ଲକ୍‌ଡାଉନ୍‌ ବେଳେ କୋହଲି ବାହିନୀ ପାଇଁ ସ୍ବତନ୍ତ୍ର ଅଭ୍ୟାସ ସୂଚୀ

ନୂଆଦିଲ୍ଲୀ : କରୋନା ଭୂତାଣୁ ମହାମାରୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ କେନ୍ଦ୍ର ସରକାର ୨୧ ଦିନ ଭାରତ ବନ୍ଦ (ଲକ୍‌ଡାଉନ୍‌) ଆହ୍ବାନ ଦେଇଥିଲା ବେଳେ ଭାରତୀୟ କ୍ରିକେଟର୍‌ମାନେ ଗୃହାବଦ୍ଧ ରହି ସେମାନଙ୍କ ପରିବାର ସହ ସମୟ ବିତାଉଛନ୍ତି। ହେଲେ ସେମାନଙ୍କ ଅଭ୍ୟାସ ପାଇଁ ଷ୍ଟ୍ରେଙ୍ଗ୍‌ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ନିକ୍‌ ୱେବ୍‌ ସ୍ବତନ୍ତ୍ର ସୂଚୀ ପ୍ରସ୍ତୁତ କରିଛନ୍ତି। ଫିଜିଓ ନିତିନ ପଟେଲଙ୍କ ସହ ପରାମର୍ଶ ପରେ ‌ଭାରତୀୟ ଦଳ ପାଇଁ ଅଭ୍ୟାସ ସୂଚୀ କରିବା ସାଙ୍ଗକୁ କାରୋନା ଆତଙ୍କ ସତ୍ତ୍ବେ ସେମାନେ ନିରାପଦରେ ରହିପାରିବେ ବୋଲି କହିଛନ୍ତି। ଦେଶ ଏବେ କରୋନା ଭୂତାଣୁ ସହ ଲଢ଼ୁଥିଲା ବେଳେ ସମସ୍ତ ଚୁକ୍ତିବଦ୍ଧ ଖେଳାଳି କିପରି ଅଭ୍ୟାସରେ ରହିପାରିବେ ସେନେଇ ଉଭୟ ୱେବ୍‌ ଓ ପଟେଲ ସ୍ବତନ୍ତ୍ର ରଣନୀତି କରିଥିବା ଦଳୀୟ ମ୍ୟାନେଜମେଣ୍ଟ ସୂତ୍ରରୁ ଜଣାପଡ଼ିଛି। ସବୁ ଫର୍ମାଟ୍‌ ପାଇଁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସାମିଲ ଥିବା ସମସ୍ତ ଖେଳାଳି ଫିଟ୍‌ନେସ୍‌ ଅଭ୍ୟାସ କରିବା ସହିତ ୱେବ୍‌ ଓ ପଟେଲଙ୍କୁ ସବୁବେଳେ ତାଜା ସୂଚନା ଦେବେ। ଉଦାହରଣ ସ୍ବରୂପ, ଜଣେ ବୋଲର ତାଙ୍କ ଶରୀରର ନିମ୍ନ ଭାଗକୁ ଶକ୍ତ ରଖିବା ପାଇଁ କସରତ କରିବେ ଏବଂ ବ୍ୟାଟ୍‌ସମ୍ୟାନ୍‌ ତାଙ୍କ କାନ୍ଧ ଓ କଚଟି ଉପରେ କାର୍ଯ୍ୟ କରିବେ ବୋଲି ୱେବ୍‌ ଓ ପଟେଲ କହିଛନ୍ତି। ଖେଳାଳିମାନଙ୍କ ଅଭ୍ୟାସ ଶୈଳୀକୁ ଦୃଷ୍ଟିରେ ରଖାଯାଇ ସ୍ବତନ୍ତ୍ର ନୀତି ନିଆଯିବ। ଯେପରିକି କୋହଲି କିଛି ଓଜନିଆ ଜିନିଷ ସହ ଅଭ୍ୟାସ କରିବାକୁ ଭଲ ପାଉଥିବାରୁ ସେ କ୍ଲିନ୍‌ ଓ ଜର୍କ, ଡେଡ୍‌ ଲିଫ୍ଟ ସାଙ୍ଗକୁ ଅନ୍ୟାନ୍ୟ ବ୍ୟାୟାମ କରିବେ। କିନ୍ତୁ ଅନ୍ୟ ଖେଳାଳିମାନେ ନିଜସ୍ବ ପସନ୍ଦଯୋଗ୍ୟ ଶୈଳୀରେ ବ୍ୟାୟାମ କରିବାକୁ କୁହାଯାଇଛି।

