ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚଳିତ ବର୍ଷ ଲାଗି ପୁରୁଷ ଦଳର କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିନି। ନିକଟରେ ମହିଳା ଦଳର ଘୋଷଣା କରିଥିବାରୁ ପୁରୁଷ ଦଳର ମଧ୍ୟ ଶୀଘ୍ର ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୨୯ ତାରିଖରେ ‌ଗୁଆହାଟୀରେ ହେବାକୁ ଥିବା ବିସିସିଆଇ ‌ବୈଠକରେ କେନ୍ଦ୍ରୀୟ ଚୁକ୍ତି ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଉପରେ ଆଲୋଚନା ହେବାର ରହିଛି। ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ବରିଷ୍ଠ ଖେଳାଳି ଏ+ ଗ୍ରେଡ୍‌ ହରାଇବାର ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟରୁ ସୂଚନା ମିଳିଛି।

Advertisment

ରିପୋର୍ଟ ଅନୁଯାୟୀ ଯେଉଁ ଖେଳାଳି ୩ଟି ଯାକ ଫର୍ମାଟ୍‌ରେ ଭଲ କରୁଥିବେ ସେମାନେ ଏ+ରେ ରହିବେ। ତେଣୁ ଏହି ୩ ଜଣ ଟ୍ବେଣ୍ଟି-୨୦ରୁ ଅବସର ନେଇସାରିଥିବାରୁ ଏଭଳି ଆଶା ଦେଖାଯାଇଛି। ଯଶ୍‌ପ୍ରୀତ ବୁମ୍‌ରା ଏ+ ଗ୍ରେଡ୍‌ରେ ରହିବା ପ୍ରାୟ ନିଶ୍ଚିତ ରହିଥିଲା ବେଳେ ଶ୍ରେୟସ ଆୟରଙ୍କ ପ‌ଦୋନ୍ନତି ହେବାର ଆଶା ଅଛି। ତେବେ ଶୃଙ୍ଖଳାଗତ କାରଣ ପାଇଁ ଗତବର୍ଷ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଥିବା ଶ୍ରେୟସ୍ ଆୟର ଏଥର ଏହାକୁ ଫେରିବାର ଶତପ୍ରତିଶତ ସମ୍ଭାବନା ରହିଛି। ସମାନ କାରଣ ପାଇଁ ଚୁକ୍ତିରୁ ବାଦ୍ ପଡ଼ିଥିବା ଈଶାନ କିଶନଙ୍କୁ ନେଇ କିନ୍ତୁ ସଂଶୟ ଜାରି ରହିଛି।