ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରୋହିତଙ୍କ ସହ ପାଳି ଆରମ୍ଭ କରିବାକୁ ଚାହାନ୍ତି କୋହଲି

ଅହମଦାବାଦ: ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ନିର୍ଣ୍ଣାୟକ ପଞ୍ଚମ ତଥା ‌ଶେଷ ଟ୍ବେଣ୍ଟି-୨୦ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ। କେଏଲ୍ ରାହୁଲଙ୍କ ଲଗାତାର ବିଫଳତା ପରେ କୋହଲି ନିଜେ ତାଙ୍କ ସ୍ଥାନ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହା ବେଶ୍ ଫଳପ୍ରଦ ବି ହୋଇଥିଲା। ଉଭୟ ବହୁ ଦର୍ଶନୀୟ ସଟ୍ ଖେଳି ମାତ୍ର ୯ ଓଭରରେ ୯୪ ରନ୍ ଅମଳ କରିନେଇଥିଲେ। ଏଥିରେ ଖୁସି ହୋଇ କୋହଲି ଆଗାମୀ ଅକ୍ଟୋବର ମାସରେ ଘରୋଇ ପରିବେଶରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ରୋହିତଙ୍କ ସହ ପାଳି ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିକି ଆସନ୍ତା ଆଇପିଏଲ୍‌ରେ ବି ନିଜ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ପାଳି ଆରମ୍ଭ କରିବେ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଥି‌ଲେ କୋହଲି। ‘‘ମୁଁ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରୋହିତଙ୍କ ସହ ଖେଳିବାକୁ ପସନ୍ଦ କରିବି। ଏହା ହେଲେ ଦଳର ଦୁଇ ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସର୍ବାଧିକ ବଲ୍ ଖେଳିବାର ସୁଯୋଗ ପାଇବେ। ଆମ ଭିତରୁ ଯଦି ଜଣେ ବି କ୍ରିଜ୍‌ରେ ରହୁ, ତାହାଲେ ପ୍ରତିପକ୍ଷର ବହୁତ କ୍ଷତି ଘଟାଇ ପାରିବୁ। ସେହିଭଳି ଆମ ଭିତରୁ ଜଣେ କ୍ରିଜ୍‌ରେ ଥିଲେ ଦଳର ଅନ୍ୟ ଖେଳାଳିଙ୍କ ଆତ୍ମବିଶ୍ବାସ ଓ ସାହସ ମଧ୍ୟ ବଢ଼ିବ’’। ଏହି ଶୃଙ୍ଖଳାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନଙ୍କ ସହ ଶାର୍ଦୁଳ ଠାକୁରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ସେ।

ଗାଭାସ୍କରଙ୍କ ସମର୍ଥନ
‌ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲି ଏକାଠି ପାଳି ଆରମ୍ଭ କରିବାକୁ କିଂବଦନ୍ତି କ୍ରିକେଟର୍‌ ସୁନିଲ ଗାଭାସ୍କର ଦୃଢ଼ ସମର୍ଥନ କରିଛନ୍ତି। ରୋହିତ-କୋହଲି ପାଳି ଆରମ୍ଭ କଲେ ବ୍ୟକ୍ତିଗତ ଭାବେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି। ‘‘ସୀମିତ ଓଭର କ୍ରିକେଟ୍‌ରେ ଆପଣଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସବୁବେଳେ ସର୍ବାଧିକ ବଲ୍ ଖେଳିବା ଉଚିତ। ଏଣୁ ବିରାଟ କୋହଲି ଶୀର୍ଷରେ ଖେଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମ୍ଭବତଃ କେଏଲ୍ ରାହୁଲ ଫର୍ମ ହରାଇବା ଭାରତ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ। କାରଣ ଏହାଦ୍ବାରା ଆମେ ଏକ ଭରସାଯୋଗ୍ୟ ପ୍ରାରମ୍ଭିକ ଯୋଡ଼ି ପାଇଯାଇଛେ। ସଚିନ ତେନ୍ଦୁଲକରଙ୍କୁ ମଧ୍ୟକ୍ରମରୁ ନେଇ ଶୀର୍ଷରେ ଖେଳାଇବା ପରେ ସେ କେମିତି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ କରି ଚାଲିଥିଲେ, ତାହା ଆପଣ ଦେଖିଛନ୍ତି’’ ବୋଲି କହିଥିଲେ ଗାଭାସ୍କର।

ଏବେଠୁ କିଛି କହି ହେବନି: ରୋହିତ
କୋହଲି ଓ ତାଙ୍କ ଯୋଡ଼ି ସଫଳ ହେବା ନେଇ ଖୁସି ଜାହିର କରିଥିଲେ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ବ୍ୟାଟିଂକ୍ରମକୁ ନେଇ ଏବେଠୁ କିଛି କହି ହେବନି ବୋଲି ମତ ଦେଇଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା। ସେ କହିଛନ୍ତି ଯେ ବିଶ୍ବକପ୍ ଆହୁରି ବହୁତ ଦିନ ବାକି ଅଛି। ସେତେବେଳେ ଆମ ବ୍ୟାଟିଂ କେମିତି ଥିବ ଏବେଠୁ ଏଥିନେଇ କିଛି କହିହେବନି। ଆମକୁ ଏକାନ୍ତରେ ବସି ଦଳ ପାଇଁ କ’ଣ ସବୁଠାରୁ ଭଲ ହେବ, ସେ ବିଷୟରେ ତର୍ଜମା କରିବାକୁ ପଡ଼ିବ। ଶନିବାର ଆମେ ଜଣେ ଅତିରିକ୍ତ ବୋଲର ଖେଳାଇବାକୁ ଚାହୁଥିବାରୁ ରଣନୀତି ମୁତାବକ ଏଭଳି (କୋହଲି ଓ ସେ ପାଳି ଆରମ୍ଭ କରିବା) କରିଥିଲୁ। ଆମେ ଜଣେ ବ୍ୟାଟର୍‌ଙ୍କୁ ବସାଇବାକୁ ନିଷ୍ପତ୍ତି ନେଇଥିଲୁ ଏବଂ ଦୁର୍ଭାଗ୍ୟଜନକ ଭାବେ ସେ କେଏଲ୍ ରାହୁଲ ଥିଲେ ବୋଲି ରୋହିତ କହିଛନ୍ତି।

ସମ୍ବନ୍ଧିତ ଖବର