କୋହଲି ସବୁ ଫର୍ମାଟ୍‌ରେ ଶ୍ରେଷ୍ଠ: ଚାପେଲ

ସିଡ୍‌ନି: ବିଶ୍ବ କ୍ରିକେଟ୍‌ରେ ସଂପ୍ରତି କିଏ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ? ଏହି ବିତର୍କ ଢେର କିଛି ଦିନ ହେବ ଲାଗି ରହିଛି। ବିଶେଷ କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଅଧିକ ତୁଳନା ହେଉଛି। କିଏ କୋହଲିଙ୍କୁ ଶ୍ରେଷ୍ଠ କହୁଛି ତ କିଏ ସ୍ମିଥଙ୍କ ସପକ୍ଷରେ ମତ ଦେଉଛି। ଅଧିକାଂଶ ସ୍ମିଥଙ୍କୁ ଶ୍ରେଷ୍ଠ ଟେଷ୍ଟ୍ ବ୍ୟାଟ୍ସମ୍ୟାନର ମାନ୍ୟତା ଦେଉଥିଲା ବେଳେ ଅନ୍ୟମାନେ କୋହଲିଙ୍କୁ ସୀମିତ ଓଭର କ୍ରିକେଟ୍‌ର ସବୁଠାରୁ ଭଲ ଖେଳାଳି ବୋଲି କହୁଛନ୍ତି। ହେଲେ ଅଷ୍ଟ୍ରେଲିଆ କ୍ରିକେଟ୍‌ର କିଂବଦନ୍ତି ପୁରୁଷ ଇଆନ ଚାପେଲ କୋହଲି ହିଁ ସଂପ୍ରତି ସବୁ ଫର୍ମାଟ ଅର୍ଥାତ୍ ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦ର ଭଲ ଖେଳାଳି ବୋଲି ମତ ଦେଇଛନ୍ତି।

ଭାରତ ପାଖରେ ଏବେ କିଛି ବହୁତ ଭଲ ଖେଳାଳି ଅଛନ୍ତି। ସଂପ୍ରତି ସବୁ ଫର୍ମାଟ୍‌ର କିଏ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବୋଲି ମୋତେ ନିକଟରେ ପ୍ରଶ୍ନ ହୋଇଥିଲା, ମୁଁ ଏହାର ଉତ୍ତର ‘ବିରାଟ କୋହଲି’ ଦେଇଥିଲି, ସେହି ଉତ୍ତରରେ ମୁଁ ଆଜି ବି କାୟମ ରହିଛି ବୋଲି ଚାପେଲ କହିଛନ୍ତି। ତିନିଟି ଯାକ ଫର୍ମାଟରେ କୋହଲି ଅତୁଳନୀୟ କୀର୍ତ୍ତିମାନ କରିଛନ୍ତି। ଟେଷ୍ଟ୍‌ରେ ତାଙ୍କ ରନ୍ ସଂଗ୍ରହ ହାର ହେଉଛି ୫୦, ଯାହା ଏକ ଚମତ୍କାର ଉପଲବ୍ଧି। ମୋ ମତରେ କୋହଲି ହିଁ ସବୁ ଫର୍ମାଟର ଶ୍ରେଷ୍ଠ ଖେଳାଳି। ତାଙ୍କ ଛଡ଼ା ଆଉ କାହାକୁ ବାଛି ହେବନି ବୋଲି ଚାପେଲ କହିଥିଲେ।

ସମ୍ବନ୍ଧିତ ଖବର