ଜାଫର କହିଲେ ‘କୋହଲି ଶ୍ରେଷ୍ଠ ଧଳା ବଲ୍‌ କ୍ରିକେଟର୍‌’

ସଚିନ ବିସ୍ମୟ ବାଳକ ଥିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍‌ ସଫଳତମ ପ୍ରଥମ ଶ୍ରେଣୀ ବ୍ୟାଟସମ୍ୟାନ୍ ୱାସିମ୍‌ ଜାଫରଙ୍କୁ ଭାରତର ଶ୍ରେଷ୍ଠ ଧଳା ବଲ୍‌ କ୍ରିକେଟର୍‌ ବାଛିବାକୁ କଷ୍ଟକର କାମଟିଏ ଦିଆଯାଇଥିଲା। ସଚିନ ତେନ୍ଦୁଲକର, ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ନାମ ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଇଥିଲା। ଏହାର ଉତ୍ତର ସେ ଅତି ସଜରେ ଦେଇଥିଲେ। ନିଜ ହାଲକା ବ୍ୟାଟ୍‌ ସ୍ପର୍ଶରେ ଯେଭଳି ଜାଫର ବଲ୍‌କୁ କଭର ଉପରେ ଖେଳନ୍ତି କିମ୍ବା କଚଟିରେ ମୋଡି ଫ୍ଲିକ୍ ଖେଳନ୍ତି ଠିକ୍ ସେଭଳି ସହଜ ଉତ୍ତର ରଖିଥିଲେ। ତତ୍‌କ୍ଷଣାତ କହିଥ‌ିଲେ ‘ବିରାଟ କୋହଲି’। ଏହି ୩ ଜଣଙ୍କ ବାଦ୍‌ ସେ କିନ୍ତୁ ବୀରେନ୍ଦ୍ର ସେହବାଗଙ୍କ ନାମ ସାମିଲ କରିବାକୁ ପ୍ରସ୍ତାବ ରଖିଥିଲେ। କାରଣ ବୀରୁ ମନୋରଂଜନ କରିଥା’ନ୍ତି ବୋଲି ଜାଫର ଯୁକ୍ତି ବାଢ଼ିଥିଲେ। ପୃଥ୍ବୀ ସ’ ଏବଂ ଶୁଭମନ ଗିଲଙ୍କୁ ଦୁଇ ଶ୍ରେଷ୍ଠ ଉଦୀୟମାନ କ୍ରିକେଟର୍‌ ବୋଲି ଦର୍ଶାଇଥିଲେ ଜାଫର।

ସୂଚନାଯୋଗ୍ୟ, ସଚିନ ତେନ୍ଦୁଲକରଙ୍କୁ ଆଧୁନିକ କ୍ରିକେଟ୍‌ର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବିବେଚନା କରାଯାଉଛି। ଉଭୟ ଟେଷ୍ଟ୍ ଓ ଦିନିକିଆ କ୍ରିକେଟ୍‌ର ପ୍ରାୟ ସବୁ ସମ୍ଭାବ୍ୟ କୀର୍ତ୍ତିମାନକୁ ସେ ନିଜ ନାମରେ ରଖିଛନ୍ତି। ଧଳାବଲ୍‌ କ୍ରିକେଟ୍‌ (ଦିନିକିଆ)ରେ ସେ ୪୬୩ ମ୍ୟାଚ୍‌ରୁ ୧୮,୪୨୬ ରନ୍ ସହ ଶୀର୍ଷରେ ରହିଛନ୍ତି। ୪୯ ଶତକ ମଧ୍ୟ ତାଙ୍କୁ ଏକ ନମ୍ବର ସ୍ଥାନରେ ରଖିଛି। ସେହିଭଳି ରୋହିତ ଶର୍ମା ଏକମାତ୍ର କ୍ରିକେଟର୍‌ ଭାବେ ଏକାଧିକ ଦିନିକିଆ ଦ୍ବିଶତକ ହାସଲ କରିଛନ୍ତି। ତାଙ୍କ ନାମରେ ତ‌ିନିଟି ଦ୍ବିଶତକ ରହିଛି। ବର୍ତମାନ ସେ ୪୯.୨୭ ହାରରେ ୯୧୧୫ ରନ୍ ସଂଗ୍ରହ କରିସାରିଛନ୍ତି। ଗୋଟିଏ ବିଶ୍ବକପ୍‌ରେ ସର୍ବାଧିକ ଶତକ (୫) କୀର୍ତ୍ତିମାନ ମଧ୍ୟ ରୋହିତଙ୍କ ନାମରେ ରହିଛି। ଅନ୍ୟପକ୍ଷରେ କୋହଲି ୪୩ ଦିନିକିଆ ଶତକ ସହିତ ୧୧,୮୬୭ ରନ୍ ସଂଗ୍ରହ କରିସାରିଛନ୍ତି। ଅନେକ କ୍ରିକେଟ୍ ବାକି ଥିବାରୁ ସଚିନଙ୍କ କୀର୍ତ୍ତିମାନକୁ କେବଳ ସେ ହିଁ କାଟିପାରିବାର ଦକ୍ଷତା ରଖିଛନ୍ତି ବୋଲି କୁହାଯାଉଛି।