ଆସନ୍ତା ୨ ସପ୍ତାହ ଗୁରୁତ୍ବପୂର୍ଣ୍ଣ: ଅଶ୍ବିନ
ଚେନ୍ନାଇ : କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଭାରତୀୟ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ୍‌ ଦେଶର ନାଗରିକମାନଙ୍କୁ ଚେତାବନୀ ‌ଶୁଣାଇଛନ୍ତି। ଭାରତ ଏକ ଜନବହୁଳ ଦେଶ ହୋଇଥିବାରୁ କରୋନା ଅଧିକ ଭୟଙ୍କର ରୂପ ନେଇପାରେ ବୋଲି ଅଶ୍ବିନ୍ ଆଶଙ୍କା ପ୍ରକାଶ କରିଛନ୍ତି। କାରଣ ଦେଶର ଅନେକ ଅଞ୍ଚଳରୁ ସୂଚନା ମିଳିବା କଷ୍ଟକର ହୋଇଥାଏ। ସମସ୍ତ ତଥ୍ୟ ଏବଂ କଥିତ ଗୁଜବକୁ ନଜରରେ ରଖି ଅଶ୍ବିନ୍ କହିଛନ୍ତି ଗୋଟିଏ କଥା ସ୍ପଷ୍ଟ ଯେ ‘ଆସନ୍ତା ୨ ସପ୍ତାହ ସବୁଠାରୁ ଗୁରୁତ୍ବପୂର୍ଣ୍ଣ’। ଏହି ଦୁଇ ସପ୍ତାହ ଭାରତର ପ୍ରତିଟି ସହର ବସ୍ତୁତଃ ଏକ ମରୁଭୂମି ସଦୃଶ ଅନୁଭବ ଆଣିଦେବ। ଏହି ଅବସରରେ ଅଶ୍ବିନ୍ ମଧ୍ୟ ନିଜ ଟ୍ବିଟର୍‌ ହ୍ୟାଣ୍ଡଲ୍‌ ନାମକୁ ପରିବର୍ତନ କରି ‘ଲେଟ୍‌ସ ଷ୍ଟେ ଇନ୍‌ଡୋର୍‌ ଇଣ୍ଡିଆ’ ରଖିଛନ୍ତି। ସମସ୍ତଙ୍କୁ ମନେ ରଖିବାକୁ ହେବ ଆମେ ଏକ ଜନବହୁଳ ଦେଶରେ ବାସ କରୁଛେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ୁଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୃହାବଦ୍ଧ ମାର୍ଗଦର୍ଶିକାକୁ ମାନିନେବା ଶ୍ରେୟସ୍କର। ଦେଶବାସୀ ଏହି ଗୃହାବଦ୍ଧ ଆହ୍ବାନକୁ ଗମ୍ଭୀରତାର ସହ ନେବାକୁ ଅଶ୍ବିନ୍ ଅନୁରୋଧ କରିଛନ୍ତି। ସରକାରୀ ନିୟମ କାନୁନକୁ ମାନି ନିଜ ପରିବାର ଓ ସମାଜକୁ ସୁରକ୍ଷିତ ରଖିବାର ବେଳ ଆସିଛି ବୋଲି ଅଶ୍ବିନ୍ କହିଛନ୍ତି।

ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌-ବିସିସିଆଇ କନ୍‌ଫରେନ୍ସ କଲ୍‌ ବାତିଲ
ନୂଆଦିଲ୍ଲୀ : କରୋନା ଭୂତାଣୁ ଆତଙ୍କ ଯୋଗୁଁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ତ୍ରୟୋଦଶ ସଂସ୍କରଣ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଥିବାରୁ ଏହାର ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ତେବେ ଆଗକୁ ଆଇପିଏଲ୍‌ର ଏହି ସଂସ୍କରଣକୁ କିପରି ଆଗକୁ ବଢ଼ାଯାଇପାରିବ ସେ ନେଇ ବିସିସିଆ (ଭାରତୀୟ କ୍ରିକେଟ୍‌ ବୋର୍ଡ) ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ସହ କନ୍‌ଫରେନ୍ସ କଲ୍‌ ଜରିଆରେ ଆଲୋଚନା କରିବାର ପ୍ରସ୍ତାବ ରଖିଥିଲା। ହେଲେ ମଙ୍ଗଳବାର ଏହାକୁ ମଧ୍ୟ ବାତିଲ କରିଦେଇଛି। ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତ ଲକ୍‌ଡାଉନ୍‌ (ଗୃହାବଦ୍ଧ) ଥିବାରୁ କନ୍‌ଫରେନ୍ସ କଲ୍‌କୁ ବାତିଲ କରିବାକୁ ବାଧ୍ୟ ହେଲୁ ବୋଲି ବିସିସିଆଇ କହିଛି। ମାନବିକତା ପ୍ରଥମ ଏବଂ ଆଉ ସବୁ ପଛ ବୋଲି ବିସିସିଆଇ କହିଛି। କରୋନା ସ୍ଥିତି ଏବେ ବି ସୁଧୁରିନଥିବାରୁ କୌଣସି ଆଲୋଚନା କରାଯାଇପାରିବ ନାହିଁ। ସେହି ଦୃଷ୍ଟିରୁ କନ୍‌ଫରେନ୍ସ କଲ୍‌ ଆଲୋଚନାକୁ ବାତିଲ କରାଗଲା ବୋଲି କିଙ୍ଗ୍‌ସ ଏକାଦଶ ପଞ୍ଜାବ ସହମାଲିକ ନେସ୍‌ ୱାଡିଆ କହିଛନ୍ତି।

ସମ୍ବନ୍ଧିତ ଖବର