ଅଷ୍ଟ୍ରେଲିଆ ଗସ୍ତର ଶେଷ ଦୁଇ ଟେଷ୍ଟ୍‌ ଖେଳିବେନି କୋହଲି!

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ସମ୍ଭବତଃ ଆସନ୍ତା ବର୍ଷ ଜାନୁଆରିରେ ବାପା ହୋଇପାରନ୍ତି। ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ନୂଆ ବର୍ଷ ପ୍ରାରମ୍ଭରେ ପ୍ରଥମ ସନ୍ତାନକୁ ଜନ୍ମ ଦେବାର ଆଶା ରହିଛି। ଏଭଳି ସମ୍ଭାବନା ରଖିଥିବା କୋହଲି ସେଥିପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଶେଷ ଦୁଇ ଟେ‌ଷ୍ଟ୍‌ରୁ ଓହରିଯିବାର ଆଶଙ୍କା ରହିଛି। ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଶେଷ ଦୁଇ ଟେଷ୍ଟ୍‌ରୁ ଓହରିଲେ କୋହଲିଙ୍କ ସ୍ଥାନରେ କେଏଲ୍‌ ରାହୁଲ ମଧ୍ୟକ୍ରମ ସମ୍ଭାଳିବେ ବୋଲି କୁହାଯାଉଛି। କୋହଲିଙ୍କ ଓହରିବା ନେଇ ନିଜ ଆଡୁ ବିଦ୍ଧିବଦ୍ଧ କିଛି ସ୍ପଷ୍ଟ କରାଯାଇନଥିଲା ହେଁ ବିସିସିଆଇ ସୂତ୍ରରୁ ସେ ଶେଷ ଦୁଇ ଟେଷ୍ଟ୍‌ ପୂର୍ବରୁ ବିରତି ନେବାର ଆଶା କରାଯାଇଛି। ବିସିସିଆଇ ମଧ୍ୟ ସବୁବେଳେ ଖେଳାଳିଙ୍କ ପାଇଁ ପରିବାରକୁ ପ୍ରାଥମିକତା ଦେଇଆସୁଛି। ଯଦି ସେଦୃଷ୍ଟିରୁ କୋହଲି ବିରତି ନେବା ପାଇଁ ସ୍ଥିର କରନ୍ତି, ତାହାଲେ ସେ କେବଳ ପ୍ରଥମ ଦୁଇ ଟେଷ୍ଟ୍‌ରେ ଦେଖିବାକୁ ମିଳିବେ। ଏପରିସ୍ଥଳେ କେଏଲ୍‌ ରାହୁଲଙ୍କ ଉପସ୍ଥିତି ଦଳ ପାଇଁ ଫାଇଦା ହେବ।

ଦଳ ସହ ରୋହିତ ଅଷ୍ଟ୍ରେଲିଆ ଯାଇପାରନ୍ତି
ୟୁଏଇରେ ଚାଲିଥିବା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ ଚୂଡାନ୍ତ ଏକାଦଶରେ ରୋହିତ ଶର୍ମାଙ୍କ ଉପସ୍ଥିତି ବିସିସିଆଇ କାର୍ଯ୍ୟକର୍ତାଙ୍କ ପାଇଁ ଆଶା ସଞ୍ଚାର କରିଛି। ଏହି ପୂର୍ବତନ ଧଳା ବଲ୍‌ ଉପଅଧିନାୟକ ଅଷ୍ଟ୍ରେଲିଆ ଗସ୍ତ ପାଇଁ ତିନିଟିଯାକ ଫର୍ମାଟ୍‌ ଦଳରେ ସାମିଲ ହୋଇନଥିଲେ ମଧ୍ୟ ଏବେ ତାଙ୍କୁ ଅଷ୍ଟ୍ରେଲିଆ ପଠାଇବା ପାଇଁ ବିସିସିଆଇ ଚିନ୍ତା କରିଛି। ଦଳର ଅନ୍ୟ ସଦସ୍ୟଙ୍କ ସହିତ ନଭେମ୍ବର ୧୧ ତାରିଖରେ ରୋହିତ ବିମାନ ଧରିବେ ବୋଲି ଜଣାପଡ଼ିଛି। ଏନେଇ ଖୁବ୍‌ ଶୀଘ୍ର ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯିବ। ରୋହିତ ଅଷ୍ଟ୍ରେଲିଆରେ ଦଳ ସହ ରହି ଫିଜିଓ ନିତିନ ପଟେଲ ଏବଂ ଟ୍ରେନର ନିକ୍‌ ୱେବ୍‌ଙ୍କ ତତ୍ତ୍ବାବଧାନରେ ଷ୍ଟ୍ରେନ୍ଥ୍‌ ଆଣ୍ଡ୍‌ କଣ୍ଡିସନିଂ କାର୍ଯ୍ୟ କରିବେ। ଯଦି ଆବଶ୍ୟକ ପଡ଼େ ତାହାଲେ ରୋହିତଙ୍କୁ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ଦିଆଯିବ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଫେରିପାରିବେ ବୋଲି ବିସିସିଆଇ କୁହାଯାଇଛି। ସୀମିତ ଓଭର ଶୃଙ୍ଖଳା ଅବସରରେ ଏବଂ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭରୁ ସମ୍ଭବତଃ ସେ ପୂରା ଫିଟ୍‌ ହୋଇଯାଇଥିବେ ବୋଲି ଆଶା ରଖାଯାଇଛି।

ଟିମ୍ ଇଣ୍ଡିଆ ଜୈବ ବଳୟରେ କୋହଲି
ଦୁବାଇ: ଏଲିମି‌ନେଟରରେ ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ହାରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଇପିଏଲ୍‌ରୁ ବିଦାୟ ନେବା‌ ପରେ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଗତ ରାତିରେ ଆରସିବି ଶିବିର ଛାଡ଼ି ଏଠାରେ ସ୍ଥାପିତ କରାଯାଇଥିବା ଭାରତୀୟ କ୍ରିକେଟ୍‌ ଦଳର ସ୍ବତନ୍ତ୍ର ଜୈବ ବଳୟ ଭିତରକୁ ସେ ପ୍ରବେଶ କରିଛନ୍ତି। ଭାରତୀୟ ଦଳ ଦୁବାଇରୁ ହିଁ ଅଷ୍ଟ୍ରେଲିଆ ଗସ୍ତ କରିବ। ଭାରତୀୟ ଦଳର ଜୈବ ବଳୟ ଭିତରେ ରହି ପୂର୍ବରୁ ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା ଓ ହନୁମା‌ ବିହାରୀଙ୍କ ଭଳି ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ଲାଗି ପ୍ରସ୍ତୁତି କରୁଛନ୍ତି। ଅଷ୍ଟ୍ରେଲିଆ ଗସ୍ତର ପ୍ରତୀକ୍ଷିତ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାକୁ ଆଖି ଆଗରେ ରଖି ଏମାନେ ସମସ୍ତେ ଏବେ ଗୋଲାପି ବଲ୍‌ରେ ଅଭ୍ୟାସ କରୁଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଗୋଟିଏ ଦିବା-ରାତ୍ର ଟେଷ୍ଟ୍ ଖେଳିବାର ଅଛି। ଭାରତୀୟ ଦଳ ଆସନ୍ତା ୧୦ ତାରିଖ ଆଇପିଏଲ୍ ଫାଇନାଲର ଠିକ୍ ପରେ ପରେ ଅଷ୍ଟ୍ରେଲିଆ ଯାତ୍ରା କରିବ। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ତିନିଟି ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍ ମଧ୍ୟ ‌‌ଖେଳିବ।

ସମ୍ବନ୍ଧିତ ଖବର