ସୁଇମିଂ ପୁଲ୍‌ରେ ସମୟ ବିତାଇଲେ କୋହଲି

ନୂଆଦିଲ୍ଲୀ: ଆଇପିଏଲ୍‌ ଖେଳିବାକୁ ୟୁଏଇରେ ଥିବା ବିରାଟ କୋହଲି ମଙ୍ଗଳବାର ଟିକେ ହାଲ୍‌କା ମୁହୂର୍ତ୍ତରେ ରହିଥିବା ଦେଖିବାକୁ ମିଳିଥିଲା। ୟୁଏଇର ଉତପ୍ତ ପରିବେଶରୁ ତ୍ରାହି ପାଇବା ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ସାଥୀ ଖେଳାଳି ପବନ ନେଗି ଓ ଗୁରକିତ ସିଂହ ମନ୍‌ଙ୍କ ସହ ସୁଇମିଂ ପୁଲ୍‌ରେ ସମୟ ବିତାଇଥିବା ଦେଖାଯାଇଛି। କୋହଲି ତାଙ୍କର ଏହି ସମୟର କିଛି ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ପୁଲ୍‌ ଭିତରେ ରିକ୍ଲାଇନର ଉପରେ ସେ ‌ଶୋଇଥିବା ବେଳେ କ୍ୟାମେରାକୁ ବିଜୟ ସୂଚକ ଅଙ୍ଗୁଳି ନିର୍ଦ୍ଦେଶ କରି ଫଟୋ ପୋଜ ଦେଇଥିବା ଦେଖାଯାଇଛି। ୟୁଏଇରେ ବର୍ତ୍ତମାନ ତାପମାତ୍ରା ଅଧିକ ରହୁଥିବାରୁ କୋହଲି ବାହିନୀକୁ ସୁଇମିଂ ପୁଲରେ ଟିକେ ସମୟ ବିତାଇବା ନିହାତି ଆବଶ୍ୟକ ହୋଇପଡ଼ିଛି। ଏଥିସହ ଦଳକୁ ପ୍ରଥମ ଥର ବିଜେତା କରାଇବା ଗୁରୁଦାୟିତ୍ବ ମଧ୍ୟ କୋହଲିଙ୍କ ଉପରେ ରହିଛି।

ଆଇପିଏଲ୍‌ରେ କୋହଲି ସର୍ବାଧିକ ରନ୍‌ ସଂଗ୍ରହକାରୀ (୫୪୧୨) ହୋଇପାରିଛନ୍ତି। ୨୦୧୬ରେ ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହ କରିବା କୀର୍ତ୍ତିମାନ ମଧ୍ୟ ତାଙ୍କ ନାମରେ ରହିଛି। ସେହିବର୍ଷ ସେ ୪ ଶତକ ସହାୟତାରେ ୯୭୩ ରନ୍‌ ସଂଗ୍ରହ କରିଥିଲେ। ଏପରିକି କୋହଲି ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ଅର୍ଜନ କରିବାର କୀର୍ତ୍ତିମାନ ବହନ କରୁଛନ୍ତି। ଆଇପିଏଲ୍‌ରେ ଆର୍‌ସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ୍‌କୁ ଯାଇଥିଲେ ମଧ୍ୟ ବିଜେତା ହୋଇପାରିନାହିଁ। ତଥାପି ୨୦୧୬ ଅପେକ୍ଷା ଚଳିତ ସଂସ୍କରଣର ଦଳ ଅଧିକ ସନ୍ତୁଳିତ ବୋଲି କୋହଲି ମତ ଦେଇଛନ୍ତି। ଏଥିସହ ଦଳରେ ଆରୋନ ଫିଞ୍ଚ ଯୋଗଦେଇଥିବାରୁ କୋହଲି ଓ ଏବି ଡିଭିଲିୟର୍ସଙ୍କ ସହ ପ୍ରାରମ୍ଭିକ ବ୍ୟାଟିଂକ୍ରମ ଅଧିକ ମଜବୁତ ହୋଇପାରିଛି। କିନ୍ତୁ ବୋଲିଂ ବିଭାଗ ସବୁବେଳେ ଦୁର୍ବଳ ସାବ୍ୟସ୍ତ ହୋଇଛି। ତେଣୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମର ବ୍ୟାଟିଂ ଉପଯୋଗୀ ପିଚ୍‌ରୁ ଏବେ ୟୁଏଇର ବୋଲିଂ ଉପଯୋଗୀ ପିଚ୍‌ରେ ମ୍ୟାଚ୍‌ ହେବାକୁ ଥିବାରୁ ଦଳର ଆଶା ସଞ୍ଚାର ହୋଇଛି। ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସଇନି, ୟୁଜବେନ୍ଦ୍ର ଚହଲଙ୍କ ଉପରେ ଏହି ବିଭାଗର ସବୁ ଦାୟିତ୍ବ ରହିବ। ୨୧ ତାରିଖରେ ଆର୍‌ସିବିର ପ୍ରଥମ ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବ।

ସମ୍ବନ୍ଧିତ ଖବର