ନୂଆଦିଲ୍ଲୀ : ଆଗାମୀ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ବିରାଟ କୋହଲି ଏହି ଫଟାଫଟ୍ ଫର୍ମାଟରୁ ନେତୃତ୍ବ ଭାର ଛାଡ଼ିଦେବେ ବୋଲି ଗୁରୁବାର ଘୋଷଣା କରିବା ପରେ ଏବେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବର୍ତମାନ ଉପଅଧିନାୟକ ଥିବାରୁ ରୋହିତ ଶର୍ମା ଅଧିନାୟକତ୍ବ ଭାର ସମ୍ଭାଳିବେ ବୋଲି ସଙ୍କେତ ମିଳୁଛି। କିନ୍ତୁ ଉପଅଧିନାୟକ ପଦ ଲାଗି କିଏ ଦୌଡ଼ରେ ରହିବେ ଅଧିକ ଚର୍ଚ୍ଚା ହେଉଛି। କେଏଲ୍ ରାହୁଲ୍, ଋଷଭ ପନ୍ତ୍, ଯଶପ୍ରୀତ୍ ବୁମରାଙ୍କ ନାମ ଆଗରେ ରହିଛି। ‘ପନ୍ତ୍ ନିଶ୍ଚିତ ଭାବେ ଦାବିଦାର କିନ୍ତୁ ଆପଣ କେଏଲ୍ ରାହୁଲ ଏପରିକି ଯଶପ୍ରୀତ୍ ବୁମରାଙ୍କ ନାମକୁ ଏଡ଼ାଇ ଦେଇପାରିବେ ନାହିଁ’ ବୋଲି ଜଣେ ବିସିସିଆଇ କର୍ମକର୍ତା ପ୍ରକାଶ କରିଛନ୍ତି। ପନ୍ତ ଏବଂ ରାହୁଲ ଆଇପିଏଲ୍ରେ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଉଥିବାରୁ ଅଭିଜ୍ଞତା ରଖିଛନ୍ତି। ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ କେଏଲ୍ ରାହୁଲ ନିଶ୍ଚିତ ଭାବେ ଭାରତର ଅଧିନାୟକ ହେବେ ବୋଲି ବିଶ୍ବାସ କରାଯାଉଛି। ରାହୁଲଙ୍କ ପ୍ରଦର୍ଶନ ଏବଂ ଶାନ୍ତ ସ୍ବଭାବ ଚରିତ୍ର ହିଁ ତାଙ୍କୁ ଏହି ଦୌଡ଼ରେ ରଖିବ ବୋଲି ବିଶ୍ବାସ କରାଯାଉଛି। ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ମଧ୍ୟ ରାହୁଲଙ୍କୁ ଭବିଷ୍ୟତର ଟ୍ବେଣ୍ଟି-୨୦ ଅଧିନାୟକ ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଛନ୍ତି। ରାହୁଲଙ୍କ ପାଖରେ ନେତୃତ୍ବ ନେବାର ପ୍ରଶଂସନୀୟ ଦକ୍ଷତା ରହିଛି। ନେତୃତ୍ବ ତାଙ୍କ ବ୍ୟାଟିଂକୁ ପ୍ରଭାବିତ କରିବାକୁ ଦେବ ନାହିଁ। ତେଣୁ ତାଙ୍କ ନାମ ବିଚାରକୁ ନିଆଯାଉ ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଟ୍ବେଣ୍ଟି-୨୦ ନେତୃତ୍ବ ପଦତ୍ୟାଗ କାରଣ ସମ୍ପର୍କରେ ଏକ ଅସମର୍ଥିତ ଖବର ଶୁକ୍ରବାର ଘୁରି ବୁଲୁଛି। କେବଳ କାର୍ଯ୍ୟଭାର ବୋଝ ପରିଚାଳନା ପାଇଁ ବିରାଟ କୋହଲି ପଦ ଛାଡ଼ିନାହାନ୍ତି। ସେ କାଳେ ଜାଣିଥିଲେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ତାଙ୍କୁ ନେତୃତ୍ବ ପଦରୁ ହଟାଯାଇଥା’ନ୍ତା। ନିଜ ନାମ ଗୋପନ ରଖି ବିସିସିଆଇ କର୍ମକର୍ତା ଜଣଙ୍କ ଏହା କହିଛନ୍ତି। ଏଥି ପାଇଁ ବିସିସିଆଇ ସହ ତାଙ୍କର ମତାନ୍ତର ହୋଇଥିବା ସନ୍ଦେହ କରାଯାଉଛି। କୋହଲି ମଧ୍ୟ ସୀମିତ ଓଭର ଦଳ ଉପଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ କେଏଲ୍ ରାହୁଲଙ୍କୁ ଦିନିକିଆରେ ଏବଂ ଋଷଭ ପନ୍ତ୍ଙ୍କୁ ଟ୍ବେଣ୍ଟି-୨୦ରେ ଉପଅଧିନାୟକ କରିବାକୁ କେଉଁଠି ଚାହୁଁଥିଲେ। ଏଥିରେ ବିସିସିଆଇ ଏକମତ ନଥିଲା। ରୋହିତ ଶର୍ମାଙ୍କ ବୟସ ୩୪ ଥିବାରୁ ସେ ଏଭଳି ନିଷ୍ପତ୍ତି ନେବାକୁ ଚାହୁଁଥିଲେ। କୋହଲିଙ୍କ ପାଇଁ ଖେଳାଳିଙ୍କ ସହ ଯୋଗାଯୋଗ ରଖିବା ଅନ୍ୟତମ ପ୍ରମୁଖ ପ୍ରତିବଂଧକ ରହୁଛି। ମହେନ୍ଦ୍ର ସିଂହ ଧୋନିଙ୍କ ସମୟରେ ତାଙ୍କ ରୁମ୍ ୨୪ ଘଣ୍ଟା ଖୋଲା ରହୁଥିଲା। ସାଥି ଖେଳାଳିମାନେ ରୁମ୍କୁ ଆସି ମଉଜମସ୍ତି କରିବା ଓ ଖାଇବା ସହ କ୍ରିକେଟ୍ ଆଲୋଚନା କରିପାରୁଥିଲେ। ପଡ଼ିଆ ବାହାରେ ବିରାଟ କୋହଲିଙ୍କ କ୍ଷେତ୍ରରେ ଏହା ସମ୍ଭବ ହେଉନାହିଁ ବୋଲି ଏହି ପୂର୍ବତନ ଭାରତୀୟ ଖେଳାଳି ଜଣଙ୍କ ପ୍ରକାଶ କରିଛନ୍ତି।