କୋହଲି ବନାମ ତେନ୍ଦୁଲକର

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ୍‌ ଦୁନିଆ ‘ଭଗବାନ’ ଆଖ୍ୟା ଦେଉଥିବା ବେଳେ ବିରାଟ କୋହଲି ‘କିଙ୍ଗ୍‌’ ବିବେଚିତ ହେଉଛନ୍ତି। ଏମାନଙ୍କ ଭିତରୁ କିଏ ସର୍ବକାଳୀନ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରିବେ ବୋଲି ଅନେକ ସମୟରେ ବିତର୍କ ହୋଇ ଆସିଛି। ‘ବମ୍ବଲ’ ଭାବେ ପରିଚିତ ପୂର୍ବତନ ଇଂଲଣ୍ଡ କ୍ରିକେଟର୍ ଡେଭିଡ୍‌ ଲୟଡ୍‌ ଏହି ବିତର୍କକୁ ମାପିଛନ୍ତି। ‘‘ମୁଁ ଏ ସମ୍ପର୍କରେ ଗବେଷଣା କରିଛି, ସାମାଜିକ ଗଣମାଧ୍ୟମକୁ ଅନୁଧ୍ୟାନ କରିଛି। ସେବୁକୁ ସେଠାରେ ବି ଛାଡ଼ିଦେଇଛି। ଶେଷରେ ଗୋଟିଏ ନାମ ପାଇଛି ସଚିନ ତେନ୍ଦୁଲକର। ଅନେକ ମୋତେ କହିଛନ୍ତି, ସମାଲୋଚନା କରିଛନ୍ତି ଓ ପ୍ରଶ୍ନ ବି କରିଛନ୍ତି-ଏହା ହାସ୍ୟାସ୍ପଦ। ତଥାପି ଗୋଟିଏ ଉତ୍ତର ମିଳିଛି। ଏହା ପଛର ଗୋଟିଏ କାରଣ ହେଉଛି ସଚିନ ତାଙ୍କ ଅହଂକାରକୁ ଘରେ ଛ‌ାଡ଼ି ଦେଇ ଆସନ୍ତି। ଅନ୍ୟ ଖେଳାଳି ଜଣକ (ବିରାଟ କୋହଲି) ବ୍ୟକ୍ତିଗତ ହୋଇଯାଆନ୍ତି’’ ବୋଲି ଲୟଡ଼ କହିଛନ୍ତି। ଟେ‌‌ଷ୍ଟ୍‌ କ୍ରିକେଟ୍‌ କଥା ‌‌ଦେଖିଲେ ସ୍ପଷ୍ଟ ଭାବେ ଲୟଡ଼ ମଧ୍ୟ ସଚିନଙ୍କୁ ପସନ୍ଦ କରିଛନ୍ତି। ତେନ୍ଦୁଲକର ଚମତ୍କାର, କୋହଲି କିନ୍ତୁ ବିପଜ୍ଜନକ। ତେନ୍ଦୁଲକର ଓ ଲାରାଙ୍କ ମଧ୍ୟରୁ ବାଛିଲେ ଲାରା ନିଶ୍ଚିତ ଭିନ୍ନ ବୋଲି ପ୍ରମାଣିତ ହୋଇଯିବ। ଲାରା ଯେଭଳି ଟଚ୍‌ରେ ଖେଳନ୍ତି, ସଚିନଙ୍କୁ ମୁଁ ‌ସେଭଳି ଖେଳିବାର ଦେଖିନାହିଁ। ସଚିନ କେବେ ସୁଯୋଗ ନିଅନ୍ତି ନାହିଁ। କୋହଲିଙ୍କ ତୁଳନାରେ କିନ୍ତୁ ଯୁକ୍ତିର ଆବଶ୍ୟକତା ନାହିଁ, ସଚିନ ହିଁ ଶ୍ରେଷ୍ଠ ବୋଲି ଲୟଡ଼ କହିଥିଲେ। ‌ଦିନିକିଆ ଓ ‌ଟ୍ବେଣ୍ଟି-୨୦କୁ ମିଶାଇଲେ ମୁଁ ନିଶ୍ଚିତ କୋହଲିଙ୍କ ସପକ୍ଷରେ ରହିବି ବୋଲି ସେ କହିଥିଲେ।

କୋହଲି ନା ଆଜମ: କିଏ କଭର୍ ଡ୍ରାଇଭ୍‌ରେ ଶ୍ରେ‌‌ଷ୍ଠ?

ଆଉ ଏକ ବିତର୍କ ମଧ୍ୟ ଶୁକ୍ରବାର ଗଣମାଧ୍ୟମରେ ଢେର ଚର୍ଚ୍ଚାର ଖୋରାକ ଯୋଗାଇଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପା‌ଖେଇ ଆସୁଥିବାରୁ କଭର୍ ଡ୍ରାଇଭ୍‌ ‌‌ଖେଳିବାରେ ବିରାଟ କୋହଲି ଓ ବାବର ଆଜମଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ଆଲୋଚନା ଆରମ୍ଭ ହୋଇଛି। ଜୁନ୍ ୯ ତାରିଖରେ ଭାରତ ଓ ପାକିସ୍ତାନ ମୁକାବିଲା ନ୍ୟୁୟର୍କରେ ଖେଳାଯିବ। ଏହି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା ପୂର୍ବରୁ ଦୁଇ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଓ ଶାହିନ ଶାହ ଆଫ୍ରିଦି ଏହି ଦୁଇ ଖେଳାଳିଙ୍କୁ ନେଇ ବିଭାଜିତ ହୋଇଛନ୍ତି। କୋହଲିଙ୍କ କଭର୍ ଡ୍ରାଇଭ୍ ଭଲ ବୋଲି ଆମିର କହିଥିବା ବେଳେ ବାବରଙ୍କ ସପକ୍ଷରେ ମତ ଦେଇଛନ୍ତି ଆଫ୍ରିଦି। ପୁଲ୍ ସଟ୍‌ରେ ରୋହିତ ଶର୍ମା ବନାମ ମହମ୍ମଦ ରିଜୱାନଙ୍କ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ରୋହିତଙ୍କ ସପକ୍ଷରେ ଆମିର କହିଥିଲେ। ରିଜୱାନ ତରତରରେ ଏଭଳି ଖେଳିଥାନ୍ତି, କିନ୍ତୁ ରୋହିତ ବହୁ ସମୟ ଧରି ବଲ୍‌କୁ ଅପେକ୍ଷା କରନ୍ତି ଏବଂ ତା’ ପରେ ହିଟ୍‌ କରନ୍ତି।

ସମ୍ବନ୍ଧିତ ଖବର