ମୁଁ ଦେଖିଥିବା ଖେଳାଳିଙ୍କ ମଧ୍ୟ‌ରେ କୋହଲି ଶ୍ରେଷ୍ଠ: ଲାଙ୍ଗର

ମେଲ୍‌ବର୍ନ : ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍‌ ଲାଙ୍ଗର। ମୋ ଜୀବନକାଳରେ ଦେଖିଥିବା ଖେଳାଳିଙ୍କ ମଧ୍ୟରେ କୋହଲି ବାସ୍ତବରେ ଶ୍ରେଷ୍ଠ ବୋଲି ଲାଙ୍ଗର ଅଭିହିତ କରିଛନ୍ତି। କେବଳ ବ୍ୟାଟିଂ ନୁହେଁ ତାଙ୍କର ଶକ୍ତି ଓ କ୍ରିକେଟ୍‌ ପ୍ରତି ନିଶା ସାଙ୍ଗକୁ ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ହିଁ ତାଙ୍କୁ ଶ୍ରେଷ୍ଠ କ୍ରିକେଟର୍‌ କରିଛି ବୋଲି ଶୁକବାର ଏକ ଭିଡିଓ କନ୍‌ଫରେନ୍ସରେ ଗଣମାଧ୍ୟମକୁ କହିଛନ୍ତି ଲାଙ୍ଗର। ମୋର ତାଙ୍କ ପ୍ରତି ଗଭୀର ସମ୍ମାନ ରହିଛି। ପିତୃତ୍ବ ଲାଭ ପାଇଁ ଟେଷ୍ଟ୍‌ ଶୃଙ୍ଖଳାରୁ ସ୍ବଦେଶ ଫେରିବାର ତାଙ୍କ ନିଷ୍ପତ୍ତିକୁ ମଧ୍ୟ ମୁଁ ସମ୍ମାନ ଜଣାଉଛି ବୋଲି ଲାଙ୍ଗର କହିଛନ୍ତି। ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରିରେ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଥିବାରୁ କୋହଲି କେବଳ ପ୍ରଥମ ଟେଷ୍ଟ୍‌ ଖେଳି ଭାରତ ଫେରିଯିବେ। ଅବଶିଷ୍ଟ ୩ ଟେଷ୍ଟ୍‌ରୁ ବଞ୍ଚିତ ହେବେ। ତେବେ ସେ ସୀମିତ ଓଭର ଶୃଙ୍ଖଳା (୩ ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍‌)ରେ ଖେଳିବେ। ସେହି କୋହଲିଙ୍କ ଅନୁପସ୍ଥିତି ଆଗାମୀ ଟେଷ୍ଟ୍‌ ଶୃଙ୍ଖଳା ଉପରେ ପ୍ରଭାବ ପକାଇବ ବୋଲି ମଧ୍ୟ ଲାଙ୍ଗର କହିଛନ୍ତି। ସମସ୍ତଙ୍କ ଭଳି ସେ ମଧ୍ୟ ମଣିଷ। ସନ୍ତାନ ଜନ୍ମ ସମୟରେ ପତ୍ନୀଙ୍କ ସହ ରହିବ‌ା ଏକ ଗୁରୁଦାୟିତ୍ବ। ଯେଉଁଥିପାଇଁ ମୁଁ ମଧ୍ୟ ଯେକୌଣସି ଖେଳାଳିଙ୍କୁ ଏଭଳି ସମୟରେ ବିରତି ନେବାକୁ ରୋକେନାହିଁ ବୋଲି ଲାଙ୍ଗର କହିଛନ୍ତି। କୋହଲିଙ୍କ ଅନୁପସ୍ଥିତି ଟେଷ୍ଟ୍‌ ଶୃଙ୍ଖଳାକୁ ପ୍ରଭାବିତ କରିବାର ଆଶଙ୍କା ରହିଥିଲେ ମଧ୍ୟ ଆମେ କଦାପି ଭାରତକୁ ହେୟ ମଣିବୁନି। କାରଣ ଆମେ ଭଲ ଭାବେ ଅବଗତ ଅଛୁ ଯେ ଭାରତ ଆମକୁ ଗତ ଗସ୍ତରେ ପରାସ୍ତ କରିଥିଲା। ସେମାନେ ଏକ ଅତି ଭଲ ଦଳ। କୋହଲିଙ୍କ ଉପସ୍ଥିତ ହେଉ ବା ଅନୁପସ୍ଥିତି ଭାରତ କଦାପି ପ୍ରତିପକ୍ଷ ନିକଟରେ ହାର୍‌ମାନିବାକୁ ପସନ୍ଦ କରେନି ବୋଲି ଲାଙ୍ଗର କହିଛନ୍ତି।

ପା‌ଳି ଆରମ୍ଭ ଲାଗି ବର୍ନସଙ୍କୁ ସମର୍ଥନ
ଗୁରୁବାର ଘୋଷିତ ଅଷ୍ଟ୍ରେଲିଆ ଦଳରେ ଭଲ ଫର୍ମରେ ଥିବା ନବାଗତ ବ୍ୟାଟ୍ସମ୍ୟାନ୍‌ ୱିଲ୍‌ ପୋକୋସ୍କିଙ୍କୁ ସ୍ଥାନ ମିଳିଥିଲା। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ଚଳିତ ଋତୁରେ ଦୁଇଟି ଦ୍ବିଶତକ ହାସଲ କରିଥିଲେ। କିନ୍ତୁ ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଖେଳାଯିବାକୁ ଥିବା ଭାରତ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ରେ ପାଳି ଆରମ୍ଭ କରିବା ଲାଗି ଜୋ ବର୍ନସଙ୍କୁ ମୁଖ୍ୟ ପ୍ରଶିକ୍ଷକ ଲାଙ୍ଗର ପୂର୍ଣ୍ଣ ସମର୍ଥନ କରିଛନ୍ତି। ‘ପୋକୋସ୍କି ସଂପ୍ରତି ଭଲ ଫର୍ମରେ ରହିଛନ୍ତି ଏବଂ ସେ ପ୍ରଥମ ଟେଷ୍ଟ୍‌ରେ ଖେଳିବା ସମ୍ଭାବନା ରହିଛି। ତାହାର ଅର୍ଥ ନୁହେଁ ‌ଯେ ଆମେ ପୁରୁଣା ଖେଳାଳିଙ୍କ ଉପରେ ଧ୍ୟାନ‌ ଦେବୁନି। ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବା ଭାବନା ଯୋଗୁଁ ଅଷ୍ଟ୍ରେଲିଆ ସଫଳତା ପାଉଛି ବୋଲି ଲାଙ୍ଗର କହିଛନ୍ତି। ଗତ ଟେଷ୍ଟ୍‌ରେ ଆମେ ଜୋ ବର୍ନସ ଓ ଡେଭିଡ ୱାର୍ନରଙ୍କ ଓପନିଂ ଯୋଡ଼ିକୁ ନେଇ ସଫଳ ହୋଇଥିଲୁ। ଏଥିପାଇଁ ସମାନ ଯୋଡ଼ି ଭାରତ ବିପକ୍ଷରେ ପାଳି ଆରମ୍ଭ କରିବେ ବୋଲି ଲାଙ୍ଗର କହିଛନ୍ତି।

ଅନୁପସ୍ଥିତି ପ୍ରଭାବ ପକାଇବନି: ଲାୟନ
ମେଲ୍‌ବର୍ନ : ପିତୃତ୍ବ ଲାଭ ଲାଗି ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋହଲି ଫେରିବା ପରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିର ଅବଶିଷ୍ଟ ୩ ଟେଷ୍ଟ୍‌ ଖେଳିବ। କୋହଲି ବିଶ୍ବର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ତେଣୁ ତାଙ୍କ ଅନୁପସ୍ଥିତି ନିଶ୍ଚିତ ଅନୁଭବ ହେବ। ହେଲେ ଶୃଙ୍ଖଳା ଜିତିବା ଅଷ୍ଟ୍ରେଲିଆ ପାଇଁ ‌ସହଜ ହେବନି। କାରଣ ଭାରତୀୟ ଦଳରେ କୋହଲିଙ୍କ ବ୍ୟତୀତ ଆହୁରି ଅନେକ ‘ସୁପର‌ଷ୍ଟାର’ ରହିଛନ୍ତି ବୋଲି ଅଷ୍ଟ୍ରେଲିଆର ପୁରୁଖା ସ୍ପିନର ନାଥନ ଲାୟନ ପ୍ରକାଶ କହିଛନ୍ତି। ଦେଖନ୍ତୁ ଭାରତୀୟ ଦଳରେ ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି। ଏମାନେ ହିଁ ଆମ ପାଇଁ ଆହ୍ବାନ ଆଣିବେ। କୋହଲି ନାହାନ୍ତି ବୋଲି ଆମେ ଟ୍ରଫି ବଜାୟ ରଖିବା କଥା ଭାବିବା ଭୁଲ୍‌ ହେବ। ଏଥିପାଇଁ ଆମକୁ କଠିନ ପରିଶ୍ରମ ସହ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ଲାୟନ କହିଛନ୍ତି। ଏହି ଗସ୍ତରେ ଭାରତ ୩ ଲେଖାଏଁ ‌ଦିନିକିଆ ଓ ଟି-୨୦ ଏବଂ ୪ ଟେଷ୍ଟ୍‌ ଖେଳିବ। ନଭେମ୍ବର ୨୭ ତାରିଖରେ ପ୍ରଥମ ଦିନିକିଆ ଖେଳି ଏହି ଗସ୍ତ ଆରମ୍ଭ କରିବ। ପ୍ରଥମ ଟେଷ୍ଟ୍‌ ଡିସେମ୍ବର ୧୭ ତାରିଖରୁ ଖେଳାଯିବ।

ସମ୍ବନ୍ଧିତ ଖବର