ମୁମ୍ବାଇ: ଆଇସିସି ବିଶ୍ବ ସୁପର୍ ଲିଗ୍ ଅଭିଯାନ ଇଂଲଣ୍ଡ-ଆୟର୍ଲାଣ୍ଡ ଦିନିକିଆ ଶୃଙ୍ଖଳାରୁ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ଖେଳୁଥିବାରୁ ହେଉ ଅବା ଭିନ୍ନ ଯୋଜନା ନେଇ ଇଂଲଣ୍ଡ ସମ୍ପୂର୍ଣ୍ଣ ଅଲଗା ଦଳ ସହ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ଖେଳିଥିଲା। ୩ ମ୍ୟାଚ୍ ଶୃଙ୍ଖଳାରେ ଅବଶ୍ୟ ଶେଷ ମ୍ୟାଚ୍ ଇଂଲଣ୍ଡ ହାରିଗଲା। ଜୋ ରୁଟ, ଜୋଫ୍ରା ଅର୍ଚର, ବେନ୍ ଷ୍ଟୋକ୍ସ, ଜୋସ୍ ବଟ୍ଟଲରଙ୍କ ବିନା ଖେଳି ଇଂଲଣ୍ଡ ଯେ ଦିନିକିଆରେ ସଫଳ ହେବ ଏହା କେବେ କଳ୍ପନା କରାଯାଇନପାରେ। ହେଲେ ବଡ଼ ପ୍ରତିଯୋଗିତାରେ ଏହା ନିଶ୍ଚିତ ଏକ ବିରଳ ପରିସ୍ଥିତି ଆଣିଛି। କରୋନା କାରଣରୁ ମଧ୍ୟ ଭିନ୍ନ କୌଶଳରେ ଖେଳାଳିଙ୍କୁ ଖେଳାଇବାକୁ ଇଂଲଣ୍ଡ ଯୋଜନା କରିଛି। ଏଭଳି ପରିସ୍ଥିତିରେ ଭାରତ ଯଦି ବିଶ୍ବ ସୁପର୍ ଲିଗ୍ ବେଳକୁ ଅଲଗା ଅଲଗା ଟେଷ୍ଟ୍ ଓ ଦିନିକିଆ ଦଳ ଗଢ଼ିବ ତେବେ କିଏ କେଉଁ ଦଳରେ ରହିବେ ଏବେଠାରୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସମ୍ପୂର୍ଣ୍ଣ ଭିନ୍ନ ଦଳ ଗଢ଼ାହେଲେ ବିରାଟ କୋହଲି ଟେଷ୍ଟ୍ ଦଳର ଏବଂ ରୋହିତ ଶର୍ମା ଦିନିକିଆ ଦଳର ଅଧିନାୟକ ହେବା ସମ୍ଭାବନା ଅଧିକ। ଅନ୍ୟ ଖେଳାଳିମାନେ ସେମାନଙ୍କ ଫର୍ମାଟ ପସନ୍ଦ ଓ ସାମର୍ଥ୍ୟ ଭିତ୍ତିରେ ଦଳରେ ସ୍ଥାନ ପାଇବେ। ଏଭଳି କରାଗଲେ କିଭଳି ରହିବ ଭାରତର ଦୁଇ ସମ୍ଭାବ୍ୟ ଦଳ ଆସନ୍ତୁ ନଜର ପକାଇନେବା।
ଭାରତର ସ୍ବତନ୍ତ୍ର ଟେଷ୍ଟ୍ ଦଳ: ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ସାହା (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍ ଅଶ୍ବିନ, ମହମ୍ମଦ ସାମି, ଈଶାନ୍ତ ଶର୍ମା।ସଂରକ୍ଷିତ: ଶୁଭମନ୍ ଗିଲ, କରୁଣ ନାୟର, କେଏସ୍ ଭରତ, ଉମେଶ ଯାଦବ, ନଭଦୀପ ସଇନି।
ଭାରତର ସ୍ବତନ୍ତ୍ର ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶ୍ରେୟସ ଆୟର, କେଏଲ୍ ରାହୁଲ, ମନୀଷ ପାଣ୍ଡେ, ଋଷବ ପନ୍ତ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ୍ ବୁମରା। ସଂରକ୍ଷିତ ଖେଳାଳି: ସଂଜୁ ସାମ୍ସନ୍, ସୂର୍ଯ୍ୟ କୁମାର ଯାଦବ, ଶିଭମ ଦୁବେ, କୃନାଲ ପାଣ୍ଡ୍ୟା, ଦୀପକ ଚହର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/rohit-and-virat.jpg)