କୋହଲିଙ୍କ ସଂକେତ: ଭାରତୀୟ ପେସ୍‌ ବୋଲିଂରେ ହେବ ବଡ଼ ପରିବର୍ତ୍ତନ, ସାମିଲ ହେବେ ନୂଆ ଖେଳାଳି

ଖ୍ରୀଷ୍ଟଚର୍ଚ/ନୂଆଦିଲ୍ଲୀ: ଭାରତୀୟ ପେସ୍‌ ବୋଲିଂର ଭବିଷ୍ୟତ ଯୋଜନା ନେଇ ଅଧିନାୟକ ବିରାଟ କୋହଲି ଅଭାସ ଦେଇଛନ୍ତି। ଦଳର ପେସ୍‌ ଆକ୍ରମଣରେ ଆଉ ଯୁବ ସାମର୍ଥ୍ୟ ଓ ଶକ୍ତି ନଥିବାରୁ ନିକଟ ଭବିଷ୍ୟତରେ ଯୁବ ପ୍ରତିଭାଙ୍କୁ ଅନ୍ତର୍ଭୁକ୍ତ କରିବାର ସମୟ ଆସିଗଲାଣି ବୋଲି ସେ ଅନୁଭବ କରିଛନ୍ତି। ‘ପେସ୍‌ ବୋଲିଂର ପରିବର୍ତ୍ତନ କାଳ ଉପନୀତ ହୋଇଗଲାଣି, ଆଗରୁ ଘଟୁଥିଲା ଏବଂ ବର୍ତମାନ ବି ଘଟିବ। ଆମେ ଏ ସମ୍ପର୍କରେ ସଚେତନ ଅଛୁ ଏବଂ ପରିସ୍ଥିତିକୁ ଗ୍ରହଣ କରିନେବାକୁ ହେବ। ଯେଉଁମାନେ ବିକଳ୍ପ ଭାବେ ପ୍ରସ୍ତୁତ ଥିବେ ଖୁବ୍ ଶୀଘ୍ର ସେମାନଙ୍କୁ ସୁଯୋଗ ମିଳିବ’ ବୋଲି କୋହଲି କହିଛନ୍ତି। କେଉଁମାନେ ଜାତୀୟ ଦଳର ପରବର୍ତୀ ୩/୪ ଜଣ ଖେଳାଳି ସେମାନଙ୍କୁ ସ୍ବୀକୃତି ଦେବାକୁ ହେବ। ହଠାତ୍‌ ଶୂନ୍ୟସ୍ଥାନ ସୃଷ୍ଟି ହେଲେ ଯେଭଳି ଦଳକୁ ସେମାନଙ୍କ ଅଭାବ ଅନୁଭବ ହେବାକୁ ପଡ଼ିବ ନାହିଁ ନଜର ରଖିବାକୁ ହେବ। ‌କୋହଲିଙ୍କ ଏଭଳି ଟିପ୍ପଣୀ ଭାରତର ନୂଆ ପ୍ରତିଭାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବାର ଯୋଜନା କଥା କହୁଛି।

Image Courtesy of WION

‘କ୍ରିକେଟ୍‌ରେ ଏଭଳି ଘଟିଥାଏ, ଗୋଟିଏ ପିଢ଼ି ପରେ ଯୁବ ଶକ୍ତିଙ୍କ ପ୍ରବେଶ ଘଟେ, ନଭଦୀପ ସୈନି ଦଳର ଅଂଶ ବିଶେଷ ହୋଇଗଲେଣି। ଆଉ ୨/୩ ଜଣ ମଧ୍ୟ ଧାଡ଼ିରେ ରହିଛନ୍ତି’ ବୋଲି କୋହଲି କହିଥିଲେ। ଉମେଶ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି ବୟସ୍କ ହୋଇଗଲେଣି ବୋଲି କୋହଲି ପରୋକ୍ଷରେ ପ୍ରକାଶ କରିଥିଲେ। ଏମାନଙ୍କ ସଫଳତା ‌ଦୋହରାଇବା ଲାଗି ନୂଆ ପ୍ରତିଭାଙ୍କ ଆବଶ୍ୟକତା ରହିଛି ବୋଲି ସେ ସଙ୍କେତ ଦେଇଛନ୍ତି।

ସୂଚନାଯୋଗ୍ୟ, ଈଶାନ୍ତ ଶର୍ମାଙ୍କୁ ଚଳିତ ବର୍ଷ ସେପ୍ଟେମ୍ବରରେ ୩୨ ବର୍ଷ ପୂରିବ। ଉମେଶ ଯାଦବଙ୍କୁ ଅକ୍ଟୋବରରୁ ୩୩ ଚାଲିବ। ମହମ୍ମଦ ସାମିଙ୍କୁ ମଧ୍ୟ ସେପ୍ଟେମ୍ବରେରେ ୩୦ ବର୍ଷ ପୂର୍ଣ୍ଣ ହୋଇଯିବ। ଏମାନେ ନିଜ ନିଜ ପେସ୍‌ ବୋଲିଂ ସମୟର ପୂର୍ଣ୍ଣତା ଆଣି ସାରିଛନ୍ତି। ଯୁବ ସୁଲଭତା ଆଉ ଏମାନଙ୍କ ନିକଟରେ ନାହିଁ। ସୈନିଙ୍କ ବାଦ୍‌ କୋହଲି ଅନ୍ୟ କୌଣସି ଯୁବ ଖେଳାଳିଙ୍କ ନାମ ନେଇନଥିଲେ। କିନ୍ତୁ ହାଇଦ୍ରାବାଦର ମହମ୍ମଦ ସିରାଜ, କେରଳର ସନ୍ଦୀପ ୱାରିୟର୍‌, ମଧ୍ୟପ୍ରଦେଶର ଆଭେସ ଖାନ୍‌ ଏବଂ ବେଙ୍ଗଲର ଈଶାନ ପୋରେଲଙ୍କ ନାମ ମଧ୍ୟ ଚର୍ଚାରେ ରହିଛି। କମଲେଶ ନାଗରକୋଟି ଏବଂ ଶିଭମ ମାଭିଙ୍କ ନାମ ମଧ୍ୟ କନିଷ୍ଠ ବର୍ଗରୁ ଆଲୋଚନାରେ ରହିଛି।

ସମ୍ବନ୍ଧିତ ଖବର