ସଚିନ ବିସ୍ମୟ ବାଳକ ଥିଲେ
ସଚିନ ତେନ୍ଦୁଲକର, ବିନୋଦ କାମ୍ବଲୀ ଏବଂ ସଞ୍ଜୟ ମଞ୍ଜରେକର ମୋ ଆଦର୍ଶ ଖେଳାଳି ଥିଲେ। କ୍ରିକେଟ୍‌ ପାଇଁ ମୁମ୍ବାଇ ମାହୋଲ ଭଲ ଥିବାରୁ ମୁଁ କ୍ରିକେଟର୍‌ ହୋଇପାରିଥିଲି। ଲୋକମାନେ ମୋତେ ଜଣେ ଅନ୍ତର୍ଜାତୀୟ କ୍ରିକେଟର୍‌ ନୁହେଁ ସଫଳ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ଭାବେ ମନେ ପକାଇଲେ ମୁଁ ଖୁସି ହେବି ବୋଲି କହିଛନ୍ତି ରଣଜୀ ଟ୍ରଫିର ସର୍ବକାଳୀନ ଅଗ୍ରଣୀ ରନ୍‌ ସ୍କୋରର୍‌ ୱାସିମ୍ ଜାଫର। ଭାରତ ପାଇଁ ୨୦୦୦ରୁ ୨୦୦୮ ମଧ୍ୟରେ ୩୧ ଟେଷ୍ଟ୍‌ ଖେଳିଥିବା ଜାଫର କହିଥିଲେ, ‘ମୁଁ ବଡ଼ ଭାଗ୍ୟବାନ ଯେ ଈଶ୍ବର ମୋତେ ପ୍ରତିଭାବାନ କରିଥିଲେ, ଯାହାବିନା ମୁଁ ଏତେ ବାଟ ଆସିପାରିନଥା’ନ୍ତି।‌ ମୋ ପିତାମାତା ଓ ଭାଇମାନେ ବହୁ ତ୍ୟାଗ କରିଛନ୍ତି। ମୁଁ ସବୁ ସଫଳତାର ଶ୍ରେୟ ସେମାନଙ୍କୁ ଦେବି। ମୁମ୍ବାଇ ଭଳି ଦଳ ପାଇଁ ଖେଳିବା ସୌଭାଗ୍ୟର କଥା। ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି ଏବଂ ସଞ୍ଜୟ ମଞ୍ଜରେକରଙ୍କୁ ଦେଖି ସେମାନଙ୍କଠାରୁ ଅନେକ କିଛି ଶିଖିଥିଲି। ମାତ୍ର ୧୩/୧୪ ବ‌ର୍ଷର ହୋଇଥିବା ବେଳେ ଏମାନଙ୍କୁ‌‌‌ ଦେଖି କ୍ରିକେଟ୍‌କୁ ଆସିଥିଲି ବୋଲି କହିଥିଲେ ୪୨ ବର୍ଷୀୟ ଜାଫର। ବାନ୍ଦ୍ରା ଉର୍ଦ୍ଦୁ ହାଇସ୍କୁଲ୍‌ରେ ପଢ଼ୁଥିବା ବ‌େଳେ ଆମ ଦଳ ଶାରଦାଶ୍ରମ ବିପକ୍ଷରେ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳିବାକୁ ଥାଏ। ଶାରଦାଶ୍ରମ ପକ୍ଷରୁ ସଚିନ ଖେଳୁଥାନ୍ତି। ପ୍ରଥମ ଦିନ ସେ ପ୍ରାୟ ୧୭୦ ରନ୍‌ କରିଥିଲେ। କିନ୍ତୁ ଆଉ କ୍ଷେତ୍ରରକ୍ଷଣ ନ କରି‌‌ ସେ ରଣଜୀ ଟ୍ରଫି ଖେଳିବାକୁ ଚାଲିଯାଇଥିଲେ। ସଚିନ ଜଣେ ବିସ୍ମୟ ବାଳକ ଥିଲେ। ମୁଁ ରଣଜୀ ପଦାର୍ପଣ ବେଳେ ସଞ୍ଜୟ ମଞ୍ଜରେକର ଅଧିନାୟକ ଥିଲେ ଏବଂ ମୋ ସହ ପାଳି ଆରମ୍ଭ କରିଥିଲେ। ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବାରୁ ସେ ପ୍ରତ୍ୟାବର୍ତନ କରିବାକୁ ପାଳି ଆରମ୍ଭ କରିଥିଲେ। ଆମେ ମଧ୍ୟ ସେହି ଋତୁରେ ରଣଜୀ ଟ୍ରଫି ଜିତିଥିଲୁ, ତାଙ୍କ ସହ ଡ୍ରେସିଂ ରୁମ୍‌ ବାଣ୍ଟିବା ମୋ ପାଇଁ ସୌଭାଗ୍ୟ ଥିଲା’ ବୋଲି ଜାଫର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର