ବକ୍ସିଂ ଡେ’ ଟେଷ୍ଟ୍‌ରେ ଖେଳିବେନି ୱାର୍ନର, ଅଷ୍ଟ୍ରେଲିଆ ଛାଡ଼ିଲେ କୋହଲି

ମେଲବର୍ନ: ଆହତ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଆସନ୍ତା ୨୬ ତାରିଖରୁ ଏଠାରେ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍‌ ବେଳକୁ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିବାର ଆଶା କ୍ଷୀଣ। ଏଣୁ ଏହି ଟେଷ୍ଟ୍‌ରେ ସେ ଖେଳିବାର ସମ୍ଭାବନା ପ୍ରାୟ ନାହିଁ। କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ହଠାତ୍ ବଢ଼ିବାରୁ କ୍ରି‌କେଟ୍ ଅଷ୍ଟ୍ରେଲିଆ ତାଙ୍କୁ ରବିବାର ସିଡ୍‌ନିରୁ ମେଲବର୍ନ ସ୍ଥାନାନ୍ତର କରିଥିଲା। ୱାର୍ନର ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିଲେ। ସେବେଠାରୁ ସେ ଦିନିକିଆ ଶୃଙ୍ଖଳାର ବଳକା ଦୁଇ ମ୍ୟାଚ୍ ସହ ଆଡିଲେଡ୍‌ରେ ଖେଳା ଯାଇଥିବା ଗୋଲାପି ବଲ୍ ଟେଷ୍ଟ୍‌ ଖେଳି ପାରି ନାହାନ୍ତି। ଯୁବ ତାରକା ୱିଲ୍ ପକଭସ୍କିଙ୍କୁ କିନ୍ତୁ ଦ୍ବିତୀୟ ଟେଷ୍ଟ୍ ଖେଳିବାକୁ ସବୁଜ ସଙ୍କେତ ମିଳିଛି। ୱାର୍ନର ଏବଂ ପକଭସ୍କିଙ୍କ ଅନୁପସ୍ଥିତିରେ ଆଡିଲେଡ୍‌ରେ ଜୋ ବର୍ନସ ଏବଂ ମାଥ୍ୟୁ ୱାଦେ ପାଳି ଆରମ୍ଭ କରିଥିଲେ। ଏହି ଟେଷ୍ଟ୍‌କୁ ଅଷ୍ଟ୍ରେଲିଆ ମାତ୍ର ଅଢ଼େଇ ଦିନରେ ଜିତି ନେବା ସହ ଦ୍ବିତୀୟ ପାଳିରେ ଭାରତ ତା’ ଟେଷ୍ଟ୍ ଇତିହାସର ସର୍ବନିମ୍ନ ସ୍କୋର କରିବାର ଲଜ୍ଜାଜନକ କାରନାମା କରିଥିଲା। ୱାର୍ନର ସଂପ୍ରତି ଅଭ୍ୟାସ ଆରମ୍ଭ କରିଛନ୍ତି। ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି କିଛି ଦିନ ଲାଗିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅଷ୍ଟ୍ରେଲିଆ ଛାଡ଼ିଲେ କୋହଲି
‌ଆଡିଲେଡ୍: ପ୍ରଥମ ସନ୍ତାନର ଜନ୍ମ ପାଇଁ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପାଖରେ ରହିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ସକାଳେ ଅଷ୍ଟ୍ରେଲିଆ ଛାଡ଼ିଛନ୍ତି। ବିସିସିଆଇ ତାଙ୍କ ପିତୃତ୍ବ ଅବକାଶ ଆବେଦନକୁ ମଞ୍ଜୁରି ‌‌ଦେଇ ସାରିଥିବାରୁ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ସେ ଜାତୀୟ ଦଳରୁ ଦୂରେଇ ରହିବେ। ସେଥିପାଇଁ କୋହଲି ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ବଳକା ତିନିଟି ଯାକ ଟେଷ୍ଟ୍‌ ଖେଳିପାରିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ବକ୍ସିଂ ଡେ’ ଟେଷ୍ଟ୍‌ ସହ ସିଡ୍‌ନି ଓ ଆଡିଲେଡ୍‌ରେ ଖେଳାଯିବାକୁ ଥିବା ତୃତୀୟ ତଥା ଚତୁର୍ଥ ଟେଷ୍ଟ୍‌ରେ ଭାରତୀୟ ଦଳର ନେତୃତ୍ବ ନେବେ। ସ୍ବଦେଶ ଫେରିବା ପୂର୍ବରୁ କୋହଲି କିନ୍ତୁ ଦଳୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାଇବାକୁ ଚେଷ୍ଟା କରିଛନ୍ତି।

ଆଡିଲେଡ୍‌ର ଲଜ୍ଜାଜନକ ପରାଜୟକୁ ଭୁଲି ବଳକା ମ୍ୟାଚ୍‌ଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସମସ୍ତଙ୍କୁ ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି। ‘‘କୋହଲି ଆଜି ସକାଳେ ଅଷ୍ଟ୍ରେଲିଆ ଛାଡ଼ିଛନ୍ତି। ବିମାନବନ୍ଦର ଯିବା ପୂର୍ବରୁ ପୂରା ଦଳ ସହ ଢେର କିଛି ସମୟ କଟାଇ ସେମାନଙ୍କ ମନୋବଳ ବଢ଼ାଇବା ସାଙ୍ଗକୁ ସକାରାତ୍ମକ ଚିନ୍ତା ରଖିବାକୁ ପରାମର୍ଶ ଦେଇଥିଲେ। କୋହଲି ମଧ୍ୟ ଆନୁଷ୍ଠାନିକ ଭାବେ ଅଧିନାୟକ ଭାର ରାହାଣେଙ୍କୁ ହସ୍ତାନ୍ତର କରିଥିଲେ। ସେହିଭଳି ପିଚ୍ ଭିତରେ ଲଢ଼ୁଆ ପ୍ରବୃତ୍ତି ଦେଖାଇବାକୁ ସାଥୀ ଖେଳାଳିମାନଙ୍କୁ ଆହ୍ବାନ କରିଥିଲେ। ରୋହିତ ଶର୍ମା ଦ୍ବିତୀୟ ଟେଷ୍ଟ୍ ପରେ ହିଁ ଦଳରେ ଯୋଗଦେବାର ସମ୍ଭାବନା ଥିବାରୁ ରାହାଣେଙ୍କ ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇ ଯାଇଛି। ଏଣୁ ତାଙ୍କ ସହ କୋହଲି ମଧ୍ୟ ସ୍ବତନ୍ତ୍ର ଭାବେ କିଛି ସମୟ କଟାଇଥିଲେ’’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ରୋହିତ ସୁରକ୍ଷିତ, ସିଡ୍‌ନିରୁ ସ୍ଥାନାନ୍ତର ହେବେନି
ମୁମ୍ବାଇ: ଫିଟ୍ ହେବା ପରେ ଖାସ୍ ଟେଷ୍ଟ୍ ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ଯାଇଥିବା ହିଟ୍ ମ୍ୟାନ୍ ରୋହିତ ଶର୍ମା ସଂପ୍ରତି ସିଡ୍‌ନିରେ ସଙ୍ଗରୋଧରେ ଅଛନ୍ତି। ସିଡ୍‌ନିରେ କିନ୍ତୁ କରୋନା ସଂକ୍ରମଣର ମାତ୍ରା ହୁ ହୁ ହୋଇ ବଢ଼ି ଚାଲିଛି। ସେଥିପାଇଁ ରୋହିତଙ୍କ ସୁରକ୍ଷା ପାଇଁ ତାଙ୍କ ପ୍ରଶଂସକମାନେ ଚିନ୍ତା ଜାହିର କରିଥିଲେ। ସିଡ୍‌ନିରୁ ତୁରନ୍ତ ତାଙ୍କୁ ଅଷ୍ଟ୍ରେଲିଆର ଅନ୍ୟ କୌଣସି ସହରକୁ ସ୍ଥାନାନ୍ତର କରିବାକୁ ଦାବି ମଧ୍ୟ ହୋଇଥିଲା। ତେବେ ଏଭଳି କୌଣସି ସମ୍ଭାବନାକୁ ବିସିସିଆଇ ମଙ୍ଗଳବାର ସଂପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଛି। ବରଂ ସିଡ୍‌ନିରେ ରୋହିତ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଦାବି କରିଛି। ଏଥିନେଇ ଆଦୌ ବ୍ୟସ୍ତ ନହେବାକୁ ମଧ୍ୟ ରୋହିତଙ୍କ ସମର୍ଥକଙ୍କୁ ଆହ୍ବାନ କରିଛି। ଆଜି ଦେଇଥିବା ସାକ୍ଷାତକାର ଅବସରରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସିଡ୍‌ନିରେ ହିଁ ରୋହିତ ତାଙ୍କ ବଳକା ସଙ୍ଗରୋଧ ଅବଧି ଶେଷ କରିବେ। ଆମେମାନେ ନିୟମିତ ଭାବେ ତାଙ୍କ ସଂପର୍କରେ ରହିଛୁ। ରୋହିତଙ୍କୁ ସିଡ୍‌ନିରୁ ବାହାର କରିବାର କୌଣସି ଆବଶ୍ୟକତା ନାହିଁ। ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ଜୈବ ବଳର ଭିତରେ ସଙ୍ଗରୋଧରେ ରହିଛନ୍ତି। ରୋହିତ ଏକୁଟିଆ ଏକ ଫ୍ଲାଟ୍‌ରେ ରହୁଛନ୍ତି। ଯଦି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ, ତାହାଲେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା କଥା ଆମେ ଚିନ୍ତା‌ କରିବୁ। ଏବେ କିନ୍ତୁ ସେ ସଂପୂର୍ଣ୍ଣ ସୁସ୍ଥ, ସୁରକ୍ଷିତ ଓ ନିରାପଦ ଅଛନ୍ତି।

ସମ୍ବନ୍ଧିତ ଖବର