୧୦,୦୦୦ ଟ୍ବେଣ୍ଟି-୨୦ ରନ୍: କୋହଲି ପ୍ରଥମ ଭାରତୀୟ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ୧୦,୦୦୦ ଟ୍ବେଣ୍ଟି-୨୦ ରନ୍‌ର ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚ୍‌କୁ ଯିବା ପୂର୍ବରୁ ୩୧୩ ଟ୍ବେଣ୍ଟି-୨୦ ଖେଳି ୧୩୩.୯୫ର ଷ୍ଟ୍ରାଇକ୍ ରେଟ୍ ସହ ୯୯୮୭ ରନ୍ କରିଥିଲେ। ତା ମଧ୍ୟରେ ଥିଲା ୫ ଶତକ ଏବଂ ୭୩ ଅର୍ଦ୍ଧଶତକ। ଏବେ ସେ ୩୧୪ ମ୍ୟାଚ୍‌ରୁ ୫ ଶତକ ଓ ୭୪ ଅର୍ଦ୍ଧଶତକ ସହ ୧୦,୦୩୮ ରନ୍ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିଥିବା ୫୧ ରନ୍ ପାଳିରୁ ୧୩ ରନ୍ କରିବା ବେଳେ ହିଁ ଏହି କୀର୍ତ୍ତିମାନ କରି ନେଇଥିଲେ କୋହଲି ।

ଟ୍ବେଣ୍ଟି-୨୦ରେ ୧୦,୦୦୦ ରନ୍ ପୂରଣ କରିବାରେ କୋହଲି କିନ୍ତୁ ବିଶ୍ବର ପଞ୍ଚମ ଖେଳାଳି। ୪୪୬ ଟ୍ବେଣ୍ଟି-୨୦ରୁ ୧୪,୨୬୧ ରନ୍ କରି ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ବ୍ୟାଟର୍‌ କ୍ରିସ୍ ଗେଲ୍ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ସେ ୨୨ ଶତକ ଏବଂ ୮୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ଟ୍ବେଣ୍ଟି-୨୦ରେ ପୂର୍ବରୁ ୧୦,୦୦୦ ରନ୍ ପୂରଣ କରି ସାରିଥିବା ଅନ୍ୟ ୩ଜଣ ଖେଳାଳି ହେଲେ ୱେଷ୍ଟଇଣ୍ଡିଜର କିରଣ ପୋଲାର୍ଡ (୧୧.୧୯୫ ରନ୍), ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ (୧୦,୮୦୮) ଏବଂ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର (୧୦,୦୧୭)। ତେବେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ କୋହଲି ସର୍ବାଧିକ ୩୧୫୯ ରନ୍ କରିଛନ୍ତି। ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା (୨୮୬୪) ଏହିକ୍ରମରେ ତୃତୀୟ ସ୍ଥାନରେ ରହିଛନ୍ତି। କୋହଲି ମଧ୍ୟ ଆଇପିଏଲ୍‌ର ଅଗ୍ରଣୀ ରନ୍ ସ୍କୋର। ଆଇପିଏଲ୍‌ରେ ୨୦୨ ମ୍ୟାଚ୍ ଖେଳି ୫ ଶତକ ଏବଂ ୪୨ ଅର୍ଦ୍ଧଶତକ ବଳରେ ‌୬୧୮୫ ରନ୍ କରିଛନ୍ତି ସେ।

ସମ୍ବନ୍ଧିତ ଖବର