ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୩ ପ୍ରମୁଖ ତାରକା ବିରାଟ କୋହାଲି, ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନି ବିଶ୍ବର ୩ ଲୋକପ୍ରିୟ କ୍ରିକେଟର୍ ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି। ୩୧ ବର୍ଷୀୟ ବିରାଟ କୋହଲି ସବୁଠାରୁ ଲୋକପ୍ରିୟ ଏବଂ ଭାରତୀୟ ଦଳ ସବୁଠୁ ଶୀର୍ଷରେ ରହିଛି। ଜାନୁଆରିରୁ ଜୁନ୍ ମାସ ମଧ୍ୟରେ ହୋଇଥିବା ଏହି ଅନୁଧ୍ୟାନରୁ ଜଣାପଡିଛି ମାସିକ ୧୬.୨ ଲକ୍ଷ ଲୋକ କୋହଲିଙ୍କୁ ଅନ୍ଲାଇନ୍ରେ ଅନୁଧାବନ କରିଛନ୍ତି। ସମାନ ସମୟରେ ଭାରତୀୟ ଦଳକୁ ମାସିକ ୨.୪ ଲକ୍ଷ ଲୋକ ଅନୁସରଣ କରିଥିବା ଜଣାପଡିଛି। ଅନ୍ୟ ସର୍ବାଧିକ ଅନୁସରଣ କରାଯାଇଥିବା କ୍ରିକେଟର୍ଙ୍କ ମଧ୍ୟରେ ରୋହିତ ଶର୍ମା (୯.୭ ଲକ୍ଷ), ମହେନ୍ଦ୍ର ସିଂହ ଧୋନି (୯.୪), ଜର୍ଜ ମ୍ୟାକେ (୯.୧), ଜୋସ୍ ରିଚାର୍ଡସ (୭.୧), ହାର୍ଦିକ ପାଣ୍ଡ୍ୟା (୬.୭), ସଚିନ ତେନ୍ଦୁଲକର (୫.୪) ଏବଂ କ୍ରିସ୍ ମାଥ୍ୟୁସ (୪.୧) ଏବଂ ଶ୍ରେୟସ ଆୟର (୩.୪) ଶୀର୍ଷ ୧୦ରେ ପଛକୁ ପଛ ରହିଛନ୍ତି। ପସନ୍ଦର ଦଳ ତାଲିକାରେ ଭାରତ ତଳକୁ ଇଂଲଣ୍ଡ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ଆଫଗାନିସ୍ତାନ ଏବଂ ଜିମ୍ବାୱେ ରହିଛନ୍ତି। ତାଲିକାର ଶୀର୍ଷ ୧୦ରେ କୌଣସି ମହିଳା କ୍ରିକେଟର ନଥିଲେ ମଧ୍ୟ ସ୍ମୃତି ମନ୍ଧାନା ଓ ଏଲିସ ପେରି ଯଥାକ୍ରମେ ଦ୍ବାଦଶ ଓ ୨୦ତମ ସ୍ଥାନରେ ରହିଛନ୍ତି। ଏମାନେ ଯୁବରାଜ ସିଂହ ଏବଂ ଶିଖର ଧାୱନଙ୍କ ଭଳି ଖେଳାଳିଙ୍କଠାରୁ ଆଗରେ ରହିବା ସବୁଠାରୁ ଉଲ୍ଲେଖନୀୟ। ବିରାଟ କୋହଲି ଏବଂ ଭାରତୀୟ ଦଳ ଶୀର୍ଷରେ ରହିବା କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ। କିନ୍ତୁ କିଛି ପ୍ରମୁଖ ପୁରୁଷ ଖେଳାଳିଙ୍କୁ ମହିଳା ଖେଳାଳି ପଛରେ ପକାଇବା ଉତ୍ସାହଜନକ ବୋଲି କହିଥିଲେ ଅନୁଧ୍ୟାନକାରୀ ସେମ୍ରସ୍ର ଯୋଗାଯୋଗ ମୁଖ୍ୟ ଫର୍ନାଣ୍ଡୋ ଆଙ୍ଗୁଲୋ।
