ନୂଆଦିଲ୍ଲୀ: ୧୨ ବର୍ଷର ବନବାସ ପରେ ଘରୋଇ କ୍ରିକେଟ୍‌କୁ ଫେରିବାକୁ ଯାଉଥିବାରୁ କିଂବଦନ୍ତି ବ୍ୟାଟର୍ ବିରାଟ କୋହଲି ଏବେ ଚର୍ଚ୍ଚାରେ ରହିଛନ୍ତି। ରେଳବାଇ ବିପକ୍ଷରେ କୋହଲି ନିଜ ଘରୋଇ ଦଳ ଦିଲ୍ଲୀର ପ୍ରତିନିଧିତ୍ବ କରୁଥିବାର ବହୁ ପ୍ରତୀକ୍ଷିତ ଦୃଶ୍ୟ ‌ଦେଖିବାକୁ ପ୍ରଶଂସକ ବି ଚାହି ବସିଛନ୍ତି। ତେବେ ବୁଧବାରର ଆଉ ଏକ ଘଟଣା ପାଇଁ କୋହଲି ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍ କରିଛନ୍ତି। କୋହଲି ଆଜି ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ନିଜ ନାଁରେ ନାମିତ ଷ୍ଟାଣ୍ଡ୍ ତଳେ ଅଭ୍ୟାସ ଆରମ୍ଭ କରିଥିଲେ। ତାଙ୍କ ସହ ଦିଲ୍ଲୀ ଦଳର ସବୁ ଖେଳାଳି ଏହି ଲମ୍ବା ଅଭ୍ୟାସ ଅଧିବେଶନରେ ସାମିଲ ଥିଲେ। ‌ଏହା ପରେ ଦିଲ୍ଲୀ ଦଳର ଅନେକ ଯୁବ ଖେଳାଳି ହାଲିଆ ହୋଇ ତଳେ ବସି ରହିଥିବା ଦେଖିବାକୁ ମିଳିଥିଲା। 

Advertisment

ହେଲେ ୩୬ବର୍ଷୀୟ କୋହଲି ଆଦୌ ଥକି ନଥିଲେ। ବରଂ ଅନ୍ୟମାନେ ବିଶ୍ରାମ ନେଉଥିଲା ବେଳେ ଢେର ଅଧିକ ସମୟ ଏକୁଟିଆ ଅଭ୍ୟାସ କରିଥିଲେ ସେ। ଅଢ଼େଇ ଘଣ୍ଟାର ଫୁଟ୍‌ବଲ୍ ଖେଳ ଓ ଶାରୀରିକ ଅଭ୍ୟାସ ପରେ ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ କୋହଲି ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ଏଣୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘର ଜଣେ ଅଧିକାରୀ ଗମାତ କରିବାକୁ ଯାଇ କହିଛନ୍ତି ଯେ ସତ କହିବାକୁ ଗଲେ କୋହଲି ଆମ ପୂରା ଦଳଠାରୁ ଅଧିକ ଫିଟ୍। ଆଜି ଅଭ୍ୟାସ ଅଧିବେଶନ ବେଳେ କୋହଲିଙ୍କ ବ୍ୟକ୍ତିତ୍ବର ଆଉ ଏକ ସକାରାତ୍ମକ ଦିଗ ମଧ୍ୟ ଦେଖିବାକୁ ମିଳିଥିଲା। କିଟ୍ ସଜାଡ଼ୁ ଥିଲା ବେଳେ ସାଥୀ ଖେଳାଳିମାନେ ଏଥିରେ ତାଙ୍କୁ ସହଯୋଗ କରିବାକୁ ଚାହିଥିଲେ। ‌ହେଲେ କୋହଲି ନମ୍ରତାର ସହ ଏହାକୁ ଅସ୍ବୀକାର କରିବା‌ ସହ ନିଜ ଜିନିଷ ନିଜେ କିଟ୍ ବ୍ୟାଗ୍‌ରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଥିଲା।