କାନ୍ବେରା: ବୁଧବାର କାନ୍ବେରାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ବ କୀର୍ତ୍ତିମାନ ରଚିଛନ୍ତି। ତାଙ୍କ ୬୩ ରନ୍ର ଅର୍ଧଶତକୀୟ ପାଳି ଅବସରରେ କୋହଲି ଦିନିକିଆରେ ୧୨,୦୦୦ ରନ୍ ପୂରଣ କରିଛନ୍ତି। ଆଉ ଏକ୍ଷେତ୍ରରେ ସେ ଆନ୍ତର୍ଜାତିକ ଦିନିକିଆରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ୨୪୧ ପାଳି ଖେଳିଥିବା ୩୨ ବର୍ଷ ବୟସ୍କ କୋହଲିଙ୍କୁ ୧୨,୦୦୦ ରନ୍ ପୂରଣ କରିବା ପାଇଁ ମାତ୍ର ୨୩ ରନ୍ ଦରକାର ଥିଲା। ଯାହାକୁ କି ସେ ନିଜର ୨୪୨ତମ ପାଳି (୨୫୧ତମ ମ୍ୟାଚ୍)ରେ ହାସଲ କରିନେଲେ। ୨୦୦୮ରେ ପଦାର୍ପଣ କରିଥିବା କୋହଲି ୧୨,୦୦୦ ରନ୍ ପୂରଣ କରିବା ମଧ୍ୟରେ ୪୩ ଶତକ ଏବଂ ୬୦ ଅର୍ଧଶତକ ନିଜ ନାମରେ ରଖିଛନ୍ତି। ଏହି ଫର୍ମାଟ୍ରେ ତାଙ୍କ ହାରାହାରି ମଧ୍ୟ ୬୦ ପାଖାପାଖି ରହିଛି। ଫଳରେ ସବୁଠୁ କମ୍ ପାଳିରେ ୧୨,୦୦୦ ଦିନିକିଆ ଆନ୍ତର୍ଜାତିକ ରନ୍ କରିବାରେ ସେ କିଂବଦନ୍ତି ସଚିନ୍ ତେନ୍ଦୁଲକରଙ୍କ କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ତେନ୍ଦୁଲକର ୩୦୦ ପାଳିରେ ୧୨,୦୦୦ ରନ୍ ପୂରଣ କରି କୀର୍ତ୍ତିମାନକୁ ଏପର୍ଯ୍ୟନ୍ତ ଅତୁଟ ରଖିଥିଲେ। ସଚିନ୍ ୧୯୮୯ରୁ ୨୦୧୨ ମଧ୍ୟରେ ୪୬୩ ଦିନିକିଆ ମ୍ୟାଚ୍ ଖେଳି ୪୪.୮୩ ହାରରେ ମୋଟ ୧୮,୪୨୬ ରନ୍ କରିଥିଲେ। ଯେଉଁଥିରେ ତାଙ୍କର ୪୯ ଶତକ ଓ ୯୬ ଅର୍ଧଶତକ ସାମିଲ ରହିଛି। ତେବେ କୋହଲି ବୁଧବାର ମ୍ୟାଚ୍ରେ ୭୮ ବଲ୍ରୁ ୬୩ ରନ୍ କରି ଆଉଟ୍ ହୋଇଯିବାରୁ ସଚିନ୍ଙ୍କ ଏକ କୀର୍ତ୍ତିମାନ ସମକକ୍ଷ ହେବାରୁ ବଞ୍ଚିତ ହେଲେ। ସେ ୧୦୦ ରନ୍ କରିପାରିଥିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଭାବେ ସର୍ବାଧିକ ଶତକ ଜମାଇବାରେ ସଚିନ୍ (୯)ଙ୍କ ସମକକ୍ଷ ହୋଇଥା’ନ୍ତେ।
କାନ୍ବେରା: ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ୍ର ସବୁ ଫର୍ମାଟ୍ରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବର୍ଷ ବର୍ଷ ଧରି ନିଜକୁ ପ୍ରମାଣିତ କରିଆସୁଥିଲେ। ହେଲେ କରୋନା ମହାମାରି ୨୦୨୦ ବର୍ଷ ତାଙ୍କ ପାଇଁ ସେତେଟା ଭଲ ଯାଇନାହିଁ। କରୋନା ଯୋଗୁଁ ପ୍ରାୟ ୭ ମାସ ଧରି କ୍ରିକେଟ୍ ମ୍ୟାଚ୍ ବନ୍ଦ ରହିଥିଲା ବେଳେ କୋହଲିଙ୍କ ପାଇଁ ଶତକ ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଯାହାକି ୨୦୦୮ ପଦାର୍ପଣଠାରୁ ପ୍ରଥମ ଥର ପାଇଁ କୌଣସି ବର୍ଷ ଦିନିକିଆ ଶତକ ବିନା କୋହଲିଙ୍କୁ ବର୍ଷ ଶେଷ କରିବାକୁ ପଡ଼ିଛି। ଅବଶ୍ୟ କରୋନା ବାଧକ ଯୋଗୁଁ ଚଳିତ ବର୍ଷ କୋହଲି ମାତ୍ର ୯ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ଚଳିତ ବର୍ଷ ଦିନିକିଆରେ କୋହଲିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ୮୯ ରହିଛି। ସେହି ସମାନ ସ୍କୋର୍ ମଧ୍ୟ କୋହଲି ଚଳିତ ବର୍ଷ ଦୁଇ ଥର କରିଛନ୍ତି। ଆଉ ଉଭୟ ଥର ମଧ୍ୟ ସେ ଅଷ୍ଟ୍ରେଲିଆ ବିପକ୍ଷରେ ହିଁ କରିଛନ୍ତି। ଚଳିତ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ରେ ମଧ୍ୟ କୋହଲି ୮୯ ରନ୍ କରିଥିଲେ। ଏହି ଶୃଙ୍ଖଳା ଏବଂ କରୋନା ମହାମାରୀ ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରିରେ ଭାରତର ନ୍ୟୁଜିଲାଣ୍ଡ୍ ଗସ୍ତରେ କୋହଲି ଶେଷ ଦିନିକିଆ ଖେଳିଥିଲେ। ଦ୍ରୁତ ବୋଲର ଯଶପ୍ରୀତ ବୁମରା ମଧ୍ୟ ଚଳିତ ବର୍ଷର ଦିନିକିଆ କ୍ରିକେଟ୍ର ପ୍ରଥମ ପାୱାର ପ୍ଲେ’ରେ ୱିକେଟ୍ ଶୂନ୍ୟ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/virat-kohli.jpg)