ନୂଆଦିଲ୍ଲୀ: ଆର୍ସିବି ୨୬ ରନ୍ରେ ୩ ୱିକେଟ୍ ହରାଇ ସଂଘର୍ଷ କରୁଥିଲା। କୋହଲି-କ୍ରୁନାଲ କିନ୍ତୁ ହାର ମାନି ନଥିଲେ। କେବଳ ଦଳର ସ୍ଥିତି ସଜାଡ଼ି ନଥିଲେ। ଚତୁର୍ଥ ୱିକେଟ୍ରେ ୧୧୯ ରନ୍ ଯୋଡ଼ି ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ଚକିତ କରିବା ସହ ଆର୍ସିବିକୁ ରୋମାଞ୍ଚକ ବିଜୟ ଉପହାର ଦେଇଥିଲେ। କୋହଲି ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟ ମୁଣ୍ଡି ମାରିବାର ଠିକ୍ ୨୦ ରନ୍ ପୂର୍ବରୁ ଆଉଟ୍ ହୋଇଯାଇଥିଲେ। କ୍ରୁନାଲ କିନ୍ତୁ ଅବିଶ୍ବସନୀୟ ବ୍ୟାଟିଂର ନମୁନା ଦେଖାଇ ୪୭ ବଲ୍ରୁ ୭୩ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଟିମ୍ ଡେଭିଡ୍ (୧୯* ରନ୍, ୫ ବଲ୍)ଙ୍କ ସହ ମିଶି ୯ ବଲ୍ ପୂର୍ବରୁ ଆରସିବିକୁ ୬ ୱିକେଟ୍ରେ ବିଜୟୀ କରାଇଥିଲେ। ଦଶମ ମ୍ୟାଚ୍ରୁ ସପ୍ତମ ବିଜୟ ପାଇ ଆର୍ସିବି ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଥିଲା। କୋହଲି (୪୨୩) ମଧ୍ୟ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇ ମାତ୍ର ୪ଘଣ୍ଟା ପାଇଁ ଶୀର୍ଷରେ ଥିବା ସୂର୍ଯ୍ୟକୁମାର ଯାଦବ (୪୨୭)ଙ୍କଠାରୁ ନାରଙ୍ଗୀ ଟୋପି ଛଡ଼ାଇ ଆଣିଥିଲେ।
ପୂର୍ବରୁ ଯୁବ ଓପନର୍ ଅଭିଷେକ ପୋରେଲ ଦିଲ୍ଲୀକୁ ଦ୍ରୁତ ଆରମ୍ଭ ଦେଇଥିଲେ। ହେଲେ ନିଜ ପୁରୁଣା ଦଳ ଆର୍ସିବି ବିପକ୍ଷରେ ଖେଳୁଥିବା ପ୍ରଥମ ମ୍ୟାଚ୍ରେ ଫାଫ୍ ଡୁ’ପ୍ଲେସିସ୍ ରନ୍ ଗତିକୁ ଆଶାଜନକ ଭାବେ ବଢ଼ାଇବାରେ ଅସମର୍ଥ ହୋଇଥିଲେ। ୭୨ ରନ୍ରେ ୩ ୱିକେଟ୍ ହରାଇ ସଂଘର୍ଷ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ସେହିଭଳି କେଏଲ୍ ରାହୁଲଙ୍କ ଦାୟିତ୍ବବାନ ୪୧ ରନ୍ ସତ୍ତ୍ବେ ଆର୍ସିବି ବୋଲର ରନ୍ ଗତି ଉପରୁ ଅଙ୍କୁଶ ହଟିବାକୁ ଦେଇ ନଥିଲେ। ପ୍ରତିଟି ରନ୍ ପାଇଁ ସଂଘର୍ଷ କରି ୧୫ ଓଭରରେ ୪ ୱିକେଟ୍ ହରାଇ ୧୦୮ ରନ୍ କରିଥିବା ଦିଲ୍ଲୀ ତ୍ରିଷ୍ଟନ୍ ଷ୍ଟବ୍ସଙ୍କ ବିସ୍ଫୋରକ ୧୮ ବଲ୍ ୩୪ ରନ୍ ବଳରେ ହିଁ ୮ ୱିକେଟ୍ ବିନିମୟରେ ୧୬୨ ରନ୍ କରିପାରିଥିଲା। ଜୋସ୍ ହାଜେଲଉଡ୍ ବାଇଗଣୀ ଟୋପିର ହକ୍ଦାର ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୨/୮ (କେଏଲ୍ ରାହୁଲ ୪୧, ତ୍ରିଷ୍ଟନ ଷ୍ଟବ୍ସ ୩୪, ଅଭିଷକ ପୋରେଲ ୨୮, ଭୁବନେଶ୍ବର କୁମାର ୩/୩୩, ଜୋସ୍ ହାଜେଲଉଡ୍ ୨/୩୬)। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୧୮.୩ ଓଭରରେ ୧୬୫/୪ (କ୍ରୁନାଲ ପାଣ୍ଡ୍ୟା ୭୩, ବିରାଟ କୋହଲି ୫୧, ଟିମ୍ ଡେଭିଡ୍ ୧୯*, ଅକ୍ଷର ପଟେଲ ୨/୧୯)।