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ ଶୈଳୀକୁ କିଂବଦନ୍ତି ଶ୍ରୀଲଙ୍କା ସ୍ପିନର ମୁଥୟା ମୁରଲୀଧରନ ଭୂୟଶୀ ପ୍ରଶଂସା କରିଛନ୍ତି। ‘‘ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ପକ୍ଷରୁ ଖେଳିଲା ବେଳେ ମୁଁ ଦେଖିଛି ବୋଲରଙ୍କ ଉପରେ ସେ କିଭଳି ଅଗାଢ଼ ବିଶ୍ବାସ ରଖିଥାନ୍ତି ଏବଂ ନିଜ ହିସାବରେ ଫିଲ୍ଡିଂ ସଜାଇବାକୁ ସ୍ବାଧୀନତା ଦେଇଥା’ନ୍ତି। ଧୋନିଙ୍କ ନେତୃତ୍ବ ନେବାର ଶୈଳୀ ଚମତ୍କାର’’ ବୋଲି ୟୁଟ୍ୟୁବ୍ ଚାଟ୍ ସୋ ‘ଡିଆର୍ଏସ୍ ୱିଥ୍ ଆସ୍’ରେ ଭାରତୀୟ ଅଫ୍ସ୍ପିନର ଆର୍ ଅଶ୍ବିନଙ୍କ ସହ ଆଲୋଚନା ବେଳେ ମୁରଲୀଧରନ କହିଛନ୍ତି। ‘‘ଗୋଟିଏ ଭଲ ବଲ୍ରେ ଯେତେବେଳେ ଛକା ହୁଏ, ଧୋନି ସେହି ସମୟରେ ବୋଲରଙ୍କ ପାଇଁ ତାଳି ମାରିଥା’ନ୍ତି। ସେ ବୋଲରଙ୍କ ମନୋବଳ ବଢ଼ାଇବାକୁ ଏପରି କରିଥା’ନ୍ତି, ଏହା ଭଲ ବଲ୍ ଥିଲା ଏବଂ ବ୍ୟାଟ୍ସମ୍ୟାନ୍ ତୁମକୁ ଛକା ମାରିଲା ବୋଲି ଚିନ୍ତା କରନି।
ବ୍ୟାଟ୍ସମ୍ୟାନ୍ଙ୍କ ପ୍ରଚୁର ପ୍ରତିଭା ଅଛି ତେଣୁ ଛକା ମାରିଲେ ବୋଲି ଧୋନି ସବୁବେଳେ କୁହନ୍ତି। ସେହିଭଳି ପ୍ରଶଂସା କଲା ବେଳେ ଧୋନି ଏକୁଟିଆ ପାଖକୁ ଡାକିଥା’ନ୍ତି। କ’ଣ ଆବଶ୍ୟକ ଅଛି ବୋଲି ପଚାରନ୍ତି। ଏହି ସବୁ ଅନନ୍ୟ ଗୁଣ ପାଇଁ ସେ ବହୁ ସଫଳତା ପାଇଛନ୍ତି ଏବଂ ଭାରତ ତାଙ୍କ ନେତୃତ୍ବରେ ବିଶ୍ବକପ୍ ଜିତି ପାରିଛି’’ ବୋଲି ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ସିଏସ୍କେ ପକ୍ଷରୁ ଆଇପିଏଲ୍ ଖେଳି ୪୦ ୱିକେଟ୍ ଅକ୍ତିଆର କରିଥିବା ମୁରଲୀଧରନ କହିଛନ୍ତି। ‘‘ଧୋନିଙ୍କର ଆଉ ଏକ ଭଲ ଗୁଣ ହେଲା, ସେ ଶାନ୍ତ ଭାବେ ଚିନ୍ତା କରନ୍ତି। ସେଥିପାଇଁ ହିଁ ସେ ଜଣେ ଭଲ ଅଧିନାୟକ ହୋଇପାରିଛନ୍ତି। ଯୁବକ ବେଳେ ବରିଷ୍ଠଙ୍କଠୁ ପରାମର୍ଶ ନେଉଥିଲେ। ସମସ୍ତଙ୍କ କଥା ଶୁଣିବା ପରେ ନିଷ୍ପତ୍ତି ନେଉଥିଲେ। କେବଳ ସେତିକି ନୁହେଁ, ଆଇପିଏଲରେ ଖେଳାଳିମାନେ କିପରି ବ୍ୟାଟିଂ କରିବେ ତା’ପ୍ରତି ଧୋନି ବିଶେଷ ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ମ୍ୟାଚ୍ କିପରି ଜିତି ହେବ ତା’ଉପରେ ଅଧିକ ନଜର ଦେଇଥା’ନ୍ତି’’ ବୋଲି ୧୩୦୦ରୁ ଅଧିକ ଅନ୍ତର୍ଜାତୀୟ ୱିକେଟ୍ ହାସଲ କରିଥିବା ମୁରଲୀଧରନ କହିଛନ୍ତି। ସୂଚନାେଯାଗ୍ୟ ଯେ ଧୋନି ଆଇପିଏଲ୍ର ୧୦ଟି ସଂସ୍କରଣ ସିଏସ୍କେ ପକ୍ଷରୁ ଖେଳିଛନ୍ତି। ସଂପ୍ରତି ସେ ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଆଇପିଏଲ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।