କୋହଲିଙ୍କ ରନ୍ ହାର ୫ ବର୍ଷରେ ସବୁଠାରୁ କମ୍

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପରାଜୟର ପ୍ରଭାବ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ହାର ଉପରେ ପଡ଼ିଛି। ଶୃଙ୍ଖଳାର ତିନିଟି ମ୍ୟାଚ୍‌ରେ କୋହଲି ମାତ୍ର ୭୫ (୫୧, ୧୫, ୯) ରନ୍ କରିଛନ୍ତି। ଏଥିରେ ତାଙ୍କ ରନ୍ ସଂଗ୍ରହ ହାର ମାତ୍ର ୨୫ ରହିଛି। ଗତ ୫ ବର୍ଷ ମଧ୍ୟରେ ଖେଳିଥିବା କୌଣସି ଶୃଙ୍ଖଳାରେ କୋହଲିଙ୍କର ଏହା ସବୁଠାରୁ ଖରାପ ପ୍ରଦର୍ଶନ। ଏହା ପୂର୍ବରୁ ୨୦୧୫ରେ ବାଂଲାଦେଶ ବିପକ୍ଷ ଶୃଙ୍ଖଳାରେ ତାଙ୍କ ରନ୍ ସଂଗ୍ରହ ହାର ଏତେ ଖରାପ ଥିଲା। କୋହଲିଙ୍କ ବିଫଳତା ଭାରତର ପରାଜୟର ଅନ୍ୟତମ କାରଣ ମଧ୍ୟ ହୋଇଛି। ଚେଜ୍ ମାଷ୍ଟର ଭାବେ ପରିଚିତ କୋହଲି ଅକଲାଣ୍ଡରେ ବିଫଳ ହେବା ପରେ ଭାରତ ୨୨ ରନ୍‌ରେ ଦ୍ବିତୀୟ ମୁକାବିଲା ହାରିବା ସହ ଶୃଙ୍ଖଳା ହାତଛଡ଼ା କରିଥିଲା। ପ୍ରଥମ ଦିନିକିଆରେ ଅବଶ୍ୟ ସେ ଅର୍ଧଶତକ ଅର୍ଜନ କରିଥିଲେ। ତୃତୀୟ ଦିନିକିଆରେ ଏହି କ୍ଷତିକୁ ଭରଣା କରିବାର ସୁଯୋଗ କୋହଲିଙ୍କ ପାଖରେ ଥିଲା। ସେ କିନ୍ତୁ ୯ ରନ୍ ଆଗକୁ ବଢ଼ି ନଥିଲେ। ଏବେ ଟେଷ୍ଟ ଶୃଙ୍ଖଳାରେ ତାଙ୍କ ପ୍ରଦର୍ଶନ ଉପରେ ପ୍ରଶଂସକଙ୍କ ତୀକ୍ଷ୍ଣ ନଜର ରହିବ।

ସମ୍ବନ୍ଧିତ ଖବର