ରୋହିତଙ୍କ ସହ ମତଭେଦକୁ କୋହଲିଙ୍କ ଖଣ୍ଡନ, ‘ବିଚିତ୍ର, ଅସମ୍ମାନଜନକ, ମନଗଢ଼ା କାହାଣୀ’

ମୁମ୍ବାଇ: ବିଶ୍ବକପ୍‌ର ସେମିଫାଇନାଲରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେବା ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଖବର ପ୍ରକାଶ ପାଇଥିଲା। ଯାହା ବେଶ୍ କିଛି ଦିନ ହେବ ଭାରତୀୟ କ୍ରୀଡ଼ା ଦୁନିଆ ସହ ଘରୋଇ ଗଣମାଧ୍ୟମରେ ପ୍ରମୁଖ ଚର୍ଚାର ବିଷୟ ହୋଇ ଆସୁଛି। ‌କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ରୋହିତ ଇନଷ୍ଟାଗ୍ରାମରେ ଅନ୍‌ଫଲୋ (ଅନୁସରଣ ବନ୍ଦ କରିବା) ପରେ ଉଭୟଙ୍କ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଥିବା ଆଶଙ୍କା ବି ଆହୁରି ବଢ଼ିଥିଲା। କୋହଲି କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ସୋମବାର ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଆମେରିକା ଗସ୍ତ କରିବା ପୂର୍ବରୁ ଏହି ବିଷୟରେ ପ୍ରଥମ ଥର ମୁହଁ ଖୋଲି ରୋହିତ ଓ ତାଙ୍କ ଭିତରେ କୌଣସି ବିବାଦ ସୃଷ୍ଟି ‌ହୋଇ ନଥିବା ସେ ସ୍ପଷ୍ଟ କରି ଦେଇଛନ୍ତି।

ସୋମବାର ଆୟୋଜିତ ସାମ୍ବା‌ଦିକ ସମ୍ମିଳନୀରେ କୋହଲି କହିଛନ୍ତି ଯେ ବାହାରେ ଥିଲା ବେଳେ ମୁଁ ମଧ୍ୟ ଏକଥା ଶୁଣିଛି। ହେଲେ ଏଭଳି ଖବରରେ କୌଣସି ସତ୍ୟତା ନାହିଁ। ଏହା ବିଚିତ୍ର ଓ ଅସମ୍ମାନଜନକ। ଆମେ ପାଖାପାଖି ୧୦ ବର୍ଷ ହେବ ସାଙ୍ଗ ହୋଇ ଖେଳୁଛୁ। ରୋହିତ ଓ ମୁଁ ପରସ୍ପରକୁ ପୂବର୍ଭଳି ସମ୍ମାନ ଓ ଭଲ ପାଇବା ଦେଇଆସୁଛୁ। ତାଙ୍କ ପ୍ରଦର୍ଶନକୁ ମୁଁ ସବୁବେଳେ ପ୍ରଶଂସା କରିଛି। ଦଳରେ ଯଦି ସବୁକିଛି ଠିକ୍ ନଥାଆନ୍ତା, ତାହାଲେ ଆମେ ଏତେ ସଫଳତା ପାଇ ନଥାଆନ୍ତୁ। ବିଶ୍ବକପ୍‌ରେ ଶୀର୍ଷରେ ପହଞ୍ଚିବା ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଖେଳାଳିମାନେ ପରସ୍ପରକୁ ବୁଝିବା। ନହେଲେ କିଛି ହୋଇ ପାରିବ ନାହିଁ। ଦଳରେ ଫାଟ ସୃଷ୍ଟି ହୋଇଥିବା ଖବର ହାସ୍ୟାସ୍ପଦ। କାହା ସହ ଯଦି ମୋର ଖରାପ ସଂପର୍କ ଥାଏ, ତାହାଲେ ଏହା ମୋ ଚେହେରାରୁ ସ୍ପଷ୍ଟ ବାରି ହୋଇଯାଏ। ଏମିତି ସବୁ ଖବର କୋଉଠୁ ଆସୁଛି, ମୁଁ ଜାଣି ପାରୁନି। ଏଥିରୁ କାହାକୁ କ’ଣ ଫାଇଦା ମିଳୁଛି କେଜାଣି? ଆପଣ ଆମ ଡ୍ରେସିଂ ରୁମ୍‌କୁ ନିଜେ ଆସି ଦେଖି ପାରିବେ ଖେଳାଳିମାନେ କେମିତି ରହୁଛନ୍ତି। କୁଲଦୀପ ଯାଦବ ଓ ଏମଏସ୍ ଧୋନିଙ୍କୁ ଅନ୍ୟମାନେ କେମିତି ବ୍ୟବହାର ଦେଖାଉଛନ୍ତି। କୋହଲି-ରୋହିତ ବିବାଦ ଖବରକୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଆମେ ଯେତେବେଳେ କ୍ରିକେଟ୍ ଆରମ୍ଭ କରିଥିଲୁ ୭ ନମ୍ବରରେ ଥିଲୁ। ତା’ ପରେ ୧ ଏବଂ ୨ରେ ପହଞ୍ଚିଥିଲୁ। ଆମ ଭିତରେ ମତପାର୍ଥକ୍ୟ ଥିଲେ ଏହା ହୋଇ ପାରି ନଥାଆନ୍ତା। ଏସବୁ ଗଣମାଧ୍ୟମର ମନଗଢ଼ା କାହାଣୀ। ସୂଚନାଯୋଗ୍ୟ ଯେ, ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଆମେରିକାର ‌ଫ୍ଲୋରିଡ଼ାରେ ଖେଳିବ। ଏହା ପରେ ଶେଷ ଟ୍ବେଣ୍ଟି-୨୦ ସହ ତିନି ଟିକିଆ ଏକଦିବସୀୟ ଏବଂ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳା ଖେଳିବା ଲାଗି ଫ୍ଲୋରିଡ଼ାରୁ ୱେଷ୍ଟଇଣ୍ଡିଜ୍ ଯିବ। ସୋମବାର ଏଥିଲାଗି ଭାରତୀୟ ଖେଳାଳି ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି।

ରବି ଭାଇ ରହିଲେ ଖୁସି ହେବି
ବିସିସିଆଇ ସଂପ୍ରତି ଭାରତୀୟ ଦଳର ପ୍ରଶିକ୍ଷକ ସନ୍ଧାନରେ ଥିଲା ବେଳେ ଅଧିନାୟକ କୋହଲି ବର୍ତମାନର ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। ଶାସ୍ତ୍ରୀ ପୁଣି ଥରେ ଭାରତର ପ୍ରଶିକ୍ଷକ ହେଲେ ସେ ଅଧିକ ଖୁସି ହେବେ ବୋଲି ସୋମବାର ଆମେରିକା ଯିବା ପୂର୍ବରୁ କୋହଲି କହିଛନ୍ତି। ସେ କହିଛନ୍ତି ଯେ ଏଥିନେଇ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ମୋ ସହ କୌଣସି ଯୋଗାଯୋଗ କରିନାହିଁ। ରବି ଭାଇଙ୍କ ସହ ବହୁତ ଭଲ ସଂପର୍କ ଥିବାରୁ ସେ ପ୍ରଶିକ୍ଷକ ପଦ ବଜାୟ ରଖିଲେ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି ହେବି। ହେଲେ ଏଥିନେଇ ଶେଷ ନିଷ୍ପତ୍ତି ସିଏସି ‌ନେବ ବୋଲି କୋହଲି କହିଥିଲେ।

ସମ୍ବନ୍ଧିତ ଖବର