ଭାରତୀୟ କ୍ରିକେଟ୍ ଦଳ ଶନିବାର ଏକ ମହତ କାର୍ଯ୍ୟରେ ନିଜକୁ ସାମିଲ କରିଥିଲା। କର୍କଟ ରୋଗର ସଚେତନତା ସୃଷ୍ଟି ପାଇଁ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକ୍ଗ୍ରା ସ୍ଥାପନ କରିଥିବା ‘ମ୍ୟାକ୍ଗ୍ରା ପ୍ରତିଷ୍ଠାନ’କୁ ସହଯୋଗର ହାତ ବଢ଼ାଇଥିଲା କୋହଲି ବାହିନୀ। ମ୍ୟାକ୍ଗ୍ରା ପ୍ରତିଷ୍ଠାନ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଭାରତୀୟ ଖେଳାଳିମାନେ ଶନିବାର ନିଜ ନିଜ ସ୍ବାକ୍ଷର ଥିବା ଗୋଲାପୀ ଟୋପି ଏବଂ ଅନ୍ୟାନ୍ୟ ଖେଳ ଉପକରଣ ଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଦାତବ୍ୟ ସଂଗଠନ ଲାଗି ପାଣ୍ଠି ସଂଗ୍ରହ କରିବା ଲକ୍ଷ୍ୟ ନେଇ ଗତ ୧୦ ବର୍ଷ ହେବ ଅଷ୍ଟ୍ରେଲିଆ ବର୍ଷ ଆରମ୍ଭରୁ ଗୋଲାପୀ ଟେଷ୍ଟ ଖେଳିଆସୁଛି। ସିଡନି ଟେଷ୍ଟ୍ର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଲାପୀ ରଙ୍ଗର ଗ୍ଲୋଭ୍ସ ଓ ପ୍ୟାଡ୍ ପିନ୍ଧି ମ୍ୟାକ୍ଗ୍ରା ପ୍ରତିଷ୍ଠାନକୁ ସହାୟତାର ହାତ ବଢ଼ାଇଥିଲେ। ତାଙ୍କର ଏହି ପଦକ୍ଷେପ କ୍ରିକେଟ୍ ପ୍ରେମୀଙ୍କ ମନ କିଣି ନେଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଏବଂ ଅନ୍ୟାନ୍ୟ ଖେଳାଳିମାନେ ମଧ୍ୟ ମ୍ୟାକ୍ଗ୍ରାଙ୍କୁ ନିଜ ନିଜର ଗୋଲାପୀ ଟୋପି ଦେଇଥିଲେ। ୨୦୦୮ ମସିହାରେ ମ୍ୟାକଗ୍ରାଙ୍କ ପତ୍ନୀ ଜେନ୍ଙ୍କର କର୍କଟ ରୋଗରେ ପରଲୋକ ହୋଇ ଯାଇଥିଲା। ସେବେଠାରୁ ମ୍ୟାକ୍ଗ୍ରା କର୍କଟ ରୋଗର ନିରାକରଣ ଏବଂ ସଚେତନତା ସୃଷ୍ଟି ନେଇ କାର୍ଯ୍ୟ କରି ଆସୁଛନ୍ତି। ବର୍ଷର ଆରମ୍ଭରେ ଅଷ୍ଟ୍ରେଲିଆ ଖେଳୁଥିବା ଟେଷ୍ଟର ଗୋଟିଏ ଦିନକୁ ‘ଜେନ୍ ମ୍ୟାକ୍ଗ୍ରା ଦିବସ’ ଭାବେ ଉତ୍ସର୍ଗ କରାଯାଇଥାଏ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp