ଏସିଆ କପ୍ ଦଳକୁ ଫେରିଲେ କୋହଲି, ରାହୁଲ ଉପଅଧିନାୟକ

ରାହୁଲ ଉପଅଧିନାୟକ

ମୁମ୍ବାଇ: ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ପଞ୍ଚଦଶ ସଂସ୍କରଣ ଲାଗି ସୋମବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ପୂର୍ବତନ ଅଧିନାୟକ ବିରାଟ କୋହଲି ପାଖାପାଖି ଦେଢ଼ ମାସର ବିଶ୍ରାମ ପରେ ଦଳକୁ ଫେରିଛନ୍ତି। ସେହିଭଳି ଫିଟନେସ୍ ସମସ୍ୟା ଓ କୋଭିଡ୍ ସଂକ୍ରମଣ ଦେଇ ଗତି କରୁଥିବା କେଏଲ୍ ରାହୁଲ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ପୁନର୍ବାର ସୁଯୋଗ ପାଇଛନ୍ତି। ରୋହିତ ଶର୍ମା ଅଧିନାୟକ ପଦ ବଜାୟ ରଖିଛନ୍ତି। ପ୍ରତ୍ୟାବର୍ତ୍ତନରେ ରାହୁଲ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଆହତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଚାରକୁ ନେଇ ନାହାନ୍ତି ଚୟନକର୍ତ୍ତା।

ତାଙ୍କ ଅନୁପସ୍ଥିତିରେ ଭୁବନେଶ୍ବର କୁମାର ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃତ୍ବ ନେବେ। ଦୀନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କ ରୂପରେ ଦୁଇ ଜଣ ୱିକେଟ୍ ରକ୍ଷକ ଦଳରେ ରହିଥିଲା ବେଳେ ଆର ଅଶ୍ବିନ ଓ ୟୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କ ରୂପରେ ତିନି ଜଣ ବିଶେଷଜ୍ଞ ସ୍ପିନର ରହିଛନ୍ତି। ସୂଚନାଯୋଗ୍ୟ ଯେ ଏସିଆ କପ୍ ଚଳିତମାସ ୨୭ ତାରିଖରୁ ୟୁଏଇରେ ଆରମ୍ଭ ହେବ। ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏହି ୬ ଦଳିଆ ପ୍ରତିଯୋଗିତା ସେପ୍ଟେମ୍ବର ୧୧ରେ ଶେଷ ହେବ। ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ୟୁଏଇ, କୁଏତ, ସିଙ୍ଗାପୁର, ହଂକଂ ମଧ୍ୟରୁ ଗୋଟିଏ ଦଳ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିବ। ଭାରତ ତା’ର ଅଭିଯାନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଆର ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଅୱେଶ ଖାନ୍।

ଆହତ ବୁମରା ବାଦ୍‌
ପିଠି ସମସ୍ୟା କାରଣରୁ ବରିଷ୍ଠ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ଏସିଆ କପ୍‌ରୁ ଓହରି ଯାଇଛନ୍ତି।‌ ବୁମରା ତାଙ୍କ ଶେଷ ଶୃଙ୍ଖଳା ଇଂଲଣ୍ଡ ବିପକ୍ଷ ଦିନିକିଆରେ ଖେଳିଥିଲେ। ‌ସଦ୍ୟ ସମାପ୍ତ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ସେ ଅଂଶଗ୍ରହଣ କରିନଥିଲେ। ଆଗାମୀ ‌ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରୁ ମଧ୍ୟ ସେ ବିଶ୍ରାମ ନେଇଥିଲେ। ଏବେ ସେ ଏସିଆ କପ୍‌ ଦଳରୁ ବାଦ୍‌ ପଡ଼ିବାରୁ ବେଙ୍ଗାଲୁରୁସ୍ଥିତି ଏନସିଏରେ ସାମିଲ‌ ହେବା ସମ୍ଭାବନା ରହିଛି। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଭାରତ ସେପ୍ଟେମ୍ବର-ଅକ୍ଟୋବରରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଧଳାବଲ ଶୃଙ୍ଖଳା ଖେଳିବାକୁ ଥିବାରୁ‌ ସେ ପ୍ରତ୍ୟାବର୍ତନ କରିବେ କି ନା ସ୍ପଷ୍ଟ ହୋଇନାହିଁ। ବୁମରା ବର୍ତମାନ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି।

ସମ୍ବନ୍ଧିତ ଖବର