର ଭାରତ ୧୭୩ ରନ୍ ବିଜୟ ଲକ୍ଷ୍ୟକୁ ପଶ୍ଚାତଧାବନ କରି ୬ ୱିକେଟରେ ଜିତିଥିଲା। ୧୯୮୬ ମସିହାରେ ଭାରତ ଶେଷ ଥର ପାଇଁ ଇଂଲଣ୍ଡରେ ଏକାଧିକ ଟେଷ୍ଟ୍ ଜିତିଥିଲା। ସେଥର ଭାରତୀୟ ଦଳ ୨-୦ରେ ଶୃଙ୍ଖଳା ଜିତିଥିଲା। ସୋମବାର ମଧ୍ୟ କୋହଲି ଇଂଲଣ୍ଡରେ ସର୍ବାଧିକ ଟେଷ୍ଟ୍ ବିଜୟୀ ଅଧିନାୟକ ହୋଇଛନ୍ତି। ସେ କପିଳ ଦେବଙ୍କ ୧୯୮୬ କୀର୍ତ୍ତିମାନକୁ ପଛରେ ପକାଇଥିଲେ।
୯୯: ପ୍ରଥମ ପାଳିରେ ଭାରତ ୯୯ ରନ୍ ପଛରେ ପଡ଼ିଥିଲା। ୩ ଥର ଏହାଠାରୁ ଅଧିକ ରନ୍ ପଛୁଆ ରହି ଭାରତ ମ୍ୟାଚ୍ ଜିତିଥିଲା। ୨୦୦୧ରେ ଇଡେନ୍ ଗାର୍ଡେନ୍ସରେ ଅଷ୍ଟ୍ରେଲିଆଠୁ ୨୭୪ ରନ୍, ୧୯୮୧ରେ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆଠୁ ୧୮୨ ରନ୍ ଏବଂ ୧୯୭୬ରେ ୱେଷ୍ଟଇଣ୍ଡିଜ୍ଠୁ ୧୩୧ ରନ୍ ପଛରେ ପଡ଼ିଥିଲେ ମଧ୍ୟ ଭାରତ ବିଜୟୀ ହୋଇଥିଲା। ୨୦୦୪ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ସମାନ ୯୯ ରନ୍ ପଛରେ ପଡିଥିଲେ ମଧ୍ୟ ଭାରତ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ୯୯ କିମ୍ବା ଏହାଠୁ ଅଧିକ ଅଗ୍ରଣୀ ନେଇ ହାରିବାରେ ଷଷ୍ଠ ଉଦାହରଣ ଦେଖିବାକୁ ମିଳିଛି। ଏହା ମଧ୍ୟରୁ ଘରୋଇ ମାଟିରେ ଦୁଇଟି ୧୯୬୧ରେ ଅଷ୍ଟ୍ରେଲିଆଠାରୁ ମାଞ୍ଚେଷ୍ଟର୍ରେ ୧୭୭ ରନ୍ ଏବଂ ୨୦୧୪ରେ ଲିଡ୍ସରେ ଶ୍ରୀଲଙ୍କା ନିକଟରୁ ୧୦୮ ରନ୍ ଅଗ୍ରଣୀ ସତ୍ତ୍ବେ ଦଳକୁ ପରାଜୟ ମିଳିଥିଲା।
୮: ରୋହିତ ଶର୍ମା ଟେଷ୍ଟ୍ କ୍ରିକେଟ୍ରେ ୮ ଶତକ ମାରିଛନ୍ତି, ଭାରତ ପ୍ରତିଟି ମ୍ୟାଚ୍ ଜିତିଛି। ଏଭଳି କୌଣସି ଖେଳାଳି କରିପାରିନାହାନ୍ତି। ୫ରୁ ଅଧିକ ଶତକ ମାରି ସବୁଥର ଦଳକୁ ଜିତାଇବାରେ ସାମିଲ ଥିବା ୱାରୱିକ୍ ଆର୍ମଷ୍ଟ୍ରଙ୍ଗ୍ (୬) ଏବଂ ଡାରେନ୍ ଲିମ୍ୟାନ୍ (୫)ଙ୍କୁ ରୋହିତ ଶର୍ମା ପଛରେ ପକାଇଦେଇଛନ୍ତି।
୯: ଦ୍ବିତୀୟ ପାଳିର ୫ଟିକୁ ମିଶାଇ ଇଂଲଣ୍ଡ ଏହି ମ୍ୟାଚ୍ରେ ୯ଟି ବୋଲ୍ଡ ଆଉଟ୍ ଶିକାର ହୋଇଥିଲା। ଭାରତ ବିପକ୍ଷରେ ଏହା ଯୁଗ୍ମ ସର୍ବାଧିକ। ୧୯୯୪ରେ ଜର୍ଜଟାଉନ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦ ବୋଲ୍ଡ ପରେ ଏହା ଇଂଲଣ୍ଡ ପାଇଁ ସର୍ବାଧିକ।
୩: ଚଳିତ ଶୃଙ୍ଖଳାରେ ତୃତୀୟ ଥର ପାଇଁ ଏକ ଦଳ ଟସ୍ ଜିତି ମ୍ୟାଚ୍ ହାରିଲା। ଇଂଲଣ୍ଡରେ ଏହା ଯୁଗ୍ମ ସର୍ବାଧିକ। ଲର୍ଡସ ଓ ଓଭାଲରେ ଇଂଲଣ୍ଡ ଟସ୍ ଜିତି କ୍ଷେତ୍ରରକ୍ଷଣ କରି ମ୍ୟାଚ୍ ହାରିଥିବା ବେଳେ ଲିଡ୍ସରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରି ହାରିଥିଲା। ଶେଷ ଥର ପାଇଁ ଇଂଲଣ୍ଡ ଘରୋଇ ମାଟିରେ ୧୯୯୯ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୨ ଥର ଟସ୍ ଜିତି ମ୍ୟାଚ୍ ହାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/rahane-kohli.jpg)