କ୍ରିକେଟ୍‌ ଅଷ୍ଟ୍ରେଲିଆ ଶ୍ରେଷ୍ଠ ଟେଷ୍ଟ୍‌ ଏକାଦଶରେ କୋହଲି ନାହାନ୍ତି

ମେଲ୍‌ବର୍ଣ୍ଣ : କ୍ରିକେଟ୍‌ ଅଷ୍ଟ୍ରେଲିଆ ୨୦୨୧ ବର୍ଷ ପାଇଁ ତା’ର ଶ୍ରେଷ୍ଠ ଟେଷ୍ଟ୍‌ ଏକାଦଶ ଘୋଷଣା କରିଛି। ଏହି ଦଳରେ ଭାରତର ୪ ଜଣ ସ୍ଥାନ ପାଇଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରିନି। ୪ ଭାରତୀୟ ମଧ୍ୟରେ ରୋହିତ ଶର୍ମା, ଋଷଭ ପନ୍ତ୍‌, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ଅକ୍ଷର ପଟେଲ ସ୍ଥାନ ପାଇଥିଲା ବେଳେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେଙ୍କୁ ନେତୃତ୍ବ ଭ‌ାର ଅର୍ପଣ କରିଛି। କରୁଣାରତ୍ନେଙ୍କ ସହିତ ରୋହିତଙ୍କୁ ଓପ୍‌ନର ଭାବେ ବାଛିଛି। ରୋହିତ ୨୦୧୯ରୁ ଟେଷ୍ଟ୍‌ ଓପ୍‌ନର ଭାବେ ଖେଳିଆସୁଥିଲା ବେଳେ ନିଜର ପ୍ରଥମ ଟେଷ୍ଟ୍‌ ଶତକ ବିଦେଶ ମାଟିରେ ଜମାଇଛନ୍ତି।

ସେହିପରି କରୁଣାରତ୍ନେଙ୍କ ପାଇଁ ୨୦୨୧ ଅତ୍ୟନ୍ତ ଶୁଭ ଥିଲା। ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାକୁ ୨-୦‌ରେ ଜିତିଥିଲେ। ୨୦୨୧ରେ ସେ ୭ ଟେ‌ଷ୍ଟ୍‌ ଖେଳି ୬୯.୩୮ ହାରରେ ୯୦୨ ରନ୍‌ କରିଛନ୍ତି। ସେଥିରେ ୨୪୪ ରନ୍‌ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ରହିଛି। ରୋହିତ ଓ କରୁଣାରତ୍ନେଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ମାର୍ନସ ଲବୁସାନେ, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ ପାକିସ୍ତାନର ଫୱାଦ ଆଲାମଙ୍କୁ ମଧ୍ୟଭାଗ ଦାୟିତ୍ବ ମିଳିଛି। ପନ୍ତ୍‌ଙ୍କୁ ୨୦୨୧ର ସର୍ବଶ୍ରେଷ୍ଠ ୱିକେଟ୍‌ରକ୍ଷକ ମାନ୍ୟତା ଦେଇଥିଲା ବେଳେ ସ୍ପିନ୍‌ ବିଭାଗ ପାଇଁ ଉଭୟ ଅଶ୍ବିନ୍‌ ଓ ପଟେଲଙ୍କୁ ପସନ୍ଦ କରିଛି। ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ ପଦାର୍ପଣ କରିଥିବା ପଟେଲ ୫ ଥର ୫ ୱିକେଟ୍‌ ସଫଳତା ବଳରେ ମୋଟ ୩୬ ୱିକେଟ୍‌ କରାୟତ କରିଛନ୍ତି। ଅନ୍ୟପକ୍ଷରେ ଅଶ୍ବିନ୍‌ ୯ ଟେଷ୍ଟ୍‌ରୁ ୫୪ ୱିକେଟ୍‌ ଦଖଲ କରିଛନ୍ତି। ଅଶ୍ବିନ୍‌ ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ଚେପକ୍‌ରେ ଇଂଲଣ୍ଡ ବିପକ୍ଷରେ ଶତକ ଜମାଇଥିଲେ। ଶେଷରେ ଅଷ୍ଟ୍ରେଲିଆର କାଇଲ ଜାମିସନ୍‌, ପାକିସ୍ତାନର ହାସନ ଅଲ୍ଲୀ ଏବଂ ସାହିନ ସାହ ଆଫ୍ରିଦିଙ୍କୁ ବିଶେଷଜ୍ଞ ଦ୍ରୁତ ବୋଲର ଭାବେ ସାମିଲ କରିଛି।

ସମ୍ବନ୍ଧିତ ଖବର