ଶୀର୍ଷରେ କୋହଲି, ମିତାଲି

ଦିନିକିଆ ମାନ୍ୟତାରେ ଭାରତୀୟଙ୍କ ଆଧିପତ୍ୟ

ଦୁବାଇ: ଭାରତୀୟ କ୍ରିକେଟ୍‌ ପାଇଁ ଆସିଛି ଏକାଥରକେ ଦୁଇଟି ଖୁସି ଖବର। ସୋମବାର ଆଇସିସିର ମହିଳା ଏବଂ ପୁରୁଷ ଦିନିକିଆ ବ୍ୟାଟ୍ସମ୍ୟାନ୍‌ ମାନ୍ୟତାରେ ଶୀର୍ଷ ସ୍ଥାନରେ ଆସିନ ହୋଇଛନ୍ତି ଦୁଇ ଜଣ ଭାରତୀୟ। କାନପୁର ଦିନିକିଆରେ କଳାତ୍ମକ ଶତକ ଅର୍ଜନ କରି ଅଧିନାୟକ ବିରାଟ କୋହଲି ପୁରୁଷ ମାନ୍ୟତାର ପ୍ରଥମ ସ୍ଥାନକୁ ଫେରିଛନ୍ତି। ସେହିଭଳି ବିଶ୍ୱକପରେ ସର୍ବାଧିକ ରନ୍‌ କରିଥିବା ମହିଳା ଦଳର ଅଧିନାୟିକା ମିତାଲି ରାଜ୍‌ ମହିଳା ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନକୁ ପୁଣି ଫେରିଛନ୍ତି। ଜୀବନର ସର୍ବାଧିକ ବାର୍ଷିକ ପଏଣ୍ଟ୍‌ ସହ ସେ ପୁଣି ଥରେ ଏହି ସ୍ଥାନ ଦଖଲ କରିଛନ୍ତି। କୋହଲି ମଧ୍ୟ ବର୍ଷକ ଭିତରେ ସର୍ବାଧିକ ପଏଣ୍ଟ୍‌ ଅର୍ଜନ କରିବାରେ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ୧୯୯୮ରେ ସଚିନ୍‌ ୮୮୭ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ୨୮ ବର୍ଷୀୟ କୋହଲି ୨୬୩ ରନ୍‌ ହାସଲ କରିବା ପରେ ଚଳିତ ବର୍ଷ ମୋଟ ୮୮୯ ପଏଣ୍ଟ୍‌ ଅକ୍ତିଆର କରି ସଚିନଙ୍କୁ ଟପିଛନ୍ତି।

ଏହି ଶୃଙ୍ଖଳାରେ ୧୭୪ ରନ୍‌ ସଂଗ୍ରହ କରିଥିବା ରୋହିତ ଶର୍ମା ୭୯୯ ପଏଣ୍ଟ୍‌ ସହ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୋଟିଏ ସ୍ଥାନ ଉପରକୁ ଉଠି ଏକାଦଶରେ ପହଞ୍ଚିଛନ୍ତି। ବୋଲର ମାନ୍ୟତାରେ ପାକିସ୍ତାନର ହାସନ ଅଲ୍ଲୀ ପ୍ରଥମରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଯଶପ୍ରୀତ୍‌ ବୁମ୍‌ରା ନିଜ ଜୀବନର ଶ୍ରେଷ୍ଠ ମାନ୍ୟତା (ତୃତୀୟ ସ୍ଥାନ) ପାଇଛନ୍ତି। ତେବେ ଦଳଗତ ମାନ୍ୟତାରେ ଭାରତ ପୂର୍ବ ପରି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ନ୍ୟୁଜିଲାଣ୍ଡ ବିପକ୍ଷ ୧-୨ ବିଜୟ ଭାରତ ପାଇଁ ଦକ୍ଷିଣ ଆଫ୍ରିକା (୧୨୧ ପଏଣ୍ଟ୍‌)କୁ କାଟିବାକୁ ଯଥେଷ୍ଟ ହୋଇନାହିଁ।

ଭାରତ ଶୀର୍ଷ ଦଳଠୁ ମାତ୍ର ୨ ପଏଣ୍ଟ୍‌ କମ୍‌ରେ ରହିଛି।
ଅନୁରୂପ ଭାବେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିତାଲି ରାଜ ମହିଳା ବ୍ୟାଟ୍ସଓମ୍ୟାନ୍‌ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ଏହି ଭାରତୀୟ ତାରକା ଗୋଟିଏ ସ୍ଥାନ ଉପରକୁ ଉଠି ପ୍ରଥମରେ ପହଞ୍ଚି ଯାଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ଏଲିସ୍‌ ପେରି ଏବଂ ନ୍ୟୁଜିଲାଣ୍ଡ୍‌ର ଆମି ସଟ୍ଟର୍ଥେଓ୍ଵଟ୍‌ ମଧ୍ୟ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ଏବଂ ତୃତୀୟରେ ରହିଛନ୍ତି। ପୂର୍ବରୁ ଶୀର୍ଷରେ ଥିବା ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗ୍‌ ତିନି ସ୍ଥାନ ଖସି ଚତୁର୍ଥରେ ରହିଛନ୍ତି। ମିତାଲି ୭୩୫ ପଏଣ୍ଟ୍‌ ପାଇଥିଲା ବେଳେ ପେରି ୭୨୫ ଏବଂ ସଟ୍ଟର୍ଥେଓ୍ଵଟ୍‌ ୭୨୦ ପଏଣ୍ଟ୍‌ ହାସଲ କରିଛନ୍ତି। ବୋଲରରେ ଝୁଲଣ ଗୋସ୍ୱାମୀ (୬୫୨ ପଏଣ୍ଟ୍‌) ଦକ୍ଷିଣ ଆଫ୍ରିକାର ମାରିଜାନେ କାପ୍‌ (୬୫୬)ଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି। ଦଳୀୟ ମାନ୍ୟତାରେ ଇଂଲଣ୍ଡକୁ ହଟାଇ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ନ୍ୟୁଜିଲାଣ୍ଡ ତୃତୀୟ ଏବଂ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର