ମିଷ୍ଟର ନାଗ୍ସଙ୍କୁ ବିମାନ ବାହାରକୁ ଫିଙ୍ଗିବାକୁ ଚାହୁଥିଲେ କୋହଲି

ଚେନ୍ନାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୨୨ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ। ଏଥିଲାଗି ଅଧିନାୟକ ବିରାଟ କୋହଲିଙ୍କ ସହ ଦଳୀୟ ଖେଳାଳିମାନେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାତ୍ରା କଲା ବେଳେ ଏକ ମଜାଦାର ଘଟଣା ଘଟିଥିଲା। ଖେଳାଳିଙ୍କ ମାନସିକ ସୁସ୍ଥତା ଦାୟିତ୍ବରେ ଥିବା ହାସ୍ୟ ଅଭିନେତା ଦାନୀଶ ସୈତ ଓରଫ୍ ମିଷ୍ଟର ନାଗ୍ସ ଏମିତି ଏକ କାମ କରିଥିଲେ ଯେ କୋହଲି ତାଙ୍କୁ ବିମାନ ବାହାରକୁ ଫିଙ୍ଗି ଦେବାକୁ କହିଥିଲେ। ଦାନୀଶ ଆର୍‌ସିବି ପାଇଁ ଆଇପିଏଲ୍‌ରେ ଉପସ୍ଥାପକ ଦାୟିତ୍ବ ତୁଲାଉଥିଲା ବେଳେ ଆର୍‌ସିବି ତା ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରୁଥିବା ବିଭିନ୍ନ ମଜାଦାର ଭିଡିଓରେ ସେ ମିଷ୍ଟର ନାଗ୍ସ ଚରିତ୍ରରେ ଅଭିନୟ କରନ୍ତି। ଆର୍‌ସିବି ଖେଳାଳିଙ୍କର ଚେନ୍ନାଇରୁ ମୁମ୍ବାଇ ଯାତ୍ରା ଅବସରରେ ରେଡିଓ ଜକି, ଟେଲିଭିନ୍ ଉପସ୍ଥାପକ ଓ ଲେଖକ ଦାନୀଶ ନିଆରା ବେଶ ଧରି ଏୟାର ହୋଷ୍ଟେସ୍ ଭାବେ ବିଭିନ୍ନ କୌତୁକିଆ କଥା କହି ଖେଳାଳିଙ୍କ ମନୋରଞ୍ଜନ କରୁଥିଲେ।

ଯାହାର ଏକ ଭିଡିଓ ଆର୍‌ସିବି ତାର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି। ଏହି ଅବସରରେ ବିମାନ ଯାତ୍ରା ସମୟ ୯୦ ମିନିଟ୍‌ରୁ ଅଧିକ ହେଲେ ଆମ ଅଧିନାୟକ (କୋହଲି)ଙ୍କୁ ଜରିମାନା ହେବ ବୋଲି କହୁଛନ୍ତି। ସମ୍ଭବତଃ ଆଇପିଏଲ୍‌ ଓ ଅନ୍ତର୍ଜାତୀୟ ମ୍ୟାଚ୍ ଅବସରରେ ମନ୍ଥର ବୋଲିଂ ପାଇଁ କୋହଲି ବାରମ୍ବାର ଦଣ୍ଡିତ ହେଉଥିବା ପରିପ୍ରେକ୍ଷୀରେ ସେ ଏଭଳି କହିଥିଲେ। ସେହିଭଳି ଆର୍‌ସିବି ସଂପ୍ରତି ପଏଣ୍ଟ୍‌ ତାଲିକାର ଶୀର୍ଷରେ ଥିବାରୁ ମୁମ୍ବାଇ ନଯାଇ ବେଙ୍ଗାଲୁରୁ ଫେରିଯିବାକୁ ଭିଡିଓରେ ସେ ପରାମର୍ଶ ଦେଉଛନ୍ତି। ଏସବୁ ଶୁଣି ଓ ଦେଖି କୋହଲି ମଜାଳିଆ ଢଙ୍ଗରେ ତାଙ୍କୁ (ମିଷ୍ଟର ନାଗ୍ସ) ବିମାନ ବାହାରକୁ ଫିଙ୍ଗି ଦେବାକୁ କହୁଛନ୍ତି। ପ୍ରଶିକ୍ଷକ ମାଇକ୍ ହେସନଙ୍କ ସହ ଅନ୍ୟ ଖେଳାଳିମାନେ ଏହା ଶୁଣି ଠୋ ଠୋ ହୋଇ ହସୁଛନ୍ତି।

ସମ୍ବନ୍ଧିତ ଖବର