ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟର୍ ବିରାଟ କୋହଲି ୧୨ ବର୍ଷ ପରେ ରଣଜୀ ଟ୍ରଫିରେ ଖେଳିବାର ସମ୍ଭାବନା ରହିଛି। ଶୁକ୍ରବାର ସୌରାଷ୍ଟ୍ର ଓ ରେଳବାଇ ବିପକ୍ଷ ଦୁଇ ମ୍ୟାଚ୍ ଲାଗି ଘୋଷିତ ୨୨ ଜଣିଆ ଦିଲ୍ଲୀ ଦଳରେ କୋହଲିଙ୍କୁ ସାମିଲ କରାଯାଇଛି। ହେଲେ ମ୍ୟାଚ୍ ଖେଳିବା ତାଙ୍କ ଉପସ୍ଥିତି ଉପରେ ନିର୍ଭର କରୁଛି। ଦଳରେ ସାମିଲ ହୋଇଥିଲେ ମଧ୍ୟ କୋହଲି ଖେଳିବା ନେଇ ସ୍ପଷ୍ଟ କରିନାହାନ୍ତି। କୋହଲି ଶେଷ ଥର ଲାଗି ୨୦୧୨ ନଭେମ୍ବରରେ ଗାଜିଆବାଦରେ ଉତ୍ତରପ୍ରଦେଶ ବିପକ୍ଷରେ ରଣଜୀ ମ୍ୟାଚ୍ ଖେଳିଥିଲେ। ଅନ୍ୟପକ୍ଷରେ ଋଷଭ ପନ୍ତ ରଣଜୀ ଟ୍ରଫିରେ ଖେଳିବା ପ୍ରାୟ ନିଶ୍ଚିତ ହୋଇଛି। ବହୁ ଦିନ ପରେ ରଣଜୀକୁ ଫେରିବା ନେଇ ଏହି ୱିକେଟ୍କିପର ବ୍ୟାଟର୍ ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ୍ ସଂଘ (ଡିଡିସିଏ) ମୁଖ୍ୟ ରୋହନ ଜେଟଲୀଙ୍କୁ ନିଜ ସମ୍ମତି ଜଣାଇ ଦେଇଛନ୍ତି। ତେବେ ଦଳର ନେତୃତ୍ବ ନେବାକୁ ମନା କରି ଦେଇଛନ୍ତି। ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଏବଂ ଚାମ୍ପିଅନ୍ସ ଟ୍ରଫି ଦଳରେ ସାମିଲ ହେବାର ସମ୍ଭାବନା ଥିବାରୁ ପନ୍ତ ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ଦଳର ନେତୃତ୍ବଭାର ହେମାଙ୍ଗ ବଦୋନିଙ୍କୁ ମିଳିଛି।
ଇଂଲଣ୍ଡ ଶୃଙ୍ଖଳା ପୂର୍ବରୁ ରୋହିତଙ୍କ ବ୍ୟାଟିଂ ଅଭ୍ୟାସ
ମୁମ୍ବାଇ: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟିଂ ପ୍ରଦର୍ଶନ ସଂପ୍ରତି ଭଲ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ବ୍ୟାଟିଂ ପାଇଁ ଏବେ ରୋହିତ ଚାପରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଫେବ୍ରୁଆରି ୬ରୁ ନାଗପୁରରେ ଆରମ୍ଭ ହେବ। ଦିନିକିଆରେ ଏକ ମାତ୍ର ବ୍ୟାଟର୍ ଭାବେ ୩ ଦ୍ବିଶତକ ମାରିଥିବା ଏହି ହିଟ୍ମ୍ୟାନ୍ ନିଜର ପ୍ରିୟ ଫର୍ମାଟ୍କୁ ଚମତ୍କାର ଢଙ୍ଗରେ ଫେରିବାର ଆଶା ରଖିଛନ୍ତି। ଏହି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧୨ରେ ଶେଷ ହେବା ପରେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ। ଏହି ଦୁଇ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ରୋହିତ ନେଟ୍ସରେ ଜୋର୍ଦାର ବ୍ୟାଟିଂ ଅଭ୍ୟାସ କରିଛନ୍ତି। ଏହାର ଭିଡିଓକୁ ରୋହିତ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ରୋହିତ ମିଡ୍ଲ ଷ୍ଟମ୍ପ୍ ଗାର୍ଡ ନେଇ ଦ୍ରୁତ ବୋଲର୍ଙ୍କୁ ପୁଲ୍ ସଟ୍ ମାରୁଥିବାର ଦେଖିବାକୁ ମିଳୁଛି। ରୋହିତଙ୍କ ନେତୃତ୍ବରେ ଭାରତ ଗତ ବର୍ଷ ଜୁନ୍ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା। ଏହା ପରେ ସେ ଏହି ଫର୍ମାଟ୍ରୁ ଅବସର ନେଇଥିଲେ। ସେ ଶେଷ ଥର ଲାଗି ଗତ ବର୍ଷ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଖେଳିଥିଲେ। ରୋହିତ ଧଳାବଲ୍ କ୍ରିକେଟ୍ରେ ୨୬୫ ମ୍ୟାଚ୍ ଖେଳି ୩୧ ଶତକ ଓ ୫୭ ଅର୍ଦ୍ଧଶତକ ସହାୟତାରେ ୧୦,୮୬୬ ରନ୍ କରିଛନ୍ତି।