ଭାଙ୍ଗିଲା କୋହଲି କୀର୍ତି

ରୋହିତ ସର୍ବାଧିକ ଟ୍ବେଣ୍ଟି-୨୦ ରନ୍ ସଂଗ୍ରହକାରୀ ଭାରତୀୟ

ଲକ୍ଷ୍ନୌ: ଲକ୍ଷ୍ନୌରେ ରୋହିତ ଶର୍ମା କେବଳ ରନ୍ ନୁହେଁ କୀର୍ତ୍ତିମାନ ବର୍ଷା କରିଛନ୍ତି। ୧୧୧ ରନ୍‌ର ଅପରାଜିତ ପାଳି ଖେଳି ଟ୍ବେଣ୍ଟି-୨୦ର ମହାରାଜା ଭାବେ ଉଭା ହୋଇଛନ୍ତି। ମଙ୍ଗଳବାର ଖେଳା ଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ କାମଚଳା ଅଧିନାୟକ ରୋହିତ ଶର୍ମା ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ କାଟିଛନ୍ତି। କୋହଲିଙ୍କୁ ପଛରେ ପକାଇ ସେ ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ହୋଇଛନ୍ତି। ଲକ୍ଷ୍ନୌ ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ଅତିକ୍ରମ କରିବା ଲାଗି ରୋହିତଙ୍କୁ ମାତ୍ର ୧୧ ରନ୍‌ର ଦରକାର ଥିଲା। ଯାହାକୁ ସେ ଅନାୟସରେ ହାସଲ କରି ନେଇଥିଲେ। ପଞ୍ଚମ ଓଭରର ଦ୍ବିତୀୟ ବଲ୍‌ରେ ଓସାନେ ଥୋମାସ୍‌ଙ୍କୁ ଛକା ମାରି ରୋହିତ ୧୬ ରନ୍‌ରେ ପହଞ୍ଚିବା ସହିତ କୋହଲିଙ୍କୁ କୀର୍ତିମାନକୁ ପଛରେ ପକାଇ ଦେଇଥିଲେ। ଅନ୍ୟପକ୍ଷରେ ରୋହିତ ଶର୍ମା ୮୬ ମ୍ୟାଚ୍‌ରୁ ୪ ଶତକ ସହ ମୋଟ ୨୨୦୩ ରନ୍ କରିଛନ୍ତି। କେବଳ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ (୭୫ ମ୍ୟାଚ୍, ୨୨୭୧ ରନ୍‌) ତାଙ୍କଠାରୁ ଅଧିକ ଟ୍ବେଣ୍ଟି-୨୦ ରନ୍ କରିଛନ୍ତି। ମଙ୍ଗଳବାର ଶତକୀୟ ପାଳି ବଳରେ ରୋହିତ ନ୍ୟୁଜିଲାଣ୍ଡ୍‌ର ବ୍ରେଣ୍ଡନ୍‌ ମ୍ୟାକ୍‌ଲମ୍‌ (୭୧ ମ୍ୟାଚ୍‌, ୨୧୪୦ ରନ୍‌) ଏବଂ ପାକିସ୍ତାନର ସୋଏବ୍‌ ମଲ୍ଲିକ (୧୦୮ ମ୍ୟାଚ୍‌, ୨୧୯୦ ରନ୍‌)ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଏଥି ସହିତ ରୋହିତ ମଧ୍ୟ ଟ୍ବେଣ୍ଟି-୨୦ ଇତିହାସ‌ରେ ସର୍ବାଧିକ ରନ୍ କରିବାରେ ବିଶ୍ବର ଦ୍ବିତୀୟ ଏବଂ ୪ ଶତକ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ରୋହିତ ସର୍ବାଧିକ ୧୯ ଥର ୫୦ରୁ ଅଧିକ ରନ୍‌ କରି ବିଶ୍ବର ପ୍ରଥମ ଖେଳାଳି ଭାବେ କୀର୍ତିମାନ କରିଛନ୍ତି। ଅଧିନାୟକ ଭାବେ ଦୁଇଟି ଶତକ ଅର୍ଜନ କରିବାରେ ରୋହିତ ବିଶ୍ବର ପ୍ରଥମ ଖେଳାଳି ହୋଇଥିଲେ। ଅନ୍ୟପକ୍ଷରେ ଶିଖର ଧାୱନ୍‌ ଟ୍ବେଣ୍ଟି-୨୦ରେ ୧୦୦୦ ରନ୍‌ ପୂରଣ କରିଛନ୍ତି।
ଏହା ପୂର୍ବରୁ କୋହଲି ନିକଟରେ ଆଉ ଏକ ଟ୍ବେଣ୍ଟି-୨୦ କୀର୍ତ୍ତିମାନ ମଧ୍ୟ ହରାଇଥିଲେ। ପାକିସ୍ତାନର ବାବର ଆଜମ ତାଙ୍କୁ ପଛରେ ପକାଇ ଟ୍ବେଣ୍ଟି-୨୦ର ଦ୍ରୁତତମ ୧,୦୦୦ ରନ୍ ସଂଗ୍ରହକାରୀ ହୋଇଥିଲେ। କୋହଲି ୬୨ ଟ୍ବେଣ୍ଟି-୨୦ରୁ ୪୮.୮୮ ହାରରେ ଭାରତ ପାଇଁ ସର୍ବାଧିକ ୨,୧୦୨ ରନ୍ କରିଥିଲେ।

ସମ୍ବନ୍ଧିତ ଖବର