ପୁଣେ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ପ୍ରଶିକ୍ଷକ ଅନୀଲ କୁମ୍ବଲେ ପୁଣେ ଟେଷ୍ଟ୍‌ରେ ବିରାଟ କୋହଲିଙ୍କ ସଟ୍‌ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ଖରାପ ପ୍ରଦର୍ଶନ ଦେଇ ଗତି କରୁଥିବାରୁ ଡବ୍‌ଲ୍ୟୁଟିସି ଫାଇନାଲ୍‌ ପୂର୍ବରୁ ଭାରତ ଖେଳିବାକୁ ଥିବା ୧୦ ଟେଷ୍ଟ୍‌ ପୂର୍ବରୁ କୋହଲିଙ୍କୁ ଘରୋଇ କ୍ରିକେଟ୍‌ରେ ଖେଳିବା ଉଚିତ ଥିଲା ବୋଲି କୁମ୍ବଲେ କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ କୋହଲି ଖରାପ ସଟ୍‌ ଚୟନ କରି ମାତ୍ର ୧ ରନ୍‌ରେ ମିଚେଲ ସାଣ୍ଟନରଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ବ୍ୟାଟ୍‌ ଉପରକୁ ଆସୁଥିବା ବଲ୍‌କୁ କ୍ରସ୍‌ ଖେଳିବାକୁ ଯାଇ ବଲ୍‌ର ଲାଇନ୍‌କୁ ମିସ୍‌ କରିଯାଇଥିଲେ। ଏକ ଟେଲିଭିଜନ୍‌ ଚ୍ୟାନେଲ୍‌କୁ ସାକ୍ଷାତକାର ଦେବା ସମୟରେ କୁମ୍ବଲେ କହିଛନ୍ତି, ଏକ ମ୍ୟାଚ୍‌ରେ ପ୍ରଥମ କିମ୍ବା ଦ୍ବିତୀୟ ପାଳିର ଭଲ ପ୍ରଦର୍ଶନ ମ୍ୟାଚ୍‌କୁ ନିୟନ୍ତ୍ରଣରେ ଆଣିବାରେ ସହାୟକ ହୋଇଥାଏ। ଏଥିପାଇଁ ଅଭ୍ୟାସ ନେଟ୍ସରେ ଅଭ୍ୟାସ କରିବା ପରିବର୍ତ୍ତେ ଏକ ବାସ୍ତବ ମ୍ୟାଚ୍‌ ଅଭ୍ୟାସ ଅଧିକ ଲାଭଦାୟକ ହୋଇଥାଏ। ଯଦି ଶୀଘ୍ର ବ୍ୟାଟିଂକୁ ଆସିବାରେ କୋହଲି ଓ ଦଳୀୟ ପରିଚାଳନା ମଣ୍ଡଳିଙ୍କ ସମ୍ମତି ରହୁଛି ତାହେଲେ ମୋର କିଛି କହିବାର ନାହିଁ। କିନ୍ତୁ ଏବେ ସେ ସ୍ପିନ୍‌କୁ ଖେଳିବାକୁ ସଂଘର୍ଷ କରୁଛନ୍ତି ବୋଲି କୁମ୍ବଲେ କହିଛନ୍ତି।  

Advertisment

ସେହିପରି ପୂର୍ବତନ କ୍ରିକେଟର୍‌ ସଂଜୟ ମଂଜରେକର୍‌ ମଧ୍ୟ ତାଙ୍କ ଭାବନାକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ସହିତ କୋହଲିଙ୍କ ଉକ୍ତ ସଟ୍‌ ଚୟନକୁ ତାଙ୍କ ଖେଳଜୀବନର ସବୁଠୁ ଖରାପ୍‌ ଚୟନ ଥିବା ପୋଷ୍ଟ୍‌ କରିଛନ୍ତି। ସେ ସବୁବେଳେ ମଜବୁତ୍‌ ଓ ସଚ୍ଚୋଟ୍‌ ମନୋଭାବ ନେଇ ଖେଳିବାକୁ ଆସିଥାନ୍ତି। ହେଲେ ସେ ତାଙ୍କ ଖେଳଜୀବନର ଅତ୍ୟନ୍ତ ଖରାପ୍‌ ସଟ୍‌ ଖେଳି ଆଉଟ୍‌ ହୋଇଛନ୍ତି। ତାଙ୍କ ପ୍ରତି ସମବେଦନା ରହିଛି ବୋଲି ମଂଜରେକର ତାଙ୍କ ପୋଷ୍ଟ୍‌ରେ ‌ଲେଖିଛନ୍ତି।