କୋହଲି ଆମ ତୃତୀୟ ଓପନର୍‌: ରୋହିତ

ବିଶ୍ବକପ୍‌ରେ ରୋହିତ-ରାହୁଲ ପାଳି ଆରମ୍ଭ କରିବେ

ମୋହାଲି: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କେଏଲ୍ ରାହୁଲ୍ ଏବଂ ରୋହିତ ଶର୍ମା ଭାରତ ପାଇଁ ପାଳି ଆରମ୍ଭ କରିବେ। ଏହା ସ୍ପଷ୍ଟ କରିଛନ୍ତି ନିଜେ ଅଧିନାୟକ ରୋହିତ ଶର୍ମା। ବିରାଟ କୋହଲି ଗତ ଏସିଆ କପ୍‌ରେ ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ସୁପର୍ ଫୋର୍ ମ୍ୟାଚ୍‌ରେ ପାଳି ଆରମ୍ଭ କରି ବହୁ ପ୍ରତୀକ୍ଷିତ ଶତକ ମାରିବା ପରେ ଉଠିଥିବା ବିତର୍କର ଅବସାନ ଘଟାଇଛନ୍ତି ରୋହିତ। କୋହଲି ପାଳି ଆରମ୍ଭ କରିବା ଉଚିତ୍ ବୋଲି କିଛି ମତ ଉଠିବା ପରେ ରୋହିତ କହିଛନ୍ତି, ‘କୋହଲି ନିଶ୍ଚିତ ବିକଳ୍ପ। ସେ ଶୀର୍ଷକ୍ରମରେ ହିଁ ଖେଳିବେ। ରାହୁଲ ଭାଇ (ଦ୍ରାବିଡ) ଓ ମୁଁ ଆଲୋଚନା କରିଛୁ। ବିରାଟ ଆମ ତୃତୀୟ ଓପନର୍‌ ହୋଇଥିବାରୁ କିଛି ମ୍ୟାଚ୍‌ରେ ସେ ପାଳି ଆରମ୍ଭ କରିବେ।

ଗତ ମ୍ୟାଚ୍‌ରେ ସେ ପାଳି ଆରମ୍ଭ କରି ଭଲ ଖେଳିଥିବାରୁ ଆମେ ଖୁସି ଅଛୁ। ବିଶ୍ବକପ୍‌ରେ କିନ୍ତୁ ରାହୁଲ ଓ ମୁଁ ପାଳି ଆରମ୍ଭ କରିବୁ। ଏ ସମ୍ପର୍କରେ ବହୁ ପରୀକ୍ଷା ନିରୀକ୍ଷା କରିସାରିଛୁ, ଆଉ ଅଧିକ ନୁହେଁ। ରାହୁଲ ଦଳର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ବିଗତ ୨/୩ ବର୍ଷ ହେବ ସେ ଭଲ ଖେଳି ଆସିଛନ୍ତି। ତେଣୁ ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ।’ ବିଶ୍ବକପ୍‌ ପାଇଁ ଆମେ କାହାରିକୁ ତୃତୀୟ ଓପନର୍‌ ଭାବେ ‌‌‌ବାଛିନାହୁଁ, ତେଣୁ କୋହଲି ଆବଶ୍ୟକ ପଡ଼ିଲେ ଏହି ଦାୟିତ୍ବ ତୁଲାଇବେ ବୋଲି ରୋହିତ ପ୍ରକାଶ କରିଥିଲେ। ବୋଲିଂ ବିଭାଗକୁ ଯଶପ୍ରୀତ୍ ବୁମରା ଓ ହର୍ଷଲ ପଟେଲଙ୍କ ପ୍ରତ୍ୟାବର୍ତନ ନେଇ ରୋହିତ ସନ୍ତୋଷ ପ୍ରକଟ କରିଥ‌‌ିଲେ। ବିଶ୍ବକପ୍‌କୁ ଆମେ ନିର୍ଦ୍ଦିଷ୍ଟ ଦିଶାର ବୋଲରଙ୍କୁ ନ ନେଇ ବିବିଧତା ଭରିବାକୁ ଚେଷ୍ଟା କରିଛୁ। ପେସ୍‌ ଓ ସ୍ପିନ୍‌ର ବିବିଧତା ରହିଛି। ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ୍ ନିଶ୍ଚିତ ଦଳକୁ ଆତ୍ମବିଶ୍ବାସ ଦେଇଛନ୍ତି। ସେ ସର୍ବଦା ଆମ ଯୋଜନାରେ ରହିଥା’ନ୍ତି। ଦଳର ଆକ୍ରମଣାତ୍ମକ ବ୍ୟାଟିଂ ଆଭିମୁଖ୍ୟ ଜାରି ରହିବ ବୋଲି ମଧ୍ୟ ରୋହିତ ସ୍ପଷ୍ଟ କରିଥିଲେ। ଖେଳାଳିମାନେ ଭଲ ଭାବେ ଜାଣିଛନ୍ତି ୧୦/୩ ବେଳେ କିଭଳି ବ୍ୟାଟିଂ କରିବାକୁ ହେବ, ଏପରିକି ୫୦/୦ରେ କିଭଳି ବ୍ୟାଟିଂ କରିବାକୁ ପଡ଼ିବ। ଏ ସମ୍ପର୍କରେ ଢେର ଆଲୋଚନା ହୋଇସାରିଛି। କେବଳ ପଡ଼ିଆକୁ ଯାଇ କାର୍ଯ୍ୟକାରୀ କରିବାର ଅଛି’ ବୋଲି ରୋହିତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର