କଠିନ ଅଭ୍ୟାସର ଝଲକ ଦେଖାଇଲେ କୋହଲି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ମାସର ବ୍ୟବଧାନ ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏସିଆ କପ୍‌ରେ ଭାରତୀୟ ଦଳକୁ ଫେରିବାକୁ ଯାଉଛନ୍ତି। ‌ଏକଦା ବିଶ୍ବ କ୍ରିକେଟ୍‌ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବୋଲାଉଥିବା କୋହଲି ସଂପ୍ରତି ଫର୍ମ ଫେରିପାଇବାକୁ ସଂଘର୍ଷ କରୁଥିଲା ବେଳେ ଏହି ଖରାପ ସମୟକୁ ଦୂର କରିବା ଲାଗି କଠିନ ପରିଶ୍ରମ କରୁଛନ୍ତି। ଗତ ତିନି ବର୍ଷରୁ ଅଧିକ ସମୟ ହେବ ଗୋଟିଏ ହେଲେ ବି ଶତକ ଅର୍ଜନ କରିପାରିନଥିବା କୋହଲି ଚଳିତ ମାସ ଶେଷ ଆଡ଼କୁ ଖେଳାଯିବାକୁ ଥିବା ଏସିଆ କପ୍‌ରେ ନିଜ ଛାପ ଛାଡ଼ିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଯାହାର ଝଲକ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଦେଇଛନ୍ତି ‌ସେ। ବନ୍ଦ ଦ୍ବାର ଭିତରେ କଠିନ ଅଭ୍ୟାସ କରୁଥିବାର ଭିଡିଓ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି କୋହଲି। ଯାହା ମାତ୍ର କିଛି ମିନିଟ୍ ଭିତରେ ଭାଇରାଲ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଚଳିତବର୍ଷ କୋହଲି ଚାରିଟି ଟ୍ବେଣ୍ଟି-୨୦ ଖେଳି ୨୦.୨୫ ହାରରେ ମାତ୍ର ୮୧ ରନ୍ କରିଛନ୍ତି। ସେ ମଧ୍ୟ ଆଇପିଏଲ୍‌ରେ ୧୬ ମ୍ୟାଚ୍ ଖେଳି ୨୨.୭୩ ହାରରେ ୩୪୧ ରନ୍ କରିଥିଲେ।

ସମ୍ବନ୍ଧିତ ଖବର