୬୦ ଟେଷ୍ଟ୍ ନେତୃତ୍ବ, ଧୋନିଙ୍କଠୁ କୋହଲି ଉନ୍ନତ

ନୂଆଦିଲ୍ଲୀ: ଭାରତୀୟ ଦଳକୁ ୬୦ ଟେଷ୍ଟ୍‌ରେ ନେତୃତ୍ବ ଦେବା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ତୁଳନାରେ ବିରାଟ କୋହଲି ଉନ୍ନତ ପ୍ରମାଣିତ ହୋଇଛନ୍ତି। ତେବେ ସୀମିତ ଓଭର କ୍ରିକେଟ୍ କଥା ଆସିଲେ ଧୋନିଙ୍କ କୃତିତ୍ବକୁ କାଟିବା ଲାଗି କୋହଲିଙ୍କୁ ଅନେକ ବାଟ ଯିବାକୁ ଅଛି। ଆଉ ଦୁଇ ଦିନ ପରେ ଭାରତୀୟ ଟେଷ୍ଟ୍‌ ଦଳ ଇଂଲଣ୍ଡ ଗସ୍ତ କରିବ ଏବଂ ନ୍ୟୁଜିଲାଣ୍ଡ୍ ବିପକ୍ଷ ଡବୁଲ୍ୟଟିସି ଫାଇନାଲ୍ ସହିତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଏହା ପୂର୍ବରୁ ଭାରତୀୟ କ୍ରିକେଟର ଦୁଇ ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ନେତୃତ୍ବ ପରିସଂଖ୍ୟାନ ଉପରେ ନଜର ପକାଯାଇଛି। ଉଭୟ ସମାନ ୬୦ ଲେଖାଏଁ ଟେଷ୍ଟରେ ଭାରତର ନେତୃତ୍ବ‌ ନେଇଛନ୍ତି। ଯାହାକି ସର୍ବାଧିକ ନେତୃତ୍ବର ଏକ କୀର୍ତ୍ତିମାନ। ଇଂଲଣ୍ଡରେ ଏହାକୁ କୋହଲି ନିଜ ନାମରେ କରିନେବେ। ତେବେ ଏହି ୬୦ ମଧ୍ୟରୁ କୋହଲିଙ୍କ ଦଳ ୩୬ ଜିତିଥିବାବେଳେ ଧୋନି ବାହିନୀ ୨୭ ଜିତିଥିଲେ। ଉଭୟଙ୍କ ନେତୃତ୍ବରେ ଭାରତ ମଧ୍ୟ ଆଇସିସି ମାନ୍ୟତାରେ ଏକ ନମ୍ବର ଦଳର ମାନ୍ୟତା ଅର୍ଜନ କରିଛି।

ଭାରତୀୟ ଦଳର ୩ ନମ୍ବର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ନେତୃତ୍ବରେ କିନ୍ତୁ ଏସିଆ ବାହାର ଭଲ ରହିଛି। ବି‌ଶେଷ କରି ୨୦୧୮-୧୯ରେ ଅଷ୍ଟ୍ରେଲିଆ ଗସ୍ତରେ ସର୍ବପ୍ରଥମ ଟେଷ୍ଟ୍ ଶୃଙ୍ଖଳା ବିଜୟର କୀର୍ତ୍ତିମାନ ତାଙ୍କୁ ମହାନ କରି ଦେଇଛି। ଏଥିରେ ଉତ୍ସାହିତ ହୋଇ ୨୦୨୦-୨୧ରେ ମଧ୍ୟ ଅଜିଙ୍କ୍ୟ ରାହାଣେଙ୍କ ଦଳ ଅଷ୍ଟ୍ରେଲିଆ‌ରେ ଟେଷ୍ଟ୍ ଶୃଙ୍ଖଳା ବିଜୟ (୨-୧)କୁ ଦୋହରାଇ ଐତିହାସିକ ସଫଳତାର ପୁନରାବୃତ୍ତି କରିପାରିଥିଲେ। କୋହଲିଙ୍କ ଦଳ ୱେଷ୍ଟଇଣ୍ଡିଜ୍‌ରେ ୬ରୁ ୪ ବିଜୟ ପାଇଥିବାବେଳେ ଦକ୍ଷିଣ ଆଫ୍ରିକାରେ ୩ରୁ ୧, ଅଷ୍ଟ୍ରେଲିଆରେ ୭ରୁ ୨, ଇଂଲଣ୍ଡରେ ୫ରୁ ୧ ଟେଷ୍ଟ୍ ଜିତିଛି। ନ୍ୟୁଜିଲାଣ୍ଡରେ ଉଭୟ ଟେଷ୍ଟ୍ ହାରିଛି କୋହଲି ସେନା। ସେହି ତୁଳନାରେ ଦେଖିଲେ ଧୋନିଙ୍କ ଦଳ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡରେ ଗୋଟିଏ ଲେଖାଏଁ ଜିତିଛନ୍ତି। ଧୋନି ଦାୟିତ୍ବରେ ଥିବାବେଳେ ୨୦୧୧ରେ ଇଂଲଣ୍ଡ‌େ ଏବଂ ୨୦୧୧-୧୨ରେ ଅଷ୍ଟ୍ରେଲିଆରେ ୦-୪ ପରାଜୟର ଲଜ୍ଜା ମିଳିଥିଲା।

ତେବେ ସୀମିତ ଓଭର କ୍ରିକେଟ୍‌ କଥା ଆସିଲେ ଦୁଇ ଅଧିନାୟକଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେବ ରହିଛି। ଏହାକୁ ଅତୁଳନୀୟ କୁହାଯିବ।‌ ଧୋନିଙ୍କ ନେତୃତ୍ବରେ ଭାରତ ଆଇସିସିର ସମସ୍ତ ପ୍ରମୁଖ ଟ୍ରଫି ଜିତିଛି। ୨୦୦୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌, ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଏବଂ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟ ଦେଇଛନ୍ତି। ଭାରତୀୟ ଦଳ ଦାୟିତ୍ବକୁ ବାହାରି ଗଲେ ଧୋନି ମଧ୍ୟ ଚେନ୍ନାଇ ସୁପର୍‌ କିଙ୍ଗ୍ସ ନେତୃତ୍ବ ନେଇ ୩ ଥର ଆଇପିଏଲ୍‌, ଥରେ ଚାମ୍ପିଅନ୍ସ ଲିଗ୍‌ ବିଜେତା କରାଇଛନ୍ତି। କୋହଲିଙ୍କ ଆର୍‌ସିବିର ଆଇପିଏଲ୍‌ ବିଜୟ ଏବେ ବି ଅଧୁରା ରହିଛି। ସେହି ଦୃଷ୍ଟିରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ୍ ଭନ୍‌ ଧୋନିଙ୍କୁ ସବୁ ଫର୍ମାଟର ଉନ୍ନତ ଅଧିନାୟକ କହିଥାନ୍ତି। କୋହଲି କିନ୍ତୁ ଟେଷ୍ଟ୍ କ୍ରିକେଟରେ ସଫଳତା ଅର୍ଜନ କରି ଚାଲିଛନ୍ତି।

କୋହଲିଙ୍କ ନେତୃତ୍ବରେ ଭାରତ ୯୫ ଦିନିକିଆ ଖେଳି ୬୫ ଜିତିଛି, ୨୭ ହାରିଛି। ଗୋଟିଏ ଟାଇ ରହିଛି ଏବଂ ଦୁଇଟିରୁ ଫଳାଫଳ ମିଳିନାହିଁ। ଟ୍ବେଣ୍ଟି-୨୦ରେ ସେ ଦେଶକୁ ୪୫ ଥର ନେତୃତ୍ବ ଦେଇଛନ୍ତି। ୨୭ ଜିତି ୧୪ ହାରିଛନ୍ତି। ୨ ଲେଖା‌ଏଁ ଟାଇ ଓ ନିଷ୍ଫଳ ରହିଛି। ସେହି ତୁଳନାରେ ଧୋନି ୨୦୦ ଦିନିକିଆରେ ଭାରତର ନେତୃତ୍ବ ନେଇ ୧୧୦ ଜିତିଛନ୍ତି। ଏହା ମଧ୍ୟରେ ୭୪ ପରାଜୟ, ୫ ଟାଇ ଏବଂ ୧୧ ନିଷ୍ଫଳ ସାମିଲ ରହିଛି। ଟ୍ବେଣ୍ଟି-୨୦ରେ ଧୋନିଙ୍କ ଦଳ ୭୨ ମ୍ୟାଚ୍‌ରୁ ୪୧ ବିଜୟ, ୨୮ ପରାଜୟ,୧ ଟାଇ ଓ ୨ ନିଷ୍ଫଳରେ ସୀମିତ ରହିଛି। କୋହଲିଙ୍କ ତୁଳନାରେ ‌ଧୋନିଙ୍କ ବିଜୟ ପ୍ରତିଶତ ସେତେଟା ଉଲ୍ଲେଖନୀୟ ନାହିଁ କିନ୍ତୁ ବଡ଼ ଟ୍ରଫି ଜିତିବାରେ ଧୋନି ସମସ୍ତଙ୍କଠାରୁ ଆଗରେ।

ସମ୍ବନ୍ଧିତ ଖବର