କୋହଲି ଦଳ ବାସ୍ତବ କ୍ଷମତା ଦେଖାଇଲେ: କିର୍ମାନି

ଚେନ୍ନାଇ: ଟେଷ୍ଟ୍‍ ଶୃଙ୍ଖଳା ହାରିବା ପରେ ବିରାଟ କୋହଲିଙ୍କ ଦଳ ଦିନିକିଆ ଶୃଙ୍ଖଳା ଜିତିବା ଫଳରେ ସେମାନଙ୍କ ବାସ୍ତବ କ୍ଷମତା ଦେଖାଇଛନ୍ତି। ଏଭଳି ମତ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଓ୍ଵିକେଟରକ୍ଷକ ସୟଦ କିର୍ମାନି। ଦକ୍ଷିଣ ଆଫ୍ରିକାର ପାଣିପାଗ ସହିତ ଖାପ ଖୁଆଇବା ପୂର୍ବରୁ ଭାରତୀୟ ଦଳ ଟେଷ୍ଟ୍‍ ଶୃଙ୍ଖଳାକୁ ହାରି ସାରିଥିଲା। ଏହା ପରଠାରୁ ଅପ୍ରତିଦ୍ୱନ୍ଦ୍ୱୀ ପାଲଟିଛି। ଦିନିକିଆରେ ଭାରତ ନିଜର ବାସ୍ତବ କ୍ଷମତା ଦେଖାଇ ଜିତି ନେଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଦର୍ଶନକୁ ସମାଲୋଚନା କରାଯିବାକୁ କିର୍ମାନି ନାପସନ୍ଦ କରିଛନ୍ତି। କହିଛନ୍ତି ଆଜିକାଲି କେହି ବୈଷୟିକ ଦିଗକୁ ଦେଖୁ ନାହାନ୍ତି, ଫଳାଫଳ ଖୋଜୁଛନ୍ତି। ଫଳାଫଳ ଅପେକ୍ଷା ଧୋନିଙ୍କ ବୈଷୟିକ ଦକ୍ଷତା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କିର୍ମାନି କହିଛନ୍ତି। ଧୋନି ହିଁ ଭାରତୀୟ କ୍ରିକେଟ୍‌କୁ ସବୁ ଫର୍ମାଟ୍‌ରେ ନୂଆ ସ୍ତରକୁ ନେଇଛନ୍ତି।

ସେ ମଧ୍ୟ ଦେଶର ଜଣେ ବଡ଼ ଦୂତ ଭଳି। ଆଧୁନିକ କ୍ରିକେଟ୍‌ରେ ଆଉ ସ୍ୱତନ୍ତ୍ର ଭାବେ ଜଣେ ଓ୍ଵିକେଟରକ୍ଷକ ଖେଳିବାର ଗୁରୁତ୍ୱ ନାହିଁ। ବିଶେଷ କରି ସୀମିତ ଓଭରରେ ଏହା ଗୁରୁତ୍ୱହୀନ। ୨୦୦୩ ବିଶ୍ୱକପ୍‌ ପର୍ଯର୍୍ୟନ୍ତ ରାହୁଲ ଦ୍ରାବିଡ଼ ଏହି ଦାୟିତ୍ୱ ତୁଲାଇବା ପରଠାରୁ ବିଶ୍ୱବ୍ୟାପୀ ଏହି ଧାରାକୁ ଅନୁସରଣ କରାଯାଉଛି ବୋଲି ୧୯୮୩ ବିଶ୍ୱକପ୍‌ ବିଜେତା ଦଳର ସଦସ୍ୟ କିର୍ମାନି ପ୍ରକାଶ କରିଥିଲେ। ରିଦ୍ଧିମାନ ସାହା, ଦୀନେଶ କାର୍ତିକ, ପାର୍ଥିବ ପଟେଲ୍‌, ନମନ ଓଝା ପ୍ରମୁଖ ଭଲ ଓ୍ଵିକେଟରକ୍ଷକ ବୋଲି କହିଥିଲେ ୬୮ ବର୍ଷୀୟ ଏହି ପୂର୍ବତନ କର୍ଣ୍ଣାଟକ ଓ୍ଵିକେଟରକ୍ଷକ। ଋଷବ ପନ୍ତ ଓ ସଂଜୁ ସାମସନ୍‌ ମଧ୍ୟ ପରବର୍ତୀ ପିଢ଼ିର ଆଶା ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର