ଦୁବାଇ : କୋଭିଡ୍-୧୯ ମହାମାରୀ ଜନିତ ବିରତି କାରଣରୁ କ୍ରିକେଟ୍ ଖେଳ ୬ ମାସ ହେବ ବନ୍ଦ ରହିଥିଲେ ମଧ୍ୟ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କୁ ଏହା ପ୍ରଭାବିତ କରିପାରିନାହିଁ। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ର ପ୍ରସ୍ତୁତି ଶିବିରରେ କୋହଲିଙ୍କ ବ୍ୟାଟିଂ ଅଭ୍ୟାସ ଦେଖିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ଦଳର ଷ୍ଟେଙ୍ଗଥ ଆଣ୍ଡ୍ କଣ୍ଡିସନିଂ କୋଚ୍ ଶଙ୍କର ବାସୁ। ୨୦୧୫ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଶଙ୍କର ମଧ୍ୟ ଭାରତୀୟ ଦଳ ପାଇଁ ସମାନ ଦାୟିତ୍ବରେ ଥିଲେ। କୋହଲି ଠିକଣା ରୂପ ତଥା ଉନ୍ନତ ଶୈଳୀ ସହ କ୍ରିକେଟକୁ ଫେରିଛନ୍ତି ବୋଲି ବାସୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତାଙ୍କ ଓଜନ ମଧ୍ୟ ଭଲ ରହିଛି ଏବଂ ଅତୀତରେ ତାଙ୍କ ଶରୀର ଯେଭଳି ଗତିଶୀଳ ହେଉଥିଲା ସେଭଳି ସ୍ଥିତିରେ ରହିଛି ବୋଲି କହିଥିଲେ ବାସୁ। ଗୃହାବଦ୍ଧ ସମୟରେ ସେ ଖାଦ୍ୟ ପ୍ରଣାଳୀ ସହିତ ଟ୍ରେଡ୍ମିଲ୍ ବ୍ୟବହାର କରୁଥିଲେ। ଅନ୍ୟ ଫିଟନେସ୍ ମନ୍ତ୍ର ମଧ୍ୟ ସେ ଭୁଲିନଥିଲେ। ସୂଚନାଯୋଗ୍ୟ, କୋହଲିଙ୍କ ଦଳ ଆର୍ସିବି ଏଥର ନିଜ ଆଇପିଏଲ୍ ଟ୍ରଫି ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ ରହିଛି। ଦଳ ନିଜର ପ୍ରଥମ ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ ସହିତ ସେପ୍ଟେମ୍ବର ୨୧ରେ ଖେଳି ଅଭିଯାନ ଆରମ୍ଭ କରିବ।
ସିଏସ୍କେ ଭିଡିଓରେ ଧୋନି ନାଚିଲେ, ଛକା ମାରିଲେ
ଦୁବାଇ : ଚେନ୍ନାଇ ସୁପର୍ କିଙ୍ଗ୍ସର ସଦ୍ୟତମ ଭିଡିଓରେ ମହେନ୍ଦ୍ର ସିଂହ ଧୋନିଙ୍କ ନାଚ ଓ ଛକା ଦେଖିବାକୁ ମିଳିଛି। ରିଲିଜ୍ ଅପେକ୍ଷାରେ ଥିବା ଏକ ନୂଆ ତାମିଳ ଚଳଚ୍ଚିତ୍ର ‘ମାଷ୍ଟର୍’ରେ ଥିବା ଏକ ଭଲ ସଂଗୀତ ‘ବତି କମିଂ’ ବାଜୁଥିବା ବେଳେ ଧୋନିଙ୍କୁ ଏଭଳି ରୂପରେ ଦେଖିବାକୁ ମିଳିଛି। ୩୧ ସେକେଣ୍ଡର ଏହି ଭିଡିଓରେ ଧୋନି ସାଥୀ ଖେଳାଳିଙ୍କ ସହ ଆଲୋଚନା ମଧ୍ୟ କରୁଥିଲେ। ୱିକେଟ ପଛପଟୁ ଥାଇ ନିର୍ଦେଶ ବି ଦେଉଥିବାରୁ ଦୃଶ୍ୟ ରହିଛି। ଗୁରୁ ଦିବସ ଅବସରରେ ସିଏସ୍କେ ନିଜ ଅଫିସିଆଲ୍ ଟ୍ବିଟର୍ ହ୍ୟାଣ୍ଡଲରେ ଏହି ଭିଡିଓ ଛାଡ଼ି ପ୍ରଶଂସକଙ୍କ ହୃଦୟ ଜିତିନେଇଛି। ଅନ୍ୟପକ୍ଷରେ ଧୋନି ଶୁକ୍ରବାର ବ୍ୟାଟିଂ ଅଭ୍ୟାସ କରିବା ବେଳେ ପୀୟୂଷ ଚାୱଲା, ରବୀନ୍ଦ୍ର ଜାଦେଜା ଏବଂ ସାର୍ଦୁଲ ଠାକୁରଙ୍କ ବିପକ୍ଷରେ ବି ଭଲ ସଟ୍ ମାରୁଥିଲେ। ଚାୱଲାଙ୍କ ଏକ ଝୁଲନ୍ତା ବଲକୁ ଧୋନି ଆଗକୁ ଆସି ତାଙ୍କ ମୁଣ୍ଡ ଉପରେ ଛକା ମାରିଥିଲେ। ସୂଚନାଯୋଗ୍ୟ, ୩ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ସେପ୍ଟେମ୍ବର ୧୯ ତାରିଖରେ ୪ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳି ଆଇପିଏଲ୍ ଅଭିଯାନ ଆରମ୍ଭ କରିବ।