ରୋହିତଙ୍କ ଅପେକ୍ଷା କୋହଲି ଭଲ, ସ୍ମିଥ୍‌ଙ୍କୁ ବୋଲିଂ କରିବା ସବୁଠୁ କଷ୍ଟକର ଥିଲା: ଆମିର

ଲଣ୍ଡନ: ସାଂପ୍ରତିକ କ୍ରିକେଟର୍‌ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି କିମ୍ବା ହିଟ୍ ମ୍ୟାନ୍ ରୋହିତ ଶର୍ମା ନୁହଁ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ଙ୍କୁ ବୋଲିଂ କରିବା ମୋ ପାଇଁ ସବୁଠାରୁ ବେଶି କଷ୍ଟକର ଥିଲା। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନୀର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର। ଶ୍ରେଷ୍ଠ ଫର୍ମରେ ଥିଲା ବେଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି କ୍ରିକେଟ୍ ଜଗତକୁ ଚକିତ କରି ଦେଇଥିବା ଆମିର କିନ୍ତୁ କୋହଲି ଓ ରୋହିତଙ୍କ ବ୍ୟାଟିଂ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ବିଶ୍ବସ୍ତରୀୟ ବୋଲି ବର୍ଣ୍ଣନା କରିଛନ୍ତି। ‌ନିଜକୁ କୋହଲିଙ୍କ ‘ଚାପରେ ଚମତ୍କାର ପ୍ରଦର୍ଶନ କରିବା’ ଦକ୍ଷତାର ବଡ଼ ପ୍ରଶଂସକ ବୋଲି କହି ତାଙ୍କ ସହ ହୋଇଥିବା କେତେକ କ୍ରିକେଟ୍ ଲଢ଼େଇକୁ ମନେ ପକାଇଛନ୍ତି ଆମିର ।

ଅନ୍ୟପକ୍ଷରେ କୋହଲିଙ୍କ ଅପେକ୍ଷା ରୋହିତଙ୍କୁ ବୋଲିଂ କରିବା ତାଙ୍କ ପାଇଁ ତୁଳନାତ୍ମକ ଭାବେ ସହଜ ଥିଲା ବୋଲି ସିଧାସିଧା କହିଛନ୍ତି। ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଆମିର ମତ ରଖିଛନ୍ତି ଯେ ଚଳିତ ପିଢ଼ିର ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ବୋଲିଂ କରିବା ସବୁଠୁ କଷ୍ଟକର। କାରଣ ତାଙ୍କ ବ୍ୟାଟିଂ ଶୈଳୀ ସମସ୍ତଙ୍କଠାରୁ ଭିନ୍ନ ଓ ଅଣପାରମ୍ପରିକ। ସେ ଯେଭଳି ଭାବେ ଛିଡ଼ା ହୁଅନ୍ତି ତାଙ୍କୁ ବୋଲିଂ କରିବା ସେଥିପାଇଁ କଷ୍ଟକର ହୋଇଯାଏ। ସ୍ମିଥ୍ ଚତୁରତାର ସହ ଅଫ୍ ଷ୍ଟମ୍ପ ବାହାର ବଲ୍‌କୁ ଛାଡ଼ି ଦିଅନ୍ତି। ପ୍ୟାଡ୍‌ରେ ମଧ୍ୟ ସେ ବେଶ୍ ଶକ୍ତିଶାଳୀ। ସେହିଭଳି କୋହଲି ସବୁ ଫର୍ମାଟରେ ନିଜକୁ ପ୍ରମାଣିତ କରିଛନ୍ତି। ସେଥିପାଇଁ ତାଙ୍କୁ କିଙ୍ଗ୍ କୋହଲି କୁହାଯାଇଥାଏ। ଚାପଯୁକ୍ତ ପରିସ୍ଥିତିରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସେ ପସନ୍ଦ କରନ୍ତି। ତାଙ୍କୁ ବୋଲିଂ କରିବାକୁ ମୁଁ ବହୁତ ଭଲପାଏ। କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ବୋଲିଂ କରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି ସ୍ପଷ୍ଟ କରିବାକୁ ଯାଇ ଆମିର ଆହୁରି କହିଥିଲେ ଯେ କୋହଲିଙ୍କୁ ବ୍ୟାଟିଂ କରିବା ଟିକିଏ ଆହ୍ବାନପୂର୍ଣ୍ଣ ଥିଲା। ଅନ୍ୟପକ୍ଷରେ ନିଜ ପାଳିର ପ୍ରଥମାର୍ଧରେ ଷ୍ଟମ୍ପ ଉପରେ ପଡ଼ି ବାହାରକୁ ଯାଉଥିବା ବଲ୍ ବିପକ୍ଷରେ ରୋହିତ ସଂଘର୍ଷ କରନ୍ତି। ଏହି ଦୁଇ ଜଣଙ୍କୁ ବୋଲିଂ କରିବା କିନ୍ତୁ ମୋ ପାଇଁ ‌ସେଭଳି କଷ୍ଟକର ନଥିଲା।

ବରଂ ରୋହିତଙ୍କୁ ବୋଲିଂ କରିବା ମୋ ପାଇଁ ସହଜ ଓ ସରଳ ଥିଲା। ମୁଁ ଭାବୁଛି ମୁଁ ତାଙ୍କୁ ଇନ ଓ ଆଉଟ୍ ସୁଇଂରେ ଆଉଟ୍ କରି ପାରିବି। ବାମହାତୀ ବୋଲରଙ୍କ ଇନସୁଇଂ ବୋଲିଂ ବିପକ୍ଷରେ ବି ସେ ସଂଘର୍ଷ କରନ୍ତି। ଥରେ ଜମିଗଲେ ରୋହିତ ଅବଶ୍ୟ ବଡ଼ ପାଳି ଖେଳି ପାରନ୍ତି। ସୂଚନାଯୋଗ୍ୟ ଯେ ପାକିସ୍ତାନ କ୍ରିକେଟ୍‌ର ଅନ୍ୟତମ ପ୍ରତିଭାବାନ ଦ୍ରୁତ ବୋଲର ଭାବେ ପରିଚିତ ଆମିର ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆଇସିସି ଦ୍ବାରା ବାସନ୍ଦ ହୋଇଥିଲେ। ବାସନ୍ଦ ଅବଧି ଶେଷ ହେବା ପରେ ପୁନର୍ବାର ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ଭଲ ପ୍ରଦର୍ଶନ କରିଥିଲେ। ତେବେ ଗତବର୍ଷ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଏହା ପରେ ପାକିସ୍ତାନ ଛାଡ଼ି ଲଣ୍ଡନରେ ରହିବା ଆରମ୍ଭ କରିଥିଲେ। ଏବେ ସପରିବାର ସେଠାରେ ସେ ବସବାସ କରୁଛନ୍ତି। ପାକିସ୍ତାନ ପକ୍ଷରୁ ସେ ୩୬ ଟେଷ୍ଟ୍, ୬୧ ଦିନିକିଆ ଓ ୫୦ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ସମ୍ବନ୍ଧିତ ଖବର