କୋହଲିଙ୍କ ନେତୃତ୍ୱ ଦକ୍ଷତା ନେଇ ପ୍ରଶ୍ନବାଚୀ

ମୁମ୍ବାଇ: ଇଂଲଣ୍ଡ ଗସ୍ତରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ଭାବେ ପାଖାପାଖି ୬୦୦ ରନ୍‌ କରିଛନ୍ତି। ହେଲେ ଦକ୍ଷିଣ ଆଫ୍ରିକା ଭଳି ଇଂଲଣ୍ଡରେ ଭାରତୀୟ କ୍ରିକେଟ୍‌ ଦଳ ସଂଘର୍ଷ କରିବା ପରେ କ୍ରିକେଟ୍‌ ବିଶେଷଜ୍ଞମାନେ ତାଙ୍କ ନେତୃତ୍ୱ ଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି। ସେହିଭଳି ତାଙ୍କ ପଡ଼ିଆ ଭିତର ବ୍ୟବହାର ମଧ୍ୟ ପୁଣି ଥରେ ଚର୍ଚାର ବିଷୟ ହୋଇଛି। ବିଶେଷ କରି ଇଂଲଣ୍ଡର ଓ୍ଵିକେଟ୍‌ ପତନ ବେଳେ ସେ ଯେଭଳି ଭାବେ ଉଗ୍ର ଉତ୍ସବ ପାଳନ କରୁଛନ୍ତି, ତାକୁ ଅନେକ କ୍ରିକେଟ୍‌ ବିଶେଷଜ୍ଞ ସମାଲୋଚନା କରିଛନ୍ତି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କଠାରୁ ଏଥିନେଇ ଶିକ୍ଷାଲାଭ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଶାନ୍ତ ସରଳ ସ୍ୱଭାବ ପାଇଁ ଯେଉଁ କ୍ରିକେଟ୍‌ ଭାଷ୍ୟକାରମାନେ ମହେନ୍ଦ୍ର ସିଂହ ଧୋନିଙ୍କୁ ‘କ୍ୟାପଟେନ୍‌ କୁଲ୍‌’ ଉପାଧୀ ଦେଇଥିଲେ, ସେମାନେ ‘କୋହଲିଙ୍କୁ କ୍ୟାପଟେନ୍‌ ଅନକୁଲ୍‌’ ବୋଲି କହିବା ଆରମ୍ଭ କଲେଣି।
ବିସିସିଆଇର ସାଂପ୍ରତିକ ସ୍ଥିତି ନେଇ ମଧ୍ୟ ପୂର୍ବତନ କ୍ରିକେଟରମାନେ ଚିନ୍ତା ପ୍ରକଟ କରିଛନ୍ତି। ଅଦାଲତ ଅବମାନନାର ଭୟ ପାଇଁ ପ୍ରଶାସନିକ ସମିତି (ସିଓଏ) ଉପରେ କୌଣସି ମନ୍ତବ୍ୟ ଦେବାକୁ ଭୟ କରୁଥିଲେ ମଧ୍ୟ ସିଓଏ ସଦସ୍ୟଙ୍କ କ୍ରିକେଟ୍‌ ଜ୍ଞାନ ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି। ସେହିଭଳି ଇଂଲଣ୍ଡ ଗସ୍ତର ସୂଚୀ ମଧ୍ୟ ସମାଲୋଚନା ଘେରକୁ ଆସିଛି। ଦିନିକିଆ ଏବଂ ଟେଷ୍ଟ୍‌ ଶୃଙ୍ଖଳା ମଧ୍ୟରେ ଦୁଇ ସପ୍ତାହର ବ୍ୟବଧାନ ଥିଲେ ମଧ୍ୟ ଭାରତୀୟ ଦଳ ଅଧିକ ଅଭ୍ୟାସ ମ୍ୟାଚ୍‌ ନଖେଳିବା ନେଇ କେତେକ କ୍ରିକେଟ୍‌ ବିଶେଷଜ୍ଞ ଅସନ୍ତୋଷ ଜାହିର କରିଛନ୍ତି। ସେହିଭଳି ତୃତୀୟ ଏବଂ ଚତୁର୍ଥ ଟେଷ୍ଟ୍‌ ମଧ୍ୟରେ ଗୋଟିଏ ସପ୍ତାହର ବ୍ୟବଧାନ ଥିଲେ ମଧ୍ୟ ଭାରତୀୟ ଦଳ କାହିଁକି ଅଭ୍ୟାସ ମ୍ୟାଚ୍‌ ଖେଳିଲା ନାହିଁ ବୋଲି ସେମାନେ କ୍ଷୁବ୍ଧ ହୋଇ କହିଛନ୍ତି।
ଚୂଡ଼ାନ୍ତ ଦଳ ଚୟନରେ ତ୍ରୁଟି, ସିମିଂ ଟ୍ରାକ୍‌ରେ ସ୍ପିନର ଏବଂ ସ୍ପିନିଂ ଟ୍ରାକ୍‌ରେ ପେସର୍‌ ଖେଳାଇବା ନେଇ ପ୍ରଶିକ୍ଷକ ଶାସ୍ତ୍ରୀ ଏବଂ କୋହଲି ନେଇଥିବା ନିଷ୍ପତ୍ତି କେବଳ ବିଶେଷଜ୍ଞ ନୁହଁ ସାଧାରଣ କ୍ରିକେଟ୍‌ ପ୍ରେମୀଙ୍କୁ ମଧ୍ୟ ବିସ୍ମିତ କରିଛି। ସେହିଭଳି ଜୋ ରୁଟ୍‌, ଆଲେଷ୍ଟର କୁକ୍‌, ଜେମ୍ସ ବଟଲର, ବେନ୍‌ ଷ୍ଟୋକ୍ସ, ସାମ୍‌ କରନ୍‌ଙ୍କ ଭଳି ଇଂଲଣ୍ଡର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ବ୍ୟାଟିଂ କରୁଥିଲା ବେଳେ କୋହଲି ଯେଉଁ କ୍ଷେତ୍ରରକ୍ଷଣ ଶୈଳୀ ଆପଣାଉଥିଲେ ତାକୁ କେତେକ ପୂର୍ବତନ ଭାରତୀୟ କ୍ରିକେଟର ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି। ଘରୋଇ କ୍ରିକେଟ୍‌ର ଦୁଇ ସଫଳ ତାରକା ମୟଙ୍କ ଅଗ୍ରଓ୍ଵାଲ ଓ ଶ୍ରେୟସ୍‌ ଆୟରଙ୍କୁ ଅଣଦେଖା କରାଯିବା ନେଇ ମଧ୍ୟ ଅସନ୍ତୋଷ କୁହୁଳିବା ଆରମ୍ଭ ହୋଇଛି। ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଓ ସୌରଭ ଗାଙ୍ଗୁଲି ପ୍ରଶିକ୍ଷକ ଶାସ୍ତ୍ରୀଙ୍କୁ ଭାରତର ବିପର୍ଯ୍ୟୟ ପାଇଁ ଉତ୍ତରଦାୟୀ କରିବାକୁ ବିସିସିଆଇକୁ ଆହ୍ଵାନ କରିଛନ୍ତି। ତେବେ କେହି ଜଣେ କୋହଲିଙ୍କୁ ମଧ୍ୟ ଆଇନା ଦେଖାଇବାକୁ ଏହି କ୍ରିକେଟ୍‌ ପଣ୍ଡିତମାନେ ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର