ଏଜିସ୍ ବାୱେଲକୁ ଦେଖି କୋହଲି ଉଲ୍ଲସିତ, ଆଜିଠୁ ଭାରତୀୟ ଦଳର ଅଭ୍ୟାସ

ସାଉଥମ୍ପଟନ୍: ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌କୁ ନେଇ ଭାରତୀୟ କ୍ରିକେଟ୍ ଦଳ ବେଶ୍ ଉତ୍ସାହିତ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍ ଜିତି ପାରିଲେ ଆଇସିସି ତରଫରୁ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିବ କୋହଲି ବାହିନୀ। କ‌ରୋନା ଭୟାବହତା ଭିତରେ ନିରପେକ୍ଷ ସ୍ଥାନରେ ଖେଳାଯିବା ଏହି ମୁକାବିଲାକୁ ଅଧିକ ମହତ୍ବପୂର୍ଣ୍ଣ କରିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଖେଳି ନ୍ୟୁଜିଲାଣ୍ଡ ଏହି ପ୍ରତୀକ୍ଷିତ ମ୍ୟାଚ୍ ଖେଳିବ।

ଅନ୍ୟପକ୍ଷରେ ଭାରତ ବିନା ଅଭ୍ୟାସ ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇବ। ଭାରତୀୟ ଖେଳାଳିମାନେ ମୁମ୍ବାଇରେ ୧୦ ଦିନ ଏବଂ ଇଂଲଣ୍ଡରେ ୮ ଦିନର ସଙ୍ଗରୋଧ ପରେ ଯାଇ ମୁଖ୍ୟ ପଡ଼ିଆକୁ ଓହ୍ଲାଇ ପିଚ୍ ଓ ଆଉଟ୍ ଫିଲ୍ଡକୁ ପରଖି ପାରିବେ। ଏବେ ସାଉଥମ୍ପଟନ୍‌ର ଏଜିସ ବାୱେଲ ବାଲକୋନିରୁ ଯାହା ପିଚ୍ ଓ ପଡ଼ିଆକୁ ଦେଖି ପାରୁଛନ୍ତି। ତଥାପି ପୂରା ଦଳ ଏବେ ବେଶ୍‌ ଉତ୍ସାହିତ ଅଛି। ଶୁକ୍ରବାର ଅଧିନାୟକ ବିରାଟ କୋହଲି ଏହି ସୁନ୍ଦର ଷ୍ଟାଡିୟମର ବାଲକୋନିରେ ରହି ପଛରେ ଥିବା ସବୁଜ ପଡ଼ିଆ ସହ ସେଲ୍‌ଫି ନେଇଥିଲେ। ଏହାକୁ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ବି ପ୍ରକାଶ କରିଥିଲେ। କଳା ଟି ସାର୍ଟ ପିନ୍ଧି କୋହଲି ଏଜିସ୍ ବାୱେଲକୁ ପାଖରୁ ଦେଖି ଢେର ଆନନ୍ଦିତ ଥିବା ଜଣାପଡ଼ୁଛି। କେବଳ କୋହଲି ନୁହଁ, ଯଶପ୍ରୀତ ବୁମ୍‌ରା ମଧ୍ୟ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଏଜିସ୍ ବାୱେଲ ପଡ଼ିଆର ଫଟୋ ପ୍ରକାଶ କରି ପ୍ରଶଂସକଙ୍କୁ ଏହାର ଝଲକ ଦେଖାଇ ସାରିଛନ୍ତି।

ଆଜିଠୁ ଭାରତୀୟ ଦଳର ଅଭ୍ୟାସ
ଜୁନ୍ ୧୮ ତାରିଖରୁ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବ ଟେ‌ଷ୍ଟ୍ ପ୍ରତିଯୋଗିତା ଫାଇନାଲ୍ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ରବିବାଠାରୁ ଅଭ୍ୟାସ ଆରମ୍ଭ କରିବ। ଗୁରୁବାର ସାଉଥାମ୍ପଟନ୍‌ରେ ପହଞ୍ଚିଥିବା ବିରାଟ କୋହଲିଙ୍କ ଦଳ ୩ ଦିନିଆ ସଙ୍ଗରୋଧ ପରେ ଏବେ ପ୍ରଥମ ଅଭ୍ୟାସ ଶିବିର ପାଇଁ ପ୍ରସ୍ତୁତ ହୋଇଛି। ସାଉଥାମ୍ପଟନ୍‌ର ଏଜିସ୍ ବାଉଲ୍‌ରେ ଅଭ୍ୟାସ ପାଇଁ ‘ପର‌୍‌ଫେକ୍ଟ ସେଟ୍ଅପ୍‌’ ରହିଛି ବୋଲି ବିସିସିଆଇ ଶନିବାର ଟ୍ବିଟ୍‌ କରିଛି। ତଥାପି ଭାରତୀୟ ଖେଳାଳିମାନେ ମୋଟ ୧୦ ଦିନିଆ ସଙ୍ଗରୋଧରେ ରହି ଏହି ଅଭ୍ୟାସ ଆରମ୍ଭ କରିବେ। ଏହା ପୂର୍ବରୁ ଭାରତୀୟ ଦଳ ମଧ୍ୟ ମୁମ୍ବାଇରେ ୧୪ ଦିନିଆ ସଙ୍ଗରୋଧ ଶେଷ କରି ଇଂଲଣ୍ଡ ଗସ୍ତ କରିଥିଲା।

ସମ୍ବନ୍ଧିତ ଖବର