ଅହମଦାବାଦ: ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ୍ ଅବସରରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିବାର ଦ୍ବାର ଦେଶରେ ପହଞ୍ଚିଯାଇଛନ୍ତି। ଏହା ଟେଷ୍ଟ୍ ଅଧିନାୟକ ଭାବେ କୋହଲିଙ୍କ ପାଇଁ ୬୦ତମ ମ୍ୟାଚ୍। ଏ କ୍ଷେତ୍ରରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହେବେ। ଅଧିନାୟକ ଭାବେ ମଧ୍ୟ ୧୨,୦୦୦ ଅନ୍ତର୍ଜାତୀୟ ରନ୍ଠାରୁ କୋହଲି ୧୭ ରନ୍ ଦୂରରେ ରହିଛନ୍ତି। କୋହଲିଙ୍କ ପୂର୍ବରୁ ଏହି ମାଇଲଖୁଣ୍ଟ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଏବଂ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଛୁଇଁ ପାରିଥିଲେ। ନେତୃତ୍ବ ନେବା ବେଳେ ପଣ୍ଟିଂ ୧୫,୪୦୦ ଏବଂ ସ୍ମିଥ୍ ୧୪,୮୭୮ ରନ୍ କରିଥିଲେ। ଆଉ ଏକ କୀର୍ତ୍ତିମାନ ହେଉଛି ଅଧିନାୟକ ଭାବେ ଶତକ ହାସଲ କରିବାରେ ସେ ଗୋଟିଏ ଦୂରରେ ରହିଛନ୍ତି। କୋହଲିଙ୍କ ନାମରେ ମୋଟ ୭୦ ଅନ୍ତର୍ଜାତୀୟ ଶତକ (ଟେଷ୍ଟ୍-୨୭, ଦିନିକିଆ-୪୩) ରହିଥିଲେ ମଧ୍ୟ ଅଧିନାୟକ ଭାବେ ଏହା ୪୧ ରହିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଧିନାୟକ ଭାବେ କୋହଲି ନିଜ ୪୨ତମ ଅନ୍ତର୍ଜାତୀୟ ଶତକ ହାସଲ ଲକ୍ଷ୍ୟରେ ସଫଳ ହେଲେ ରିକି ପଣ୍ଟିଂଙ୍କୁ ପଛରେ ପକାଇବେ। ଭାରତ ଏହି ଟେଷ୍ଟ୍ ଜିତିଲେ କୋହଲି ମଧ୍ୟ କ୍ଲାଇଭ୍ ଲୟଡଙ୍କ ୩୬ ଟେଷ୍ଟ୍ ବିଜୟର ସମକକ୍ଷ ହେବେ। ଟେଷ୍ଟ୍ ଅଧିନାୟକଙ୍କ ସଫଳ ତାଲିକାରେ ଚତୁର୍ଥରେ ପହଞ୍ଚିବେ। ଚଳିତ ଶୃଙ୍ଖଳାରେ ଶତକ ହାସଲ କରିନଥିବା କୋହଲି ଏବେ ଅଗ୍ରଣୀ ରନ୍ ତାଲିକାରେ ଜୋ ରୁଟ, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନଙ୍କ ପଛକୁ ଚତୁର୍ଥରେ ରହିଛନ୍ତି। ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦୁଇ ଟେଷ୍ଟରେ ସେ ୨ ଅର୍ଦ୍ଧଶତକ ହାସଲ କରିଥିଲେ।
ଦୀର୍ଘ ଦେଢ଼ ବର୍ଷ ହେବ ବିରାଟ କୋହଲିଙ୍କ ବ୍ୟାଟ୍ରୁ ଶତକ ମିଳିନାହିଁ। ମଙ୍ଗଳବାର କିନ୍ତୁ ସେ ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଶତକ ମାରିଛନ୍ତି। ଏହି ପ୍ଲାଟ୍ଫର୍ମରେ ୧ ନିୟୁତ ଅନୁଗାମୀ ସଂଖ୍ୟା ଅତିକ୍ରମ କରିବାରେ କୋହଲି ବିଶ୍ବର ପ୍ରଥମ କ୍ରିକେଟର୍ ହୋଇଛନ୍ତି। ୩୨ ବର୍ଷୀୟ କୋହଲି ଏସିଆ ପାସିଫିକ୍ ଅଞ୍ଚଳର ପ୍ରଥମ ବ୍ୟକ୍ତି ଭାବେ ମଧ୍ୟ ଏହି କୃତିତ୍ବ ଅର୍ଜନ କରିଛନ୍ତି। ଏହି ଖବରକୁ ପ୍ରଥମେ ଆଇସିସି ଟ୍ବିଟ୍ କରି କୋହଲିଙ୍କୁ ଅଭିନନ୍ଦନ ଜଣାଇଛି। ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ମଧ୍ୟ କ୍ରୀଡ଼ାବିତଙ୍କ ମଧ୍ୟରେ କୋହଲିଙ୍କର ଚତୁର୍ଥ ସର୍ବାଧିକ ପ୍ରଶଂସକ ରହିଛନ୍ତି। ପର୍ତ୍ତୁଗାଲ୍ ଫୁଟ୍ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ (୨୬୫ ନିୟୁତ), ଆର୍ଜେଣ୍ଟିନା ଅଧିନାୟକ ତଥା ଏଫ୍ସି ବାର୍ସିଲୋନୋ କିଂବଦନ୍ତି ଲିଓନେଲ୍ ମେସି (୧୮୬ ନିୟୁତ) ଏବଂ ବ୍ରାଜିଲ୍ ତାରକା ନେମାର (୧୪୭ ନିୟୁତ) ପ୍ରଥମ ୩ ସ୍ଥାନରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/d564hjd65g4j6d5g4jd6g4j654.jpg)
