ସିଡ୍ନି: ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ୍ ହଗ୍ ନିଜ ପସନ୍ଦର 'ବର୍ତ୍ତମାନର ବିଶ୍ବ ଟେଷ୍ଟ୍ ଏକାଦଶ' ବାଛିଛନ୍ତି। ଏଥିରେ ସେ ଚାରି ଜଣ ଭାରତୀୟଙ୍କୁ ସ୍ଥାନ ଦେଇଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଭାରତୀୟ ଅଧିନାୟକ ବିରାଟ କୋହଲି କିମ୍ବା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରାଙ୍କୁ ନିଜ ଏକାଦଶରେ ସ୍ଥାନ ଦେଇନାହାନ୍ତି। ଯାହା ଉଭୟ କୋହଲି ଓ ପୂଜାରାଙ୍କ ପ୍ରଶଂସକଙ୍କୁ କ୍ଷୁବ୍ଧ କରିବା ସହ କ୍ରିକେଟ୍ ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଛି। ତେବେ ହଗ୍ ଏହାର କାରଣ ଭିଡିଓ ବାର୍ତ୍ତାରେ ଦର୍ଶାଇଛନ୍ତି। ୟୁ-ଟ୍ୟୁବ୍ ଚ୍ୟାନେଲରେ କୋହଲିଙ୍କୁ ନିଜ ଦଳରୁ ବାଦ୍ ଦେବାର କାରଣ ଉପରୁ ପରଦା ଉଠାଇବାକୁ ଯାଇ ସେ କହିଛନ୍ତି ଯେ ମୁଁ ଜାଣିଛି ସମସ୍ତେ ପଚାରିବେ ଯେ ଏହି ଦଳରେ କୋହଲି କାହିଁକି ନାହାନ୍ତି? ହେଲେ ଆପଣ ଯଦି କୋହଲିଙ୍କର ଗତ ୧୫ ଟେଷ୍ଟ୍ର ପ୍ରଦର୍ଶନକୁ ବିଶ୍ଲେଷଣ କରିବେ, ତାହାଲେ ଭଲ ଭାବରେ ଜାଣି ପାରିବେ ଯେ ସେଥିମଧ୍ୟରେ ସେ ମାତ୍ର ୪ ଥର ୩୧ ରନ୍ ଆଗକୁ ବଢ଼ିଛନ୍ତି। ସେଥିପାଇଁ ହିଁ କୋହଲି ମୋ ଦଳରେ ନାହାନ୍ତି। ସେହିଭଳି ମୋ ଦଳରେ ରୋହିତ ଶର୍ମା ଭାଗ୍ୟ ବଳରେ ସ୍ଥାନ ପାଇଛନ୍ତି।
ସେ ୯୦ରୁ ଅଧିକ ହାରରେ ରନ୍ କରିଛନ୍ତି। ତେବେ ଏହା କେବଳ ଭାରତରେ ଖେଳିଲା ବେଳେ। ତାଙ୍କ ବେପରୁଆ ଖେଳ କିନ୍ତୁ ମୋତେ ବହୁତ ଭଲ ଲାଗେ। ରୋହିତ ଉଭୟ ଅଫ ଓ ଲେଗ୍ ସାଇଡ୍ରେ ଭଲ ଖେଳନ୍ତି। ହଗ୍ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ୍ ଡି' କକ୍ଙ୍କୁ ଦଳର ଅଧିନାୟକ ଭାବେ ବାଛିଛନ୍ତି। ରୋହିତଙ୍କ ଛଡ଼ା ହଗ୍ଙ୍କ ଦଳରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ତଥା ଭାରତୀୟ ଟେଷ୍ଟ୍ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଦ୍ରୁତ ବୋଲର ମହମ୍ମଦ ସାମି। ପ୍ରାରମ୍ଭିକ ଯୋଡ଼ି ଭାବେ ହଗ୍ ଦୁଇ ଭାରତୀୟ ମୟଙ୍କ ଓ ରୋହିତଙ୍କୁ ନେଇଛନ୍ତି।
ଦଳ: ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ମାର୍ନସ ଲବୁସାନେ, ଷ୍ଟିଭେନ୍ ସ୍ମିଥ୍, ବାବର ଆଜମ, ଅଜିଙ୍କ୍ୟ ରାହାଣେ, କ୍ବିଣ୍ଟନ୍ ଡି' କକ୍ (ୱିକେଟ୍ ରକ୍ଷକ/ଅଧିନାୟକ), ପ୍ୟାଟ୍ କମିନ୍ସ, ମହମ୍ମଦ ସାମି, ନିଲ୍ ୱାଗନର, ନାଥନ ଲାୟନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/kohli-m7.jpg)