କୋହଲି ସବୁ ଫର୍ମାଟ୍‌ର ନେତୃତ୍ବ ପଦ ଛାଡ଼ିଦେବା‌ ଉଚିତ: ଆଫ୍ରିଦି

ଲାହୋର: ଭାରତୀୟ ଅଧିନାୟକ ବିରାଟ କୋହଲି ଟ୍ବେଣ୍ଟି-୨୦ କ୍ରିକେଟ୍‌ର ନେତୃତ୍ବ ପଦ ଛାଡ଼ି ଦେଇଛନ୍ତି। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ନାମିବ୍ୟା ବିପକ୍ଷ ମ୍ୟାଚ୍ ଥିଲା କୋହଲିଙ୍କ ଅଧିନାୟକ ଜୀବନର ଶେଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍। ତେବେ ପୂର୍ବଭଳି ସେ ଭାରତୀୟ ଦିନିକିଆ ଏବଂ ଟେଷ୍ଟ୍ ଦଳର ଅଧିନାୟକ ପଦ ନିଜ ପାଖରେ ରଖିଛନ୍ତି। ହେଲେ ପୁରୁଣା ଫର୍ମ ଫେରି ପାଇ ବ୍ୟାଟିଂରେ ଉନ୍ନତି ଆଣିବା ଲାଗି ସବୁ ଫର୍ମାଟର ନେତୃତ୍ବ ପଦ ଛାଡ଼ି ଦେବାକୁ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ତାଙ୍କୁ ଶନିବାର ପରାମର୍ଶ ଦେଇଛନ୍ତି।

ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ରୋହିତ ଶର୍ମାଙ୍କୁ ବିସିସିଆଇ ଟ୍ବେଣ୍ଟି-୨୦ ଅଧିନାୟକ ନିଯୁକ୍ତ କରିବା କଥାକୁ ଆଫ୍ରିଦି ଦୃଢ଼ ସମର୍ଥନ କରିଛନ୍ତି। ‘‘ଭାରତୀୟ କ୍ରିକେଟ୍ ପାଇଁ କୋହଲି ବିଗତ କିଛି ବର୍ଷ ହେବ ଅନେକ କିଛି କରିଛନ୍ତି। ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ ଭାରତୀୟ କ୍ରିକେଟ୍‌କୁ ଯଥେଷ୍ଟ ଆଗକୁ ନେଇଛନ୍ତି। ହେଲେ ସେ ଯଦି ସବୁ ଫର୍ମାଟ୍‌ରୁ ଅଧିନାୟକ ପଦ ଛାଡ଼ିଦେବେ ବ୍ୟକ୍ତିଗତ ଭାବେ ଏହା ତାଙ୍କ ପାଇଁ ବେଶ୍ ଲାଭଦାୟକ ହେବ। ମୁଁ ରୋହିତଙ୍କ ସହ ଗୋଟିଏ ବର୍ଷ ଖେଳିଛି। ସେ ଜଣେ ଦୃଢ଼ ଆତ୍ମବିଶ୍ବାସଭରା ବ୍ୟକ୍ତି ଓ ଚମତ୍କାର ଖେଳାଳି। ରୋହିତଙ୍କର ସବୁଠାରୁ ବଡ଼ ଶକ୍ତି‌ ହେଲା ଆବଶ୍ୟକତା ବେଳେ ସେ ପୂରା ଶାନ୍ତ ରହିପାରନ୍ତି। ଯେ‌ତେବେଳେ ଉଗ୍ରତାର ଦରକାର ପଡ଼ିଥାଏ ତାକୁ ଦେଖାଇବାକୁ ବି ପଛାଇ ନଥା’ନ୍ତି। ତାଙ୍କ ସଟ୍ ଚୟନ ଶୀର୍ଷସ୍ତରୀୟ। କୋହଲି ଏବେ ଅଧିନାୟକ ପଦ ଛାଡ଼ି ନିଜ ବ୍ୟାଟିଂକୁ ଉପଭୋଗ କରିବା ଭାରତୀୟ କ୍ରିକେଟ୍ ପାଇଁ ସବୁଠାରୁ ଭଲ କଥା ହେବ। ସୂଚନାଯୋଗ୍ୟ ଆଫ୍ରିଦି ଆଇପିଏଲ୍‌ର ଉଦ୍‌ଘା‌ଟନୀ ସଂସ୍କରଣ (୨୦୦୮)ରେ ରୋହିତ ଶର୍ମାଙ୍କ ସହ ଡେକାନ ଚାର୍ଜର୍ସ ଦଳରୁ ଖେଳିଥିଲେ।

ସମ୍ବନ୍ଧିତ ଖବର