ୟୁଏଇ ପହଞ୍ଚିଲେ ଦିଲ୍ଲୀ ଓ ହାଇଦ୍ରାବାଦ, ହୋଟେଲ ରୁମ୍‌ରେ ଅଭ୍ୟାସ ଆରମ୍ଭ କଲେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର୍ ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି ଶେଷ ଦୁଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ରବିବାର ୟୁଏଇ ପହଞ୍ଚିଛନ୍ତି। ମୁମ୍ବାଇରେ ଉଭୟ ଫ୍ରାଞ୍ଚାଇଜ୍‌ର ଭାରତୀୟ ଖେଳାଳିମାନେ ଏକାଠି ହେବା ପରେ ବିମାନ ଧରିଥିଲେ। ଦିନକ ପୂର୍ବରୁ ସେମାନଙ୍କ କୋଭିଡ୍‌-୧୯ ଟେଷ୍ଟ୍ କରାଯାଇଥିଲା ଏବଂ ନେଭେଟିଭ୍ ଆସିବା ପରେ ଖେଳାଳିଙ୍କୁ ବିମାନ ଯାତ୍ରାର ଅନୁମତି ପ୍ରଦାନ କରାଯାଇଥିଲା। ଉଭୟ ଫ୍ରାଞ୍ଚାଇଜ୍‌ର ସମ୍ପୂର୍ଣ୍ଣ ଖେଳାଳି ଓ ପ୍ରଶିକ୍ଷକ ଯାତ୍ରା କରିଥିବା କୁହାଯାଇଛି। ଏଥି ସହ ସମସ୍ତ ୮ ଦଳ ୟୁଏଇ ଗସ୍ତ କରିସାରିଛନ୍ତି। ପୂର୍ବରୁ ଶୁକ୍ରବାର ଏବଂ ଶନିବାର ଦୁଇଟି ଦଫାରେ ୬ ଦଳ ଗସ୍ତ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର୍ କିଙ୍ଗସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗ୍ସ ଇଲେଭେନ ପଞ୍ଜାବ ୟୁଏଇରେ ପହଞ୍ଚି ସାରିଛନ୍ତି। କିଛି ଦଳ ଦୁବାଇରେ ଏବଂ ଅନ୍ୟ କିଛି ଆବୁଧାବିରେ ଅବସ୍ଥାନ କରୁଛନ୍ତି। ବିସିସିଆଇର ଏସ୍ଓପି ଅନୁସାରେ ସମସ୍ତ ଖେଳାଳି ୭ ଦିନିକିଆ ସଂଗରୋଧରେ ରହିବା ପରେ ୩ଟି ଆରଟିପିସିଆର୍‌ ଟେଷ୍ଟ୍ (ପ୍ରଥମ, ତୃତୀୟ ଏବଂ ଷଷ୍ଠ ଦିବସ)ରେ ନେଗେଟିଭ୍‌ ଆସିଲେ ଜୈବ ସୁରକ୍ଷା ବଳୟ ମଧ୍ୟରେ ଅଭ୍ୟାସ ଆରମ୍ଭ କରିବେ। ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇର ୩ ସହର ଦୁବାଇ, ସାରଜା, ଆବୁଧାବିରେ ଏହି ୫୩ ଦିନିଆ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୬୦ ମ୍ୟାଚ୍ ବିଶିଷ୍ଟ ଆଇପିଏଲ୍‌-୧୩ର ଖେଳସୂଚୀ ମଙ୍ଗଳବାର ପ୍ରକାଶିତ ହେବାର ସମ୍ଭାବନା ରହିଛି।

Asianet News Bangla

ହୋଟେଲ ରୁମ୍‌ରେ ଅଭ୍ୟାସ ଆରମ୍ଭ କଲେ କୋହଲି
ଦୁବାଇ: କରୋନା ସଙ୍କଟ ପାଇଁ ଦୀର୍ଘ ଦିନ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିବା ଭାରତ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଆଇପିଏଲ୍ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବାକୁ ବ୍ୟଗ୍ର। ହେଲେ ଆଇପିଏଲ୍-୧୩ ପାଇଁ ଦୁବାଇ ପହଞ୍ଚିବା ପରେ ପ୍ରଥମ ସପ୍ତାହ ତାଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ହେବ। କୋହଲି କିନ୍ତୁ ଖାଲି ବସିବା ଲୋକ ନୁହନ୍ତି। ଏଣୁ ସଂଗରୋଧର ପ୍ରଥମ ଦିନରେ ହିଁ ସେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। କୋହଲି ନିଜ ହୋଟେଲ ରୁମ୍‌ରେ ବିଭିନ୍ନ ଶାରୀରିକ ବ୍ୟାୟାମ କରୁଥିବାର ଫଟୋ ଆର୍‌ସିବି ରବିବାର ପ୍ରକାଶ କରିଛି। ତା’ ସହ ‘କ୍ୟାପଟେନ୍‌ କୋହଲି କେବେ ଛୁଟିରେ ଯାଆନ୍ତିନାହିଁ’ ବୋଲି ଲେଖିଛି। ଯାହାକୁ କୋହଲି ଓ ଆର୍‌ସିବି ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି।

 

ସମ୍ବନ୍ଧିତ ଖବର