ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ବିରାଟ କୋହଲି ନିଜର ବ୍ୟାଟିଂ ପ୍ରଦର୍ଶନ ବଳରେ ଅନେକ ପ୍ରଶଂସକ ଯୋଡ଼ିବା ସହ ବିଶ୍ବର ଜଣେ କିଂବଦନ୍ତି ଭାବେ ପରିଗଣିତ। ବୋଲର୍ଙ୍କୁ ଧୂଳି ଚଟାଉଥିବା କୋହଲି ଅନେକଙ୍କ ପ୍ରେରଣା ହୋଇଛନ୍ତି। ବ୍ୟାଟିଂ କରାମତି ତାଙ୍କୁ ବହୁ ଉପରକୁ ନେବା ସହ ବିଶ୍ବର ଲୋକପ୍ରିୟ ବ୍ୟକ୍ତିଙ୍କ ମଧ୍ୟରେ ରଖିଛି। କିନ୍ତୁ ବିରାଟ କୋହଲିଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି ବ୍ରାଜିଲ୍ର ଫୁଟ୍ବଲ୍ ମହାନ ରୋନାଲ୍ଡୋ। ଏକ ୟୁଟ୍ୟୁବ୍ ଆଲୋଚନା ବେଳେ ଉପସ୍ଥାପକ ରୋନାଲ୍ଡୋଙ୍କୁ ପଚାରିଥିଲେ ଆପଣ ବିରାଟ କୋହଲିଙ୍କୁ ଜାଣନ୍ତି? ଏହାର ଉତ୍ତରରେ ରୋନାଲ୍ଡୋ କହିଥିଲେ, ସେ କିଏ ?
ଏହା ପରେ ଉପସ୍ଥାପକ ଜଣକ କହିଥିଲେ, ବିରାଟ କୋହଲି ଭାରତର। ରୋନାଲ୍ଡୋ କହିଲେ, ନାଁ। ଘୋଷକ ପୁଣି ପଚାରିଲେ, ଆପଣ ବିରାଟ କୋହଲିଙ୍କୁ ଜାଣନ୍ତି ନି? ରୋନାଲ୍ଡୋ କହିଲେ, ସେ କିଏ? ଜଣେ ଖେଳାଳି କି? ଉପସ୍ଥାପକ କହିଲେ, ସେ ଜଣେ କ୍ରିକେଟ୍ ଖେଳାଳି। ରୋନାଲ୍ଡୋ କହିଲେ ସେ ଏଠାରେ ଲୋକପ୍ରିୟ ନୁହନ୍ତି। ବିରାଟ କୋହଲିଙ୍କ ଫଟୋ ଦେଖାଇ କହିଲେ, ସେ ଶ୍ରେଷ୍ଠ, ବାବର ଆଜମଙ୍କ ଭଳି। ଆପଣ ତାଙ୍କୁ କେବେ ଦେଖିନାହାନ୍ତି। ରୋନାଲ୍ଡୋ କହିଲେ, ନା।