ଦିନିକିଆ ମାନ୍ୟତା ଶୀର୍ଷ ଦୁଇ ସ୍ଥାନରେ କୋହଲି-ରୋହିତ

ଟି-୨୦ ମାନ୍ୟତା ଶୀର୍ଷ ୩ରେ ରାହୁଲ

ଦୁବାଇ: ଆଇସିସି ଦିନିକିଆ ମାନ୍ୟତାରେ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ରୋହିତ ଶର୍ମା ପ୍ରଥମ ଦୁଇ ସ୍ଥାନ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାରେ କୋହଲି ଶେଷ ୨ଟିରେ ଯଥାକ୍ରମେ ୮୯ ଓ ୬୩ ରନ୍ କରିଥିବାରୁ ୮୭୦ ପଏଣ୍ଟ୍ ସହ ଶୀର୍ଷରେ ରହିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଶୃଙ୍ଖଳାରୁ ବଞ୍ଚିତ ରୋହିତ ଶର୍ମା ୮୪୨ ପଏଣ୍ଟ ସହ ଦ୍ବିତୀୟରେ ରହିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ୩ ନମ୍ବର ଅଛନ୍ତି। ୨୦୧୯ ଆଇସିସି ବିଶ୍ବକପ୍‌ ପରେ ପ୍ରଥମ ଥର ଖେଳିଥିବା ହାର୍ଦିକ ପାଣ୍ଡ୍ୟା ଏହି ୩ ମ୍ୟାଚ୍‌ ଶୃଙ୍ଖଳାରୁ ୨୧୦ ରନ୍‌ ସଂଗ୍ରହ କରିବା ସହ ୫୫୩ ପଏଣ୍ଟ ପାଇଛନ୍ତି। ସେ ପ୍ରଥମ ଥର ପାଇଁ ଶୀର୍ଷ ୫୦ ଭିତରକୁ ପ୍ରବେଶ କରି ୪୯ ନମ୍ବରରେ ରହିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଅରୋନ୍‌ ଫିଞ୍ଚ୍‌ ପଞ୍ଚମ, ଷ୍ଟିଭ୍ ସ୍ମିଥ୍‌ ୧୫, ଗ୍ଲେନ୍ ମ୍ୟାକ୍ସୱେଲ୍‌ ୨୦ତମ ରହିଛନ୍ତି। ବୋଲିଂରେ ଯଶପ୍ରୀତ୍ ବୁମରା ତୃତୀୟ ସ୍ଥାନରେ ରହିଥିବାବେଳେ ‌ଟ୍ରେଣ୍ଟ୍‌ ବୋଲ୍ଟ ଓ ମୁଜିବ୍‌ ଉର୍ ରହମାନ ଶୀର୍ଷ ଦୁଇ ସ୍ଥାନରେ ରହିଛନ୍ତି।

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ‌(୮୧୬ ପଏଣ୍ଟ୍‌) ବୁଧବାର ପ୍ରକାଶିତ ଆଇସିସି ଟି-୨୦ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟରେ ରହିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି (୬୯୭) ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟମରେ ପହଞ୍ଚିଛି। ତେ‌ବେ ଇଂଲଣ୍ଡର ଦାୱିଦ ମଲାନ (୯୧୫ ପଏଣ୍ଟ) ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଦ୍ବିତୀୟ ସ୍ଥାନରେ ପାକିସ୍ତାନର ବାବର ଆଜମ ଏବଂ ଚତୁର୍ଥରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ରହିଛନ୍ତି। ବୋଲର ଓ ଅଲ୍‌ରାଉଣ୍ଡର ତାଲିକାର ଶୀର୍ଷ ୧୦ ମଧ୍ୟରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନି। ଆଫ୍‌ଗାନିସ୍ଥାନର ରସିଦ ଖାନ୍‌ ଓ ମହମ୍ମଦ ନବି ଯଥାକ୍ରମେ ବୋଲର ଓ ଅଲ୍‌ରାଉଣ୍ଡର ତାଲିକାର ